ଆଳୁ କେଜି ୬୦ ଛୁଇଁଲା

ଭୁବନେଶ୍ବର: ଗତ କିଛି ଦିନ ହେବ ଆଳୁ ଦର ସ୍ବାଭାବିକ ଥିବା ବେଳେ ଏବେ ପୁଣି ବଜାରରେ ତେଜିଛି ଆଳୁ ନିଆଁ । ଗୋଟିଏ ପଟେ ପଶ୍ଚିମବଙ୍ଗ ଆଳୁ ଦେଉନଥିବା ବେଳେ ୟୁପିରୁ ଆଳୁ ଆସିବା ଆଶା ଏବେ ମଉଳି ପଡିଛି । ଯାହା ଓଡିଶା ବଜାରରେ ଆଳୁ ଉପରେ ମହଙ୍ଗା ମାଡ କରିଛି । ଗୋଟିଏ ଦିନରେ ଆଳୁ କେଜି ୨୦ ରୁ ୨୫ କେଜି ବଡିଥିବା ବେଳେ ଦଳ ଏବେ ୬୦ ଛୁଇଁଛି । ଉତ୍ତରପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଆସିନଥିବାରୁ କଟକ ଛତ୍ରବଜାର ଓ ଭୁବନେଶ୍ବର ଆଇଗିଣିଆ ଆଳୁ ଗୋଦାମରେ ଆଳୁ ଅଭାବ ଦେଖା ଦେଇଥିବାରୁ ଏଭଳି ସଙ୍କଟ ଉପୁଜିଛି ।

ତେବେ ପଡୋଶୀ ପଶ୍ଚିମବଙ୍ଗ ଆଳୁ ଯୋଗାଇବାରେ ମନମାନୀ କରିବା ପରେ ଓଡିଶାରେ ଆରମ୍ଭ ହୋଇଥିଲା ଆଳୁ ବିବାଦ । ଏଥିରେ ମୁଖ୍ୟମନ୍ତ୍ରୀ ନିଜେ ଯାଇ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରିବା ପରେ ଓଡିଶାକୁ କିଛି ପରିମାଣର ଆଳୁ ଦେଇଥିଲା ପଶ୍ଚିମବଙ୍ଗ । ହେଲେ ପରେ ଏଥିରେ ପଶ୍ଚିମବଙ୍ଗ ଖିଲାପ କରିବାରୁ ସରକାର ତାଙ୍କ ସ୍ବାଭିମାନ ଦେଖି ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଯୋଜନା କରିଥିଲେ । ଯାହାପରେ ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆଣିବାର ନିଷ୍ପତ୍ତି ହେବାପରେ କିଛିଦିନ ପୂର୍ବରୁ ସେଠାରୁ କିଛି ଟ୍ରକ ଭର୍ତ୍ତି ଆଳୁ ଆସି ଓଡିଶାରେ ପହଞ୍ଚିଥିଲା । ଏହାପରେ ବଜାରରେ ମଧ୍ୟ ଆଳୁଦର ସ୍ବାଭାବିକ ରହିଥିଲା । ହେଲେ ଏବେ ଉତ୍ତରପ୍ରଦେଶ ସରକାର ବି ଓଡିଶା ଆବଶ୍ୟକ କରୁଥିବା ଆଳୁ ଯୋଗାଇ ପାରିନାହାନ୍ତି । ଯାହାଫଳରେ ଓଡିଶାରେ ପୁଣି ଆଳୁ ସଙ୍କଟ ଦେଖାଯାଇଛି । ଆଳୁ ଗୋଦାମକୁ ଆଳୁ ନଆସିବାରୁ ବଜାରରେ ଆଳୁ ନିଆଣ୍ଟିଆ ପରିସ୍ଥିତି ସୃଷ୍ଟି ହେବାରୁ ଏବେ ପୁଣି ଆଳୁ ନେଇ ଖାଉଟିଙ୍କ ମୁଣ୍ଡରେ ଚଡକ ପଡିଛି । ଗତକାଲି ଯେଉଁଠି ଆଳୁ ୩୫ ରୁ ୪୦ ଟଙ୍କାରେ ଲୋକେ କିଣୁଥିଲେ ଆଜି ସକାଳୁ ସକାଳୁ ୫୦ ରୁ ୬୦ ଟଙ୍କାରେ କିଣିଥିବା ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ଏନେଇ ପୂର୍ବରୁ ଆଳୁ ଅଭାବ ହେଲେ ପଞ୍ଜାବରୁ ଆଳୁ ଆସିବ ବୋଲି କହିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଦେଖାଯାଉ ପୁଣି ଆଳୁର ବଢୁଥିବା ଦରକୁ କିପରି ନିୟନ୍ତ୍ରଣ କରୁଛନ୍ତି ଓଡିଶା ସରକାର ? ପଞ୍ଜାବ ଓ ଉତ୍ତରପ୍ରଦେଶ ମିଶିକି ଓଡିଶାରେ ଆଳୁ ଅଭାବ ପୂରଣ କରିପାରିବେ ନାଁ ପୁଣି ପଶ୍ଚିମବଙ୍ଗ ସହାୟତା ଲୋଡିବେ ସରକାର?

nis-ad
Leave A Reply

Your email address will not be published.