ସ୍ୱାତୀ ଅନୁଷ୍ଠାନ ଦ୍ୱାରା “ଗର୍ଭବତୀ ‘ମା’ ପାଇଁ ଫଳଗଛଟିଏ” ଅଭିଯାନର ଶୁଭାରମ୍ଭ

ଫୁଲବାଣୀ : ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଜଣେ ଗର୍ଭବତୀ ଗୋଟିଏ ସୁସ୍ଥ ଶିଶୁ ଜନ୍ମଦେବାରେ ସୁଷମ ଆହାରର ଗୁରୁତ୍ୱ ଯଥେଷ୍ଟ ରହିଛି । ଏହି ପରିପ୍ରେକ୍ଷି ରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାତୀ’, ଜାତିୟ ସ୍ୱାସ୍ଥ୍ୟ ମିଶନ କନ୍ଧମାଳ ଓ ମିଲେଟ୍ ମିଶନ୍ ଟିକାବାଲି ଙ୍କ ମିଳିତ ସହଯୋଗରେ ଟିକାବାଲି ବ୍ଲକ୍ ଅର୍ନ୍ତଗତ ପାଡାଙ୍ଗି ପଂଚାୟତ କାର୍ଯ୍ୟାଳୟ ଠାରେ “ସୁରକ୍ଷିତ ମାତୃତ୍ୱରେ ଶୁଷମ ଆହାରର ଗୁରୁତ୍ୱ ଓ “କ୍ଷୁଦ୍ରଦାନା ଶଶ୍ୟ”ର ଉପକାରିତା” ଶିର୍ଷକ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି କର୍ମଶାଳାରେ ସ୍ଥାନିୟ ଜି.ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୂଖ୍ୟଅତିଥି ଭାବେ ଉପସ୍ଥିତ ରହି ଆଗାମି କାଲିର ଭବିଷ୍ୟତ କୁହାଯାଉଥିବା କୋମଳମତି ଶିଶୁ ମାନଙ୍କ ର ଦାୟିତ୍ୱ ନେଇଥିବା ମା ମାନେ ଯଦି ସଫଳତା ର ସହ ଜନ୍ମରୁ ୦୬ ବର୍ଷ ପର୍ଯ୍ୟନ୍ତ ସଠିକ ଭାବରେ ଯତ୍ନ ନେଇ ପାରନ୍ତି ତେବେ ଆମ ଅଂଚଳର ସମସ୍ତ ଶିଶୁ ନିଶ୍ଚିତ ଭାବେ ବୁଦ୍ଧିମାନ ଓ କୌଶଳୀ ହୋଇପାରିବେ ବୋଲି ମତ ଦେଇଥିଲେ । ଆହୁରିମଧ୍ୟ ନିଜ ଘରବାଡି ରେ ମିଳୁଥିବା ସଜନା, ଅମୃତଭଣ୍ଡା, କଦଳି ଓ ବିଭିନ୍ନ ପାଚିଲା ଫଳ ଖାଦ୍ୟରୂପେ ବ୍ୟବହାର କଲେ ସେଥିରୁ ସଠିକ୍ ପୋଷଣ ତତ୍ୱ ମିଳିପାରିବ ବୋଲି କହିଥିଲେ । ତତ୍ ସହିତ ସ୍ଥାନିୟ ଗୁଟିଙ୍ଗିଆ ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରି ଡାକ୍ତର ହିମାଂଶୁ ସେଖର ଉପାଧ୍ୟାୟ କାର୍ଯ୍ୟକ୍ରମରେ ଯୋଗଦେଇ ଅବୁଝା ଭାବେ ରହି ଯାଉଥିବା ପରିବାରଙ୍କୁ ସଚେତନ କରିବା ନିମନ୍ତେ ଆଗଧାଡିର ସ୍ୱାସ୍ଥ୍ୟସେବା /ସେବକ ମାନେ ଆହୁରି ଅଧିକରୁ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ ଏବଂ ମା ମାନେ ବିଭିନ୍ନ ଆଲୋଚନା ଚକ୍ରରୁ ପାଉଥିବା ଉପଦେଶ ଗୁଡିକୁ ନିଜ ପରିବାରରେ ବ୍ୟବହାର କଲେ ଆଗକୁ ନିଜର ଶିଶୁ ଦେଶର ଜଣେ ସୁନାଗରିକ ହୋଇପାରିବ ବୋଲି ମଧ୍ୟ ମତ ରଖିଥିଲେ । ଅନୁଷ୍ଠାନର ସଂଯୋଜକ ବିଶ୍ୱରଞ୍ଜନ କର ଯୋଗ ଦେଇ ଟିକାବାଲି ଛତିଝାର ଠାରେ ଅବସ୍ଥାପିତ ମା ଗୃହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୂଖ୍ୟ ଏବଂ ଏହାର ସେବା ସମ୍ପର୍କରେ ଅବଗତ କରାଇ ଥିଲେ । ମା ଗୃହ ଟିକାବାଲି ର ସଂଯୋଜକ ମାମିନା କହଁର ମା ଗୃହରେ ଗର୍ଭବତି ମା ମାନଙ୍କୁ ଦିଆଯାଉଥିବା ପରାମର୍ଶ ସେବା, ଖାଦ୍ୟ ଓ ସ୍ୱାସ୍ଥ୍ୟ ସଂପର୍କିତ ସେବା ବିଷୟ ରେ ଉପସ୍ଥାପନା କରିଥିଲେ । ସଂପାଦକ ହରି ଶଙ୍କର ରାଉତ ବିଧାୟକଙ୍କ ଦିର୍ଘ ୫୦ ବର୍ଷ ଧରି ଜାରି ରଖିଥିବା ସମାଜସେବା ର ଅଭିଜ୍ଞତା ଆଗାମି ଦିନରେ ନିଶ୍ଚିତ ଅଂଚଳ ବାଶି ଙ୍କୁ ଆଗକୁ ନେବାରେ ସହାୟତା ଦେବ ବୋଲି କହିବା ସହ ତାଙ୍କୁ ଉତରିୟ ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ “ଗର୍ଭବତୀ ‘ମା’ପାଇଁ ଫଳଗଛ ଟିଏ” ଆଧାରରେ ମୂଖ୍ୟଅତିଥି ଓ ଅନ୍ୟ ସମସ୍ତ ଅତିଥି ମାନଙ୍କ ଦ୍ୱାରା ପଂଚାୟତ କାର୍ଯ୍ୟାଳୟ ପରିଶରରେ କିଛି ଫଳଗଛ ଲଗାଯିବା ସହ ନିକଟସ୍ଥ ଜଣେ ଗର୍ଭବତି ଙ୍କ ବାଡିରେ ମଧ୍ୟ ଫଳଗଛ ରୋପଣ କରାଯାଇଥିଲା ।

କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଂଚ ଶୁଭଲକ୍ଷ୍ମୀ ପ୍ରଧାନ ଓ ସମିତି ସଭ୍ୟା ତପଶ୍ୱିନି ବେହେରା ସାମିଲ ହୋଇ ତାଙ୍କ ବକ୍ତବ୍ୟ ରେ ଜନସାଧାରଣ ବିଶେଶ କରି ମହିଳା ମାନେ ଅଧିକ ସଚେତନ ହୋଇ ଶିଶୁ ମାନଙ୍କ ର ସଠିକ୍ ଯତ୍ନ ନେବାପାଇଁ ଅନୁରୋଧ କରିଥିଲେ । ସେହିପରି ପାଡାଙ୍ଗି ଅଂଚଳର ସ୍ୱାସ୍ଥ୍ୟ କର୍ମି ସଂଧ୍ୟାରାଣୀ ପ୍ରଧାନ ଓ ଶୁଭଲକ୍ଷ୍ମୀ ବେହେରା ଉପସ୍ଥିତ ରହି ରକ୍ତହିନତା କୁ ଦୂରେଇବା ପାଇଁ ସନ୍ତୁଳିତ ଆହାର ଖାଇବା ସହ ଦୁଇଟି ସନ୍ତାନ ମଧ୍ୟରେ ଅନ୍ୟୁନ୍ନ ତିନି ବର୍ଷ ର ଅନ୍ତର ରଖିବାକୁ ଆହ୍ୱାନ ଦେଇଥିଲେ । ବରିଷ୍ଠ କର୍ମୀ ଗିରିଶ ଚନ୍ଦ୍ର ସାମଲ ମଂଚ ପରିଚାଳନା କରିଥିବା ବେଳେ ସୁସ୍ମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ମା ଗୃହ ତରଫରୁ ସୁନେମିୟା ଦିଗାଲ, ସ୍ୱାତୀ ମିଲେଟ ମିଶନ କର୍ମୀ ଅନନ୍ତ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳ ର ୧୦୦ ରୁ ଅଧିକ ଆଶା ଓ ଅଙ୍ଗନଓାଡ କର୍ମୀ , ସ୍ୱୟଂସହାୟକ ଦଳର ସଦସ୍ୟା ପ୍ରସୁତି ଓ ଗର୍ଭବତୀ, ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.