ଧ୍ବଂସ ଅଭିମୁଖେ ସଂରକ୍ଷିତ ଜଙ୍ଗଳ :ଜଙ୍ଗଳ ସଫା ହୋଇ ଚାଷ ଜମି ପାଲଟୁଛି ହାତିଗାଁ ସଂରକ୍ଷିତ ଜଙ୍ଗଳ…

ବନ ବିଭାଗ ର ଜ୍ଞାତ ସାରରେ ଚାଲିଛି ଜଙ୍ଗଲ କଟା…!

  • ୪୦୦ ଏକର ଜଙ୍ଗଳରେ ମକା ଚାଷ ପାଇଁ ପ୍ରସ୍ତୁତି.

ଉମରକୋଟ /ରାଇଘର (୧୫/୦୭/୨୦୨୪)ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାତିଗାଁ ସଂରକ୍ଷିତ ଜଂଗଲ ଏବେ ଚାଷ ଜମିରେ ପରିଣତ ହେବାରେ ଲାଗିଛି l ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଫାଟ ଓ ତିକ୍ତତା ବଢୁଛି , ସୁରକ୍ଷା ସମିତିର ନିଷ୍କ୍ରିୟତା ସହିତ ବନ ବିଭାଗର ଅବହେଳା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ସବୁଠାରୁ ବଡ଼ ଏହିି ସଂରକ୍ଷିତ ଜଂଗଲ ଏବେ ଧ୍ବଂସ ଅଭିମୂଖ। ଗତକାଲି ଏହିି ସଂରକ୍ଷିତ ଜଂଗଲରେ ଖାଲେପାରା ଗ୍ରାମର କିଛି ପରିବାର ଟ୍ରାକ୍ଟର ଲଗାଇ ଚାଷ କରୁଥିବା ବେଳେ ଉକ୍ତ ଗ୍ରାମର ଅନ୍ୟ ଲୋକେ ଏହାକୁ ବିରୋଧ କରିଥିଲେ ଏ ନେଇ ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ କୌଣସି ଆଧିକାରୀ କର୍ଣ୍ଣପାତ କରି ନ ଥିବାରୁ ଶେଷରେ ଜଙ୍ଗଲକୁ ଯାଇ ଚାଷ କରୁଥିବା ଲୋକଙ୍କୁ ତାଗିଦ କରି ତଡ଼ିଥିଲେ। ତେବେ ଏହି ସଂରକ୍ଷିତ ଜଂଗଲର ପ୍ରାୟ ୪ ଶହ ଏକର ଜମିରେ ଟ୍ରାକ୍ଟର ଲଗାଇ ଚାଷ କରାଯାଇଥିବା ଦେଖିବାକୁ ମିଳିଛି। ବନ ବିଭାଗ ଏପଟେ ଗଛ ଲଗାଇ କୂତ୍ରିମ ଜଂଗଲ ସୃଷ୍ଟି କରୁଥିବା ବେଳେ ହଜାର ହଜାର ବର୍ଷର ଏ ସଂରକ୍ଷିତ ଜଂଗଲ ଏବେ ଟାଙ୍ଗରା ଭୂଇଁ ପାଲଟି ଗଲାଣି। ସୁଚନା ଅନୁଯାୟୀ ହାତିଗାଁ ସଂରକ୍ଷିତ ଜଂଗଲର ଖାଲେପାରା ଅଞ୍ଚଳରେ ପ୍ରାୟ ଶହ ଶହ ଏକର ଜଂଗଲରୁ ଗଛ କାଟି ଚାଷ ଜମି ଭାବେ ବ୍ୟବହାରକୁ ନେଇ ଉକ୍ତ ଗ୍ରାମର ଗ୍ରାମ ବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଉକ୍ତ ଗ୍ରାମର ୧୦ ରୁ ୧୨ ପରିବାର ଗଛ କାଟି ସଫା କରି ଚାଷ କରୁଥିବା ବେଳେ ବାକିତକ ଗ୍ରାମବାସୀ ଏହାକୁ ବିରୋଧ କରି ଆସୁଥିଲେ। ଗତ ଦୁଇ ବର୍ଷ ପୂର୍ବେ ବନ ବିଭାଗ ଏଥିରେ ହସ୍ତକ୍ଷେପ କରି ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ଏକର ଜଂଗଲକୁ ଉଦ୍ଧାର କରି ସୁରକ୍ଷା ନିମନ୍ତେ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ଉଦ୍ଧାର ହୋଇଥିବା ଖାଲି ସ୍ଥାନରେ ନୂତନ ଜଙ୍ଗଲ ସୃଷ୍ଟି କରିବାରେ ଗୁରୁତ୍ୱ ନ ଦେବା ଫଳରେ ଏବେ ଏହି ଜମିକୁ ନେଇ ପ୍ରତି ବର୍ଷ ଚାଷ ସମୟରେ ଉତ୍ତେଜନା ଦେଖା ଦେଉଛି। ଗତକାଲି ଉକ୍ତ ଜଂଗଲ ଜମିରେ କିଛି ଲୋକ ଟ୍ରାକ୍ଟର ଲଗାଇ ଚାଷ କରୁଥିବା ବେଳେ ଖାଲେପାରା ଗ୍ରାମର ଜଙ୍ଗଲ ସୁରକ୍ଷା କରୁଥିବା ରାମଚନ୍ ଗଣ୍ଡ , ମାନସିଂ ଗଣ୍ଡ , ଅମିଲ ଗଣ୍ଡ ଓ ସନ୍ତୁ ଗଣ୍ଡଙ୍କ ନେତୃତ୍ବରେ ଶତାଧିକ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର ଗୁଡ଼ିକକୁ ହଟାଇଥିଲେ। ଏଥିସହିତ ଘଟଣା ସ୍ଥଳରୁ ନବରଙ୍ଗପୁର ଡି ଏଫ୍ ଓ ଓ ରାଇଘର ରେଞ୍ଜର୍ ଙ୍କୁ ଫୋନ କରି ଅବଗତ କରାଇଥିଲେ କିନ୍ତୁ ବନ ବିଭାଗର କୌଣସି ପ୍ରତିକ୍ରିୟା ନ ମିଳିବାରୁ ଶେଷରେ ସେମନେ ଚାଷ ହୋଇଥିବା ଜଂଗଲକୁ ନିଜେ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ। ଏଥିସହିତ ତୁରନ୍ତ ବନ ବିଭାଗ ଉକ୍ତ ଜଂଗଲରେ କଟା ଯାଇଥିବା ଗଛ ର ସ୍ଥାନରେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ଦାବୀ କରିଛନ୍ତି। ଏଥିସହିତ ହାତିଗାଁ ସଂରକ୍ଷିତ ଜଂଗଲକୁ ମାଫିଆ ରାଜନେତା ଓ କୋଟିପତି ଚାଷୀଙ୍କ କବଳରୁ ବନ ବିଭାଗ ଉଦ୍ଧାର କରିବାକୁ ଦାବୀ କରିଛନ୍ତି। ଅନ୍ୟପଟେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଏକ ଟିମ୍ ଜଂଗଲ ମଧ୍ୟକୁ ଯାଇ ତଦନ୍ତ କରି ଫେରିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ଥାଉକି ଦୀର୍ଘ ୧୫ ରୁ ୨୦ ବର୍ଷ ଧରି ଜଂଗଲ ମାଫିଆ ମାନେ ହାତିଗାଁ ସଂରକ୍ଷିତ ଜଂଗଲରୁ ଗଛ କାଟି ବଡ଼ ବଡ଼ ଚାଷୀ ତଥା ରାଜନେତାଙ୍କୁ ବିକ୍ରି କରି ଆସୁଥିବା ଦେଖିବାକୁ ମିଳିଛି। ରାଜନେତାଙ୍କ ପ୍ରଭାବ ଓ କୋଟିପତି ଚାଷୀ ଏହିି ଜଂଗଲ ଜମିରେ ନିଜ ନିଜର ପ୍ରତିଆରା ବଜାଇ ରଖିଥିବା ଫଳରେ ଦିନକୁ ଦିନ ଜଂଗଲ କ୍ଷୟ ହେଉଥିବା ସହିତ ଭୟ ଏବଂ ଟଙ୍କାର ଲୋଭ ଯୋଗୁଁ ବନ ବିଭାଗ ଏଠି ନିଷ୍କ୍ରିୟ ମନେ ହେଉଛି। ତେବେ ବନ ବିଭାଗ ର କାଗଜପତ୍ରରେ ସଂରକ୍ଷିତ ଜଂଗଲ ରହିଥିଲେ ହେଁ ମାନଚିତ୍ର ରେ କିଛି ଦିନ ମଧ୍ୟରେ ହାତିଗାଁ ଜଂଗଲ ଉଭାନ ହୋଇଯିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ, ବୁଦ୍ଧିଜୀବି ଓ ସାଧାରଣ ମହଲରେ ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.