ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ, ତୁରନ୍ତ ଦେଲେ ନିର୍ଦ୍ଦେଶ: ମୁମ୍ବାଇରୁ ଓଡିଶା ଆସିଲା ଶ୍ରମିକଙ୍କ ଶରୀର

ଭୁବନେଶ୍ୱର : ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ । ତୁରନ୍ତ ଦେଲେ ନିର୍ଦ୍ଦେଶ । ସୁଦୁର ମୁମ୍ବାଇରୁ ଓଡିଶା ଆସିଲା ଶ୍ରମିକଙ୍କ ମୃତ ଶରୀର । ପରିବାର ଲୋକଙ୍କୁ କଥା ଦେଇ କଥା ରଖିଲେ । ବାଲେଶ୍ୱର ଜିଲ୍ଲା ଖଇରାବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାପୁର ଗ୍ରାମର ମୁରଲୀଧର ମହାକୁଡ । ମୁମ୍ବାଇରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିଲେ । ଅସୁସ୍ଥତା ବଶତଃ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ମୁରଲୀଧରଙ୍କ ପରିବାର ଅତ୍ୟନ୍ତ ଗରିବ । ମୁମ୍ବାଇରୁ ମୁରଲୀଧରଙ୍କ ଶରୀର ଆଣିବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ନ ଥିଲା । ଯାହାଫଳରେ ଗାଁକୁ ଆଣି କ୍ରିୟାକର୍ମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପରିବାର ପକ୍ଷରୁ ନିବେଦନ କରାଯାଇଥିଲା।

ତେବେ ଏ ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ଏହି ଅସହାୟ ପରିବାରକୁ ସହଯୋଗ କରିବା ପାଇଁ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁରଲୀଙ୍କ ଶରୀରକୁ ଆମ୍ବୁଲାନ୍ସ ଯୋଗେ ଓଡିଶା ଆଣିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୁରଲୀଧରଙ୍କ ଶରୀର ନିଜ ଗ୍ରାମରେ ପହଞ୍ଚିଥିଲା । ତେବେ ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୁରଲୀଧରଙ୍କ ପତ୍ନୀ ଓ ଯୁକ୍ତ ଦୁଇ ପଢୁଥିବା ଏକମାତ୍ର ଝିଅ ବର୍ଷାରାଣୀଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ସମବେଦନା ଜଣାଇଥିଲେ।

ତେବେ ମୁଖ୍ୟମନ୍ତ୍ରୀ ମୁରଲୀଙ୍କ ପତ୍ନୀ ଓ ଝିଅଙ୍କୁ କହିଥିଲେ ଯେ ”ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ଧୈର୍ଯ୍ୟ ରଖନ୍ତୁ । ମୁଁ ଆପଣଙ୍କ ସହିତ ଅଛି । ଏହାସହ ଝିଅକୁ କହିଥିଲେ ତୁମେ ଭଲ ପାଠ ପଢୁଛ । ତୁମେ କିପରି ପାଠ ପଢା ଜାରି ରଖିବ ସେଥିପାଇଁ ସେ ସହଯୋଗ କରିବେ। ” ଏହାସହିତ ଭଲ ପାଠ ପଢି ସମାଜରେ ପ୍ରତିଷ୍ଠିତ ହେବାକୁ ସେ ଆଶୀର୍ବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀ ପରଲୋକଗତ ମୁରଲିଧରଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ।

ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତା ଭିତରେ ଜଣେ ସମ୍ବେଦନଶୀଳ ମଣିଷ ଭାବେ ମୁଖ୍ୟମନ୍ତ୍ରୀ ଯେଭଳି ଜଣେ ସାଧାରଣ ଲୋକର ଭାବାବେଗକୁ ଗୁରୁତ୍ୱ ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ସେଥିପାଇଁ ମୁରଲୀଧରଙ୍କ ପରିବାର କୃତଜ୍ଞତା ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.