ହିଞ୍ଜିଳି କଂଗ୍ରେସ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ

ହିଞ୍ଜିଳିକାଟୁ : ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦାବୀର ସ୍ଥାୟୀ ସମାଧାନ ନେଇ ବୁଧବାର କଂଗ୍ରେସ ନେତା ରଜନୀକାନ୍ତ ପାଢିଙ୍କ ନେତୃତ୍ବରେ ହିଞ୍ଜିଳି କଂଗ୍ରେସ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି‌। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବୀ ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ହିଞ୍ଜିଳି ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀ ରଜନୀକାନ୍ତ ପାଢିଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ପ୍ରଥମେ ସ୍ଥାନୀୟ ପୈାରାଞ୍ଚଳ ବଇଁଚବଣିଆ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଦାବି ନେଇ ସ୍ଳୋଗାନ ଦେଇ ସହର ପରିକ୍ରମା କରିଥିଲେ।‌ ପରିବା ବଜାର ନିକଟସ୍ଥ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା।‌ ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକ ଡାକ୍ତର, କର୍ମଚାରୀ ଓ ଚିକିତ୍ସା ଉପକରଣ ଅଭାବ ରହିଥିବାରୁ ରୋଗୀ ଓ ସମ୍ପର୍କୀୟ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।‌ ବିଭିନ୍ନ ସମୟରେ ରୋଗୀମାନେ ଭୁବନେଶ୍ବର, କଟକ ଓ ବିଶାଖାପାଟଣା ମେଡ଼ିକାଲକୁ ଯାଇ ଅକାରଣରେ ଖର୍ଚ୍ଚାନ୍ତ ହେଉନଥିବାରୁ ତୁରନ୍ତ ଆବଶ୍ୟକ ଡାକ୍ତର, କର୍ମଚାରୀ ଓ ଚିକିତ୍ସା ଉପକରଣ ପ୍ରଦାନ କରିବା । ହିଞ୍ଜିଳି ‌ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ରହିଥିବା ୨୨୫ ଶିକ୍ଷକ ନିଯୁକ୍ତି, ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ପଞ୍ଜିକୃତ ଓ ଅଣପଞ୍ଜିକୃତ ହୋଇ ଚାଲିଥିବା ବହୁ ବେସରକାରୀ ବିଦ୍ୟାଳୟର ଆବଶ୍ୟକ ଭିତ୍ତିଭୂମୀ ଯାଞ୍ଚ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ । ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଦ୍ୟାଳୟ, ଦେବାଳୟ, ମୁଖ୍ୟ ରାସ୍ତା ଓ ଗ୍ରାମ ପରିବେଶ ନିକଟସ୍ଥ ଅଞ୍ଚଳରେ ବେଆଇନ ଭାବେ ବିକ୍ରି କରାଯାଉଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ସହ ହିଞ୍ଜିଳି ବ୍ଳକ ଦୁର୍ବନ୍ଧ ଶିବ ମନ୍ଦିର ନିକଟରେ ଚାଲିଥିବା ବେଆଇନ ଦେଶୀ ମଦ ଦୋକାନ, ନନ୍ଦିକ ଗ୍ରାମରେ ଚାଲିଥିବା ବେଆଇନ ବିଦେଶୀ ମଦ ଦୋକାନ. ଶେରଗଡ ବ୍ଳକ ବରମୁଣ୍ଡଳି ଗ୍ରାମ ନିକଟରେ ରହିଥିବା ଦେଶୀ ମଦ ଭାଟି ସହ ହିଞ୍ଜିଳିକାଟୁ ସହରର ଏନ ହେଚ ଉପରେ ଦେଶି ଓ ବିଦେଶୀ ମଦ ବିକ୍ରୀ କରୁଥିବାରୁ ତୁରନ୍ତ ବନ୍ଦ କରାଯାଉ । ହିଞ୍ଜିଳି ଓ ଶେରଗଡ ଅଞ୍ଚଳ ଦେଇ ପ୍ରବାହିତ ଋଷିକୂଲ୍ୟା ଓ ଘୋଡାହାଡ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ବନ୍ଦ କରିବା ସହ ଅର୍ଥ ତୋଷାରପାତ କରି ବାଲି ମାଫିଆଙ୍କୁ ପରୋକ୍ଷରେ ସହାନୁଭୁତି ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ହିଞ୍ଜିଳି ଓ ଶେରଗଡ ତହସିଲ ଅଞ୍ଚଳର ବିଭିନ୍ନ ପାହାଡରୁ ବେଆଇନ ପଥର ବ୍ଳାଷ୍ଟିଂ ବନ୍ଦ କରିବା ସହ ବେଆଇନ ଭାବେ ବାରୁଦ ମହଜୁଦ କରି ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ । ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ବାସଗୃହ ନିର୍ମାଣ କରି ବସତି ସ୍ଥାପନ କରି ରହି ଆସୁଥିବା ବ୍ୟକ୍ତିଙ୍କୁ ଜମିପଟ୍ଟା ପ୍ରଦାନ ପ୍ରମୁଖ ଦାବି ଉପସ୍ଥାପନ କରିଥିଲେ। ଉପରୋକ୍ତ ସମସ୍ୟାର ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ତହସିଲଦାର ସୁରଜ ବେହେରାଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଆସନ୍ତା ଅକ୍ଟୋବର ୨୦୨୪ ମଧ୍ୟରେ ଉପରୋକ୍ତ ସମସ୍ୟାର ସମାଧାନ କରାନଗଲେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହ ଗଣଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। ଏହାର ଏକାକିତା ନକଲ ଅବକାରୀ ବିଭାଗୀୟ ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ, ଗଞ୍ଜାମ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଅବକାରୀ ବିଭାଗୀୟ ଆରକ୍ଷୀ ଅଧିକ୍ଷକ ଓ ଖଣି ବିଭାଗୀୟ ନିର୍ଦ୍ଦେଶକଙ୍କୁ ପ୍ରେରଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ ହିଞ୍ଜିଳିକାଟୁ କଙ୍ଗ୍ରେସ ନଗର ସଭାପତି ସୁନାରାମ ସାବତ, ବେଣୁଧର ବିଷୋୟୀ, ସବିତା ସ୍ବାଇଁ, ଜୟନ୍ତୀ ଖଣ୍ଡୁଆଳ‌ , ଶତୃଘ୍ନ ନାୟକ, ନିରଞ୍ଜନ ମଲିକ, ଜିତେନ୍ଦ୍ର ସେଠି, ରଞ୍ଜନ ଗୈାଡ, ପ୍ରକାଶ ବିଷୋୟୀ, ଚିଣ୍ଟା ବୈଠାରୁ,ସନ୍ତୋଷ ସ୍ବାଇଁ, ରତ୍ନାକର ପଣ୍ଡା, ଅନିଲ ଡାକୁଆ, ଶିବରାମ ପଣ୍ଡା, ପ୍ରଫୁଲ ପ୍ରଧାନ, କୃଷ୍ଣ ଚନ୍ଦ୍ର ପଣ୍ଡା, ମିଥୁନ ଗୈାଡ, ଲକ୍ଷ୍ମଣ ପ୍ରଧାନଙ୍କ ସମେତ ୫ ଶହରୁ ଊର୍ଦ୍ଧ୍ବ କର୍ମୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.