ଆଜି ରସଗୋଲା ଦିବସ

ଭୁବନେଶ୍ଵର: ସାରା ରାଜ୍ୟରେ ଆଜି ପାଳିତ ହେଉଛି ‘ରସଗୋଲା ଦିବସ’ । ରସଗୋଲା ହେଉଛି ମିଠାମାନଙ୍କ ରାଜା। ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ମଧ୍ୟରୁ ରସଗୋଲା ଅନ୍ୟତମ। କେତେକ ଓଡ଼ିଆ ଗବେଷକଙ୍କ ମତରେ ଜଗନ୍ନାଥ ପରମ୍ପରାରେ ରସଗୋଲାର ବ୍ୟବହାର ଦ୍ୱାଦଶ ଶତାବ୍ଦୀରୁ ଚାଲିଆସୁଛି। କୁହାଯାଏ ନୀଳାଦ୍ରି ବିଜେ ସମୟରେ ଅଭିମାନିନୀ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ଜଗନ୍ନାଥ ପତ୍ନୀଙ୍କୁ ରସଗୋଲା ଭେଟି ଦିଅନ୍ତି। ଏହାପରେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ପାରନ୍ତି।

ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲର ବେଶ୍ ଗୁରୁତ୍ୱ ରହିଛି । ପ୍ରତିବର୍ଷ ଚତୁର୍ଦ୍ଧା ମୂରତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଏହାସହ ସାରା ବିଶ୍ୱରେ ରସଗୋଲାକୁ ଅଧିକ ପରିଚିତ କରିବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସକୁ ପାଳନ କରାଯାଏ । ୨୦୧୫ ଜୁଲାଇ ୩୦ ନୀଳାଦ୍ରିବିଜେ ଦିନ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ତେବେ ରସଗୋଲାକୁ ନେଇ ଓଡି଼ଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଲାଗିଥିଲା । ହେଲେ ଓଡ଼ିଶାରେ ଦ୍ୱାଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ରସଗୋଲା ଭୋଗ ଲାଗି ହୋଇଆସୁଛି । ତେଣୁ ରସଗୋଲାର ଆରମ୍ଭ ଓଡିଶାରୁ ବୋଲି ଜଣାପଡିବା ପରେ ୨୦୧୬ ଜୁଲାଇ ୧୭ରୁ ରସଗୋଲା ଦିବସ ପାଳନ କରାଯାଉଛି ।

ବିଶ୍ୱାସ ରହିଛି ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଥିରେ ନେଇ ରଥାଯାତ୍ରାରେ ମା’ଲକ୍ଷ୍ମୀଙ୍କୁ ନଇଥିବାରୁ ବଡଠାକୁରଙ୍କ ଉପରେ ଅଭିମାନ କରିଥାନ୍ତି ମା’ଲକ୍ଷ୍ମୀ । ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ମନ୍ଦିର ଭିତରକୁ ବାରଣ ନାହିଁ । ହେଲେ କାଳିଆସାଆନ୍ତଙ୍କ ପାଇଁ ବାଟ ବନ୍ଦ କରିଦେଇଥାନ୍ତି ମା’ଲକ୍ଷ୍ମୀ ଠାକୁରାଣୀ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣିଲା ପରେ ମନ୍ଦିର ଭିତରକୁ ପ୍ରବେଶ ମିଳିବଥାଏ ।

nis-ad
Leave A Reply

Your email address will not be published.