ଦିନକ ପରେ ପୁରୀ ବିଶ୍ବପ୍ରିସଦ୍ଧ ରଥଯାତ୍ରା: ୩ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ପୁରୀ : ଦିନକ ପରେ ପୁରୀ ବିଶ୍ବପ୍ରିସଦ୍ଧ ରଥଯାତ୍ରା । ୩ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ସରିଲାଣି ସିଂହାସନ ପ୍ରଭାରେ ରୂପ ଖୋଦେଇ l ଚାଲିଛି ରଙ୍ଗ କାର୍ଯ୍ୟ । ତିନି ରଥକୁ ଉଠିଛି କଳସ, ଓଲଟ ଶୁଆ l ଚିତ୍ରକାର ସେବକମାନେ ନନ୍ଦି ଘୋଷ ରଥର ଚକ, ଦଣ୍ଡା, ଗୁଜ , ବାହ୍ୟ ଅଂଶରେ ଆବଶ୍ୟକ ରଙ୍ଗ ଶେଷ କରିଛନ୍ତି। ଏହାପରେ ତାଳ ଧ୍ଵଜ ରଥ ଏବଂ ଦର୍ପଦଳନ ରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟରେ ଶେଷ ସ୍ପର୍ଶ ଦେଉଛନ୍ତି l ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର କଳସ କଣ୍ଟା, ଶୁଆ କଣ୍ଟା ଯୋଗାଇ ତିନି ରଥର ପ୍ରଭା ପାଇଁ କଣ୍ଟା ନିର୍ମାଣ କାମ ଜାରି ରଖିଛନ୍ତି । ରଥଯାତ୍ରା ଏସଓପିକୁ ନେଇ ମକଡ୍ରିଲ୍ ସରିଛି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖିବା ପାଇଁ ସରିଛି ପ୍ରସ୍ତୁତି । ଏଥର ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ସେପଟେ ଜ୍ୱରରେ ପୀଡିତ ମହାବାହୁ ସୁସ୍ଥ ହୋଇସାରିଛନ୍ତି । ଦ୍ୱାଦଶୀ ତିଥିରେ ଚତୁର୍ଦ୍ଧାମୂର୍ତ୍ତି ସୁସ୍ଥ ହୋଇସାରିଥିବା ବାର୍ତ୍ତା ରାଜନଅରରେ ମଧ୍ୟ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଛି ରଥଯାତ୍ରା ପ୍ରସ୍ତୁତି । ଅନ୍ୟପଟେ ମହାପ୍ରଭୁ ଅଣସର ଘରେ ଥିବାରୁ ଜଗମୋହନରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ପଟିଦିଅଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ବରୀ ଓ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ଆସ୍ଥାନରେ ଅନନ୍ତ ବାସୁଦେବଙ୍କ ପଟିଦିଅଁ ପୂଜା ପାଉଛନ୍ତି । ଜ୍ବର ଉପଶମ ହେବା ପରେ ଠାକୁରଙ୍କ ନବଯୌବନ ବେଶ ପର୍ଯ୍ୟନ୍ତ ଏହି ନୀତି ଜାରି ରହିବ । ଆଜି ସକାଳୁ ପଟିଦିଅଁଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର ।

ସେହିପରି ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଗଜପତିଙ୍କ ନିର୍ଦ୍ଦେଶ ରହିଛି। କେହି ମହାପ୍ରଭୁଙ୍କ ଆଗରେ ଠିଆ ହେବେ ନାହିଁ। ଟାହିଆକୁ କେହି ଛିଣ୍ଡାଇବେ ନାହିଁ। ସେଲଫି ନେଇପାରିବେ ନାହିଁ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବକ। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ଚାଲିଛି।ରାଜ୍ୟରୁ ସ୍ୱତନ୍ତ୍ର ଅଧିକାରୀ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆସୁଛନ୍ତି।ପ୍ରୋଟୋକଲ ଅନୁଯାୟୀ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

nis-ad
Leave A Reply

Your email address will not be published.