ନୀତି ଆୟୋଗ ବୈଠକକୁ ଗଲେନି ନୀତୀଶ କୁମାର,ବୈଠକରେ ଅଧାରୁ ଉଠିଗଲେ ମମତା

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ନବମ ବୈଠକ ବସି ଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଥିରେ ଯୋଗ ଦେଇ ନାହାନ୍ତି। ବହୁ ଅଣବିଜେପି ଶାଶିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଏହି ବୈଠକକୁ ବୟକଟ୍ କରିଛନ୍ତି।
କିନ୍ତୁ ବିଜେପି ନେତୃତ୍ୱାଧୀନ ଏନଡିଏର ନୀତୀଶ କୁମାରଙ୍କ ଜନତା ଦଳ(ୟୁନାଇଟେଡ) ସଦସ୍ୟ ଥିଲେ ମଧ୍ୟ ସେ ଏହି ବୈଠକରେ ଯୋଗ ଦେଇନଥିବା ଜଣାପଡ଼ିଛି। ବିହାର ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ନୀତି ଆୟୋଗ ବୈଠକରେ ଯୋଗ ଦେଇଛନ୍ତି।
ତେବେ ନୀତୀଶ କୁମାର କାହିଁକି ଯୋଗ ଦେଇନାହାନ୍ତି, ତାହା ଜଣାପଡ଼ି ନାହିଁ। ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, କେନ୍ଦ୍ର ପୁଡୁଚେରୀର ବଜେଟ ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ, ଯାହାକୁ ନେଇ ନୀତୀଶ କୁମାର ନୀତି ଆୟୋଗ ବୈଠକରେ ତାଙ୍କର କୌଣସି ଆବଶ୍ୟକତା ନଥିବା ଅନୁଭବ କରି ଯୋଗ ଦେଇନଥିବା କୁହାଯାଉଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଥାଏ। ଏଥିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏବଂ ଏକାଧିକ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥାନ୍ତି।
ଆଜିର ବୈଠକରେ ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନଙ୍କୁ ସରକାରଙ୍କ ପ୍ରମୁଖ ସଫଳତା ବାବଦରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେମାନଙ୍କ ରାଜ୍ୟରେ ସରକାରଙ୍କ ପ୍ରଦର୍ଶନ ଏବଂ ସରକାରୀ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ସେ ବାବଦରେ ଆଲୋଚନା କରିବାକୁ କୁହାଯାଇଥିଲା। ଏହି ବୈଠକକୁ ଇଣ୍ଡିଆ ବ୍ଲକର ଅନେକ ମୁଖ୍ୟମନ୍ତ୍ରୀ ବୟକଟ୍ କରିଛନ୍ତି। କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ତେଲାଙ୍ଗାନା, ତାମିଲନାଡ଼ୁ, କେରଳ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀମାନେ ବୈଠକକୁ ଯାଇନାହାନ୍ତି।
ଅନ୍ୟପକ୍ଷରେ ବୈଠକ ମଝିରୁ ଉଠି ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିଜ ଦାବି ରଖୁଥିବା ବେଳେ ମାଇକ୍‌କୁ ବନ୍ଦ କରି ଦିଆଯାଇଥିବା ଅଭିଯୋଗ ଆଣି ସେ ବୈଠକ ତ୍ୟାଗ କରିଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ନୀତି ଆୟୋଗ ବୈଠକକୁ ବହୁ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବର୍ଜନ କରିଥିବା ବେଳେ ନିଜ ରାଜ୍ୟର ସ୍ୱାର୍ଥ ପାଇଁ ଏହି ବୈଠକରେ ମମତା ବାନାର୍ଜୀ ଯୋଗ ଦେଇଥିଲେ। ତେବେ ବୈଠକରେ ତାଙ୍କୁ କହିବାକୁ ସୁଯୋଗ ଦିଆଯାଇ ନ ଥିବା ଅଭିଯୋଗ କରି ବର୍ଷିଛନ୍ତି ମମତା। କେନ୍ଦ୍ର ସରକାରଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣି ସେ କହିଛନ୍ତି, ବୈଠକରେ ମୁଁ ମୋ’ ନିଜ ରାଜ୍ୟର ସମସ୍ୟା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରିବାକୁ ଚାହୁଁଥିଲି। ମାତ୍ର ବୈଠକରେ ମୋତେ କେବଳ ୫ ମିନିଟ୍‌ କହିବାକୁ ଅନୁମତି ମିଳିଲା। କିନ୍ତୁ ଏହି ବୈଠକରେ ମୋ’ ପୂର୍ବରୁ ବହୁ ନେତା ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ନିଜ ଭାଷଣ ଦେଇଛନ୍ତି। ବୈଠକରେ ଆନ୍ଧ୍ର ପ୍ରଦେଶ, ଆସାମ, ଗୋଆ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ କହିବାକୁ ସୁଯୋଗ ଦିଆଯାଇଥିଲା। କିନ୍ତୁ ମୋତେ ଜାଣିଶୁଣି ଏପରି ଅପମାନିତ କରାଯାଇଛି।
ଏଥିସହ ସେ କହିଛନ୍ତି, ବୈଠକରେ ପଶ୍ଚିମବଙ୍ଗକୁ କେନ୍ଦ୍ର ଅନୁଦାନ ମିଳୁ ନ ଥିବା ପ୍ରସଙ୍ଗ ଉଠାଇଥିଲି। ଫଳରେ ମୋ’ ମାଇକ୍‌କୁ ବନ୍ଦ କରି ଦିଆଗଲା। ମୁଁ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମୋ’ ପ୍ରତି ଭେଦଭାବ କରାଯିବା ସହ ମୋ ନିଜ ପକ୍ଷ ରଖିବାକୁ ଦିଆଯାଉ ନ ଥିବା କହିଥିଲି। କିନ୍ତୁ କେହି ଶୁଣି ନ ଥିଲେ। ତେଣୁ ମୁଁ ତୁରନ୍ତ ବୈଠକ ସ୍ଥଳ ତ୍ୟାଗ କରିଥିଲି। ମୁଁ ବିପକ୍ଷ ଦଳର ହୋଇଥିବାରୁ ବୈଠକରେ ମୋତେ କହିବାକୁ ଅନୁମତି ମିଳିଲା ନାହିଁ। ଏହା କେବଳ ମୋ’ ପାଇଁ ନୁହେଁ, ସମସ୍ତ ଆଞ୍ଚଳିକ ରାଜନୈତିକ ଦଳ ପ୍ରତି ଅପମାନ । କାରଣ ବହୁ ଅଣବିଜେପି ମୁଖ୍ୟମନ୍ତ୍ରୀ ବୈଠକକୁ ବର୍ଜନ କରିଥିବା ବେଳେ ମୁଁ ଏଥିରେ ସାମିଲ ହୋଇଥିଲି। ଏଥିରେ କେନ୍ଦ୍ର ସରକାର ଖୁସି ହେବା ପରିବର୍ତ୍ତେ ନିଜ ପାର୍ଟି, ନିଜ ସରକାର ଓ ନିଜ ନେତାଙ୍କୁ ଅଧିକ ଗୁରୁତ୍ୱ ଦେଇ ମୋତେ ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିଥିବା କହିଛନ୍ତି ମମତା।
ବୈଠକରେ ଯୋଗ ଦେବା ପୂର୍ବରୁ ମମତା ବାନାର୍ଜୀ କହିଥିଲେ, ନିଜ ରାଜ୍ୟର ସମସ୍ୟା ଓ ଆବଶ୍ୟକତା ଉତ୍‌ଥାପନ କରିବାକୁ ନୀତି ଆୟୋଗ ବୈଠକକୁ ନିଶ୍ଚିତ ଯିବି। କିନ୍ତୁ ଏହାକୁ ଭାଙ୍ଗି ଦେବା ଉଚିତ, କାରଣ ଏହା ପାଖରେ କୌଣସି ଆର୍ଥକ କ୍ଷମତା ହିଁ। ମାତ୍ର ବୈଠକରେ ତାଙ୍କ କଥାକୁ ଗୁରୁତ୍ୱ ଦିଆ ନ ଗଲେ ସେ ମଝିରୁ ଉଠି ଚାଲିଯିବେ ବୋଲି ସେ ପୂର୍ବରୁ କହିଥିଲେ।

nis-ad
Leave A Reply

Your email address will not be published.