ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ ହେଲା ସମ୍ପୂର୍ଣ୍ଣତା ଅଭିଯାନ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାରେ ସଂପୂର୍ଣ୍ଣତା ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଓ ଜିଲ୍ଲାପାଳ, ସଚିନ ପାୱାରଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଅଛି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଡିଏନକେ ଖେଳ ପଡିଆ ପର୍ଯ୍ୟନ୍ତ ପ୍ରଭାତ ଫେରି କରାଯାଇ ସଂପୂର୍ଣ୍ଣତା ଅଭିଯାନ ଉପରେ ସ୍ଳୋଗାନ ଦିଆଯାଇଛି। ତତ୍ ପରେ ଡିଏନକେ ଖେଳ ପଡିଆ ଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ସଚେତନତା ବାର୍ତ୍ତା ନେଇ ଏକ ମଶାଲ ଶୋଭାଯାତ୍ରା ବାହାରିଥିଲା। ସେଠାରେ ପହଞ୍ଚି ଜିଲ୍ଲା ପାଠାଗାର ପରିସରରେ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ। ବୃକ୍ଷ ରୋପଣ ପରେ ନୃତ୍ୟ, ରଙ୍ଗଲି, ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଅପରାହ୍ନରେ ସଂସ୍କୃତି ଭବନ ଠାରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ, ଅଧ୍ୟକ୍ଷା, ସମାରୀ ତାଙ୍ଗୁଲ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା ଓ କୃଷକ ମାନଙ୍କୁ ମୃତ୍ତିକା ସ୍ଵାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା। ସଂପୂର୍ଣ୍ଣତା ଅଭିଯାନ ନେଇ ସାମୁହିକ ଶପଥ ପାଠ କରାଯାଇଥିଲା। ସେହିପରି ବିଭିନ୍ନ ବିଭାଗର ପ୍ରଦର୍ଶନୀ ଷ୍ଟଲ୍ ସହ ସିଗ୍ନେଚର୍ କାମ୍ପେନ ଆୟୋଜନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ସମ୍ପୂର୍ଣ୍ଣତା ଅଭିଯାନ ନେଇ ସମସ୍ତ ଆକାଂକ୍ଷୀ ବ୍ଲକରେ ଚିହ୍ନଟ ହୋଇଥିବା ଛଅଟି ପ୍ରମୁଖ ପ୍ରଦର୍ଶନ ସୂଚକ ହାସଲ କରିବା ଉପରେ ଧ୍ୟାନ ଦିଆଯିବ । ସୂଚନା ଥାଉ କି, ନୀତି ଆୟୋଗ ସମଗ୍ର ଦେଶର ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକଗୁଡିକରେ ଛଅଟି ପ୍ରମୁଖ ସୂଚକାଙ୍କ ହାସଲ କରିବା ପାଇଁ ନିରନ୍ତର ପ୍ରୟାସ ଆରମ୍ଭ କରିବା ପାଇଁ ଜୁଲାଇ ୧ ଠାରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ତିନି ମାସର ଅଭିଯାନ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ କରିଛି। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ୧୧୨ଟି ଆକାଂକ୍ଷୀ ଜିଲ୍ଲା ଏବଂ ୫୦୦ଟି ଆକାଂକ୍ଷୀ ବ୍ଲକରେ ଚିହ୍ନଟ ହୋଇଥିବା ଛଅଟି ସୂଚକାଙ୍କ ମଧ୍ୟରୁ ପ୍ରତ୍ୟେକରେ ସମନ୍ୱୟ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି।ପ୍ରଥମ ତ୍ରୈମାସିକ ମଧ୍ୟରେ ପ୍ରସବକାଳୀନ ଯତ୍ନ ପାଇଁ ପଞ୍ଜୀକୃତ ହୋଇଥିବା ଗର୍ଭବତୀ ମହିଳାଙ୍କ ପ୍ରତିଶତ, ଆଇସିଡିଏସ କାର୍ଯ୍ୟକ୍ରମ ଅଧୀନରେ ସପ୍ଲିମେଣ୍ଟାରୀ ପୋଷଣ ନେଉଥିବା ଗର୍ଭବତୀ ମହିଳାଙ୍କ ପ୍ରତିଶତ,ସମ୍ପୂର୍ଣ୍ଣ ଟୀକାକରଣ ହୋଇଥିବା ପିଲାଙ୍କ ପ୍ରତିଶତ,ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସଂଖ୍ୟା,ମାଧ୍ୟମିକ ସ୍ତରରେ କାର୍ଯ୍ୟକ୍ଷମ ବିଜୁଳି ଥିବା ବିଦ୍ୟାଳୟର ପ୍ରତିଶତ ଓ ପିଲାମାନଙ୍କୁ ପାଠ୍ୟପୁସ୍ତକ ପ୍ରଦାନ କରୁଥିବା ବିଦ୍ୟାଳୟର ପ୍ରତିଶତ ଇତ୍ୟାଦି ଛଅ ଗୋଟି ସୂଚକ ଉପରେ ଗୁରୁତ୍ବ ଦିଆଯାଇଛି। ଏଥି ନିମନ୍ତେ ଜିଲ୍ଲାରେ ନୀତି ଆୟୋଗଙ୍କ ନଲେଜ୍ ପାର୍ଟନର ପିରାମଲ୍ ଫାଉଣ୍ଡେସନ କାର୍ଯ୍ୟ କରୁଛି। ଆଜିର ଏହି କାର୍ଯ୍ୟକ୍ରମରେ ଡିପିଏମୟୁ, କୃଷି, ଶିକ୍ଷା, କ୍ରୀଡ଼ା, ସଂସ୍କୃତି, ସୂଚନା ଓ ଲୋକସଂପର୍କ ଓ ଆଇସିଡ଼ିଏସ ବିଭାଗ ସହଯୋଗ କରିଥିବା ବେଳେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ କର୍ମଚାରୀ ଏହାକୁ ଆୟୋଜନ କରିଥିଲେ।

nis-ad
Leave A Reply

Your email address will not be published.