ହିତାଧିକାରୀଙ୍କ ଠାରୁ ଋଣଟଙ୍କା ଆଦାୟ କରି ଆକାଉଣ୍ଟରେ ଜମା ନକରି ୧ଲକ୍ଷ ୭୦ ହଜାର ଟଙ୍କା ଠକିନେବା ଅଭିଯୋଗରେ ଜଣେ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ଓର୍କେଲ ପୋଲିସକୁ ମିଳିଛି ଏକ ବଡ ସଫଳତା । ବହୁ ହିତାଧିକାରୀଙ୍କ ଠାରୁ ଋଣ କିସ୍ତି ଟଙ୍କା ଆଦାୟ କରି ସେମାନଙ୍କ ଆକାଉଣ୍ଟ ଜମା ନକରି ୧ଲକ୍ଷ ୭୦ହଜାର ଟଙ୍କା ଠକିନେଇ ଦିର୍ଘବର୍ଷ ଧରି ଫେରାର ହୋଇଯାଇଥିବା କିଶୋର ସର୍ଦାର ନାମକ ବ୍ୟକ୍ତିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗିରଫ ହୋଇଥିବା କିଶୋରଙ୍କ ଘର ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ଅଧୀନସ୍ତ ଏମ ଭି -୫୨ ନମ୍ବର ଗାଁରେ ବୋଲି ଜଣା ପଡ଼ିଛି । କିଶୋରଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ ଓ ନଗଦ ୬୦ହଜାର ଟଙ୍କାପୋଲିସ ଜବତ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ,ଗତ ୨୦୨୧ ମସିହାରେ ଭାରତ ଫାଇନାନ୍ସ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥା ବାଲିମେଳା ସହରର ଦୈନିକ ବଜାରରେ ଖୋଲାଯାଇ ଥିଲା । ଏହି ସଂସ୍ଥା ପକ୍ଷରୁ ବାଲିମେଳା ସହର ସମେତ ଆଖ ପାଖ ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମରେ ରହୁଥିବା ମହିଳା ମାନଙ୍କୁ ନେଇ ସେମାନଙ୍କ ମଧ୍ୟରେ ଏକ ଏକ ଗ୍ରୁପ କରି ସେମାନଙ୍କୁ ଟଙ୍କା ଋଣ ଦିଆଯାଇଥିଲା । ପ୍ରତି ମାସରେ ଧାର୍ଯ୍ୟ ଦିନ ମାନଙ୍କରେ ସେମାନଙ୍କ ଠାରୁ କିସ୍ତି ଅନୁସାରେ ଟଙ୍କା ଏହି ସଂସ୍ଥାରେ କାର୍ଯ୍ୟରତ ଥିବା କିଶୋର ସର୍ଦାର ନାମକ ବ୍ୟକ୍ତି ଆଦାୟ କରୁଥିଲେ ।କିନ୍ତୁ କିଶୋର ହିତାଧିକାରୀଙ୍କ ଠାରୁ ଆଦାୟ କରୁଥିବା ଟଙ୍କାକୁ ତାଙ୍କ ଋଣ ଖାତାରେ ଜମା ନକରି ପ୍ରାୟ ୧ ଲକ୍ଷ ୭୦ ହଜାର ଟଙ୍କା ନେଇ ଗତ ୨୮-୪-୨୦୨୨ ରିଖରୁ କେଉଁଆଡ଼େ ଫେରାର ହୋଇ ଯାଇଥିଲେ ।ଏନେଇ ଉକ୍ତ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜର ମୋହନ ସାଗରୀଆ ଗତ-୪-୫-୨୦୨୨ରିଖରେ ଓର୍କେଲ ଥାନାରେ ଦ୍ୱାରସ୍ଥ ହୋଇ କର୍ମଚାରୀ କିଶୋରଙ୍କ ବିରୁଦ୍ଧରେ ଏକ ଲିଖିତ ଅତଲା ପ୍ରଦାନ କରିଥିଲେ ।ଉକ୍ତ ଅତଲାକୁ ଭିତ୍ତିକେଇ ସେହିଦିନ ଥାନାରେ ୮୪/୨୨ଦଫା ୪୨୦,୪୦୮ଦଫାରେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇବା ସହ ଫେରାର ଥିବା କିଶୋରଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଥିଲା । ଏକ ବିଶେଷ ସୂତ୍ରରୁ ଖବର ପାଇବା ପରେ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସ ଆଇ ଅଜିତ ସିଂ ବରିହାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଏମ ଭି-୧୨୦ଗ୍ରାମରେ ପହଞ୍ଚି ଘଟଣାରେ ସଂପୃକ୍ତ ଥିବା କିଶୋରଙ୍କୁ ତାଙ୍କ ଭଉଣୀଙ୍କ ଘରୁ ଗିରଫ କରି ଥାନାକୁ ଆଣିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଗିରଫ ହୋଇଥିବା କିଶୋରଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ ଓ ନଗଦ ୬୦ହଜାର ଟଙ୍କା ଜବତ କରାଯାଇଛି ବୋଲି ଏସ ଆଇ ଅଜିତ ସିଂ ବରିହା ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.