ହାଥରସ ଘଟଣା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦର୍ଶନ ଦେବାକୁ ମନା କଲେ ପ୍ରେମାନନ୍ଦ ମହାରାଜ

ନୂଆଦିଲ୍ଲୀ: ହାଥରସର ଏକ ସତସଙ୍ଗରେ ଦଳାଚକଟା ହେବାରୁ ୧୨୩ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଅନେକ ବାବା ସତର୍କ ହୋଇଛନ୍ତି। ନିଜ ଭକ୍ତମାନଙ୍କ ସୁରକ୍ଷା ପାଇଁ ନିଜର ଦର୍ଶନ ଦେବାକୁ ମନା କରୁଛନ୍ତି। ବୁଧବାର ବାଗେଶ୍ବର ବାବା ଏକ ଭିଡିଓ ଜାରି କରି କହିଥିଲେ ଯେ, ତାଙ୍କ ଜନ୍ମଦିନରେ ଅଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ ସେ ବଡ଼ ଆକରରେ ଜନ୍ମଦିନ ପାଳିବେ ନାହିଁ। ଗୁରୁ ପୂର୍ଣ୍ଣିମା‌ରେ ବଡ଼ ସ୍ଥାନ ଦେଖି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସେ ନିଜ ଭକ୍ତଙ୍କୁ ଦେଖା କରିବେ। ତାଙ୍କ ପରେ ଏବେ ବହୁ ଚର୍ଚ୍ଚିତ ପ୍ରେମାନନ୍ଦ ମହାରାଜ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ବୋଲି କହିଛନ୍ତି।
ସୂଚନା ମୁତାବକ, ପ୍ରେମାନନ୍ଦ ମହାରାଜ ପ୍ରତ୍ୟେକ ରାତି ୨.୧୫ ରୁ ତାଙ୍କ ଆଶ୍ରମ ଶ୍ରୀ ହିତ ରାଧା କେଳି କୁଞ୍ଜ ପର୍ଯ୍ୟନ୍ତ ଚାଲି ଚାଲି ଯାଆନ୍ତି। ଏହି ପଦ ଯାତ୍ରାରେ, ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ ପାଇଁ ଲୋକମାନଙ୍କର ଲମ୍ବା ଧାଡି ଲାଗିଥାଏ। ଲୋକମାନେ ରାତିରେ ଧାଡିରେ ଛିଡା ହୋଇ ବାବାଙ୍କ ଦର୍ଶନ କରନ୍ତି। କିନ୍ତୁ ବର୍ତ୍ତମାନ ସେ ଭକ୍ତମାନଙ୍କୁ ରାତିରେ ଦର୍ଶନ ପାଇଁ ରାସ୍ତାରେ ଠିଆ ହେବାକୁ ବାରଣ କରିଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟରେ ଶ୍ରୀ ହିତ ରାଧା କେଳି କୁଞ୍ଜ ପକ୍ଷରୁ ଏହି ଆବେଦନ କରାଯାଇଛି।
ଆବେଦନ ପତ୍ରରେ ଲେଖାଯାଇଛି ଯେ, “ହାଥରସରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ଏବଂ ଅତ୍ୟନ୍ତ ଦୁଃଖଦାୟକ। ମୃତକଙ୍କ ପରିବାର ସଦସ୍ୟଙ୍କ ସହ ଆମର ଗଭୀର ସମବେଦନା ରହିଛି। ଆମେ ଠାକୁରଜୀଙ୍କ ପାଦଦେଶରେ ପ୍ରାର୍ଥନା କରୁଛୁ ଯେ ଭବିଷ୍ୟତରେ ଏପରି ଘଟଣା ନଘଟୁ। ଉପରୋକ୍ତ ଘଟଣା ପରେ ସତର୍କତା ଅବଲମ୍ବନ କରି ପ୍ରେମାନନ୍ଦ ମହାରାଜ ଦର୍ଶନ ନଦେବାକୁ ମନସ୍ଥ କରିଛନ୍ତି। ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଙ୍କ ଦର୍ଶନ ବନ୍ଦ ରହିବ। ସେଥିପାଇଁ କୌଣସି ଭକ୍ତଙ୍କୁ ରାତିରେ ତାଙ୍କ ଦର୍ଶନ ପାଇଁ ରାସ୍ତାରେ ଠିଆ ନହେବାକୁ ଅନୁରୋଧ।”

nis-ad
Leave A Reply

Your email address will not be published.