ମୁକ୍ତା ଯୋଜନାରେ ପୋଖରୀ ସଂକୁଚିତ ହେଉଥିବା ଅଭିଯୋଗ

ବ୍ରହ୍ମପୁର : ଆସନ୍ତା ଦିନରେ ପାଣିର ଅଭାବରୁ ରକ୍ଷା ପାଇବାପାଇଁ ଜଳ ଉଚ୍ଛ ଗୁଡିକର ସୁରକ୍ଷା ନିହାତି ଆବଶ୍ୟକ l ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରରେ ଥିବା ବହୁ ପୁରାତନ ପୋଖରୀ ଗୁଡିକର ଜବରଦଖଲ ହଟାଇବା, ପୋଖରୀ ଗୁଡିକରେ ଆବର୍ଜନା ନ ପକାଇବା ପାଇଁ ସଚେତନତା ସୃଷ୍ଟି କରିବା, ପୋଖରୀରୁ ନିୟମିତ ଦଳ, ପଙ୍କ ବାହାର କରି ପୋଖରୀ ଗୁଡିକୁ ବ୍ୟବହାର ଉପଯୋଗୀ କରିବା ଆଦି ଦାବିନେଇ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ସୂଚନା ଯୋଗ୍ୟ ଯେ,ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା ମାଧ୍ୟମରେ ପୋଖରୀର ପଙ୍କ ବାହାର କରିବା ସହ ପୋଖରୀ ଭିତରକୁ ପୁଣି ୧୫ଫୁଟ ମାଟି ପକାଇ ସେଠାରେ ଗଛ ଲଗାଇବା ଭଳି ଯୋଜନା ଦ୍ୱାରା ପୋଖରୀ ଅଧିକ ସଂକୁଚିତ ହେବ ଓ ଜଳ ଧାରଣ କ୍ଷମତା କମିବ l ସୌନ୍ଦର୍ଯ୍ୟକରଣ ନାଁ ରେ ପୋଖରୀକୁ ସଂକୁଚିତ କରାଗଲେ ଆସନ୍ତା ଦିନରେ ଜଳ ଉଚ୍ଛ ଗୁଡିକ ଶୁଖିଯାଇ ଜଳ କଷ୍ଟ ବହୁ ମାତ୍ରାରେ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ମଞ୍ଚ ଆବାହକ ଅବନୀ ଗୟା ପ୍ରକାଶ କରିଛନ୍ତି l ଏତଦସହ ମୌସୁମୀ ଆସିଯାଇଥିବା ସତ୍ୱେ ସହରର ଅଧିକାଂଶ ପୋଖରୀ କାମ ଅଧା ପନ୍ତରିଆ ଭାବେ ରହି କାମ ଶେଷ ହୋଇନାହିଁ l ପୋଖରୀ ହୁଡ଼ା ମାଟି ବର୍ଷା ଜଳରେ ଧୋଇ ନ ଯିବା ପାଇଁ ହୁଡାରେ ପଥର ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଖଞ୍ଜା ଯାଇନାହିଁ l ଏଣୁ ଏ ପ୍ରକାର ଯୋଜନା କେବଳ ରାଜସ୍ବରୁ ଅର୍ଥ ବାରବାଦ ପାଇଁ ଉଦ୍ଧିଷ୍ଟ, ଏଥିରେ ପୋଖରୀର ଆବଶ୍ୟକ ପୁନରୁଦ୍ଧାର ହେବ ନାହିଁ ବୋଲି ମଞ୍ଚ ଅଭିଯୋଗ କରିଛି l ଖଡାସିଙ୍ଗି ଅଂଚଳର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ରାଉତ ବନ୍ଧ ପୋଖରୀରୁ ଦଳ, ପଙ୍କ ବାହାର କରିବା, ବିଜିପୁର ସନ୍ତୋଷୀ ମା ମନ୍ଦିର ପଛ ପୋଖରୀ ଓ ଚାଞ୍ଚଡାପଡିଆ ସ୍ଥିତ ନାଇଡ଼ୁ ବନ୍ଧରୁ ପଙ୍କ ଦଳ ବାହାର କରିବା ନାଁ ରେ ପୋଖରୀରୁ ପାଣି ବାହାର କରିଦିଆଗଲା କିନ୍ତୁ କାମ ଆରମ୍ଭ ହୋଇନାହିଁ l ଏଣୁ ସହରରେ ଏ ପ୍ରକାର ପୋଖରୀ ନାଁ ରେ କୋଟି କୋଟି ଟଙ୍କା ଲୁଟ କରିବା ଭଳି ଯୋଜନାର ଉପଯୁକ୍ତ ତଦନ୍ତ କରାଯିବାକୁ ମଞ୍ଚ ଦାବୀ କରିଛି l ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର, ସlମ୍ବଶିବା ରାଓ, ଅଳକନାଥ ମିଶ୍ର,ପ୍ରଫୁଲ କୁମାର ଜେନା,ବିଜୟ କୁମାର ପାଢ଼ୀ,ମନୋଜ କୁମାର ତରାଇ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସାଲ୍ଲା କେଶବ ଲିଙ୍ଗମ,ଟିଟୁ ବେହେରା ପ୍ରମୁଖ ନିଗମ କମିଶନରଙ୍କ ସହ ଆଲୋଚନା କରି ପୋଖରୀ ଗୁଡିକର ସୁରକ୍ଷା ପାଇଁ ଦାବୀ ଉପସ୍ଥାପନ କରିଛନ୍ତି l

nis-ad
Leave A Reply

Your email address will not be published.