ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ, ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁରେନ୍ଦ୍ରନାଥ ନାୟକଙ୍କ ଦେହାନ୍ତ । ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ । ୯୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ସୁରେନ୍ଦ୍ର। କାକଟପୁର ରାଜନୀତିରେ ଜଣେ ଲୋକପ୍ରିୟ ରାଜନେତା ଭାବେ ବେଶ୍‌ ପରିଚିତ ଥିଲେ ସୁରେନ୍ଦ୍ର। ତେବେ କାକଟପୁରରୁ ସେ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କୃଷି, ରାଜସ୍ବ ଓ ଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ।

କାକଟପୁର ରାଜନୀତିରେ ସେ ଥିଲେ ଜଣେ ଟାଣୁଆ ରାଜନେତା। ସରପଞ୍ଚ ଭାବେ ରାଜନୀତି ମୈଦାନକୁ ଓହ୍ଲାଇଥିବା ସୁରେନ୍ଦ୍ର ଶିକ୍ଷା, ସ୍ୱାସ୍ଥ୍ୟ, ରାଜସ୍ୱ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସୁଚାରୂରୂପେ ତୁଲାଇଥିଲେ। ୧୯୭୧ ମସିହାରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୧୯୭୭ ଏବଂ ୧୯୮୫ ମସିହାରେ ଜନତା ପାର୍ଟିରୁ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପରେ ୧୯୯୦ ଜନତା ଦଳରେ , ୧୯୯୫ ଉପନିର୍ବାଚନରେ ଜନତା ଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୦୦ ଏବଂ ୨୦୦୪ ମସିହାରେ ବିଜେଡି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ି କାକଟପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସଂତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ନାୟକ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପ୍ରଶାସକ ଥିଲେ। ସାଧାରଣ ଲୋକଙ୍କ ଭିତରେ ସେ ଅତ୍ୟନ୍ତ ପ୍ରିୟପାତ୍ର ଥିଲେ । ବିଧାୟକ ତଥା ମନ୍ତ୍ରୀ ଭାବରେ ସେ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ଉନ୍ନତିରେ ଗୁରୁତ୍ଵପୂର୍ଣ୍ଣ ଅବଦାନ ରଖିଥିଲେ। ତାଙ୍କର ପରଲୋକ ରାଜ୍ୟ ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

nis-ad
Leave A Reply

Your email address will not be published.