ଇନ୍‌ଷ୍ଟାଗ୍ରାମରେ ରିଲ୍‌ କରି ହସାଉଥିଲେ ଲୋକଙ୍କୁ, ନାଗସାପ କାମୁଡ଼ାରେ ଆଖି ବୁଜିଦେଲେ ଯୁବତୀ

ରାଜସ୍ଥାନର ଟୋଙ୍କ୍‌ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଇନଷ୍ଟାଗ୍ରାମରେ ରିଲ୍ କରି ଲୋକଙ୍କୁ ହସାଉଥିବା ଜଣେ ଯୁବତୀ ନାଗସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି । ଯୁବତୀଙ୍କୁ ନାଗସାପ ଦଂଶନ କରିଥିଲା । ଆଉ ନାଗ ଚୋଟରେ ସବୁଦିନ ପାଇଁ ସେ ଆଖି ବୁଜି ଦେଇଥିଲେ । ଝିଅର ମୃତ୍ୟୁରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କ ପ୍ରଶଂସକମାନେ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ମୃତା ହେଉଛନ୍ତି ଘାଡ଼ ସହରର ଦୀପା ସାହୁ । ଜୁଲାଇ ୧୪ରେ ସେ ଶେଷ ରିଲ୍‌ କରିଥିଲେ ଏବଂ ଏହାକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଚାରି ଭାଇଭଉଣୀଙ୍କ ମଧ୍ୟରେ ଦ୍ୱିତୀୟ ହେଉଛନ୍ତି ଦୀପା । ପ୍ରାୟତଃ ରିଲ୍ କରି ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଥିଲେ ।

ସୂଚନା ମୁତାବକ, ସକାଳ ପ୍ରାୟ ୬ଟାରେ ଦୀପା ତାଙ୍କ ଘରର ଗାଈମାନଙ୍କ ପାଇଁ ଘାସ କାଟିବାକୁ ଯାଇଥିଲେ । ଏହି ସମୟରେ ଏକ ନାଗସାପ ତାଙ୍କ ଗୋଡ଼କୁ କାମୁଡି ଦେଇଥିଲା । ଦୀପାଙ୍କ ଚିତ୍କାର ଶୁଣି ଆଖାପାଖର ଲୋକେ ସେଠାରେ ପହଞ୍ଚି ସାପଟିକୁ ମାରି ଦେଇଥିଲେ ।

ଦୀପାଙ୍କୁ ଏକ ବ୍ୟକ୍ତିଗତ ଗାଡ଼ିରେ କୋଟା ନିଆଯାଇଥିଲା । ହେଲେ ଏହା ପୂର୍ବରୁ ବିଷ ତାଙ୍କ ଶରୀରରେ ଏତେ ମାତ୍ରାରେ ବ୍ୟାପି ଯାଇଥିଲା ଯେ ବାଟରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଦୀପାଙ୍କ ମୃତଦେହକୁ କୋଟାରେ ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ପରେ ପରିବାର ଲୋକେ ମୃତଦେହକୁ ଘାଡ଼ ନେଇ ଅନ୍ତିମ ସଂସ୍କାର କରିଛନ୍ତି ।

nis-ad
Leave A Reply

Your email address will not be published.