ଆଜି ଅଣସର ଦଶମୀ, ଦଇତାପତି ସେବାୟତଙ୍କ ଗୁପ୍ତ ଉପଚାର

ପୁରୀ :ଆଜି ଅଣସର ଦଶମୀ । ଚକାବିଜେ କରିବେ ଶ୍ରୀଜୀଉ । ଅଣସର ତାଟି ଭିତରେ ଦଇତାପତି ସେବାୟତଙ୍କ ଗୁପ୍ତ ଉପଚାର ପରେ ଶ୍ରୀବିଗ୍ରହଙ୍କ ଶରୀରରୁ ତାତି ଓହ୍ଲାଇଥିବା ବେଳେ ଆଜି ଶୟନ ଅବସ୍ଥାରୁ ଉଠି  ଚକା ଉପରେ ବିଜେ କରିବେ ମହାପ୍ରଭୁ । ଅନ୍ୟପଟେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳମୋଦକ ଆଜି ଶ୍ରୀମନ୍ଦିର ଗାରଦରେ ଜିମା ଦିଆଯିବ । ମଙ୍ଗଳବାର ଦଶମୂଳମୋଦକ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ଶ୍ରୀଜିଉ ।

ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ଓଲ୍ହାଉଛି ତାତି । ଅଣସର ପଞ୍ଚମୀ ତିଥିରେ ଫୁଲୁରୀ ତେଲ ଓ ତା ପରଦିନ ଠାରୁ ତିନିଦିନ ଧରି ଓଷ ଲାଗି ପରେ ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ । ସ୍ନାନପୂର୍ଣ୍ଣିମା ଦିନ ପ୍ରତ୍ୟେକ୍ଷ ସ୍ନାନ କରି ଅସୁସ୍ଥ ହୋଇପଡିଥିବା ଶ୍ରୀବିଗ୍ରହ ଏବେ ଦଇତାପତିଙ୍କ ଗୁପ୍ତ ଉପଚାର ପରେ ଧୀରେ ଧୀରେ ସୁସ୍ଥ ହୋଇ ଶୋଇବା ଅବସ୍ଥାରୁ ଉଠି ବସିବେ ମହାପ୍ରଭୁ । ଆଜି ଶ୍ରୀମନ୍ଦିରରେ ମଧ୍ୟାନ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯିବା ସହ ଅନବସର ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉମାନଙ୍କୁ ଚକା ଉପରେ ଦଇତାପତି ମାନେ ଚକା ବିଜେ କରାଇବେ । ଏହାପରେ ଚକଟା ଓ ପଣା ଭୋଗ ଲାଗି କରାଯିବ।

ସେପଟେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ଦଶମୂଳମୋଦକ ଆଜି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯିବ | ରାଜବୈଦ୍ୟ ମାନେ ଦଶ ପ୍ରକାରର ଚେର ମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶ ମୂଳାରିଷ୍ଟ | ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ଔଷଧକୁ ବୈଦ୍ୟ ମାନେ ପ୍ରସ୍ତୁତ କରି ଆସନ୍ତାକାଲି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରିବେ |

ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି,ଗୋଖରା, ଲମ୍ବାଗୋତି,ଗମ୍ଭାରୀ,ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୁଡା, ଲବଙ୍ଗ, ଦେଶୀଘିଅ, ମହୁ, ନବାତ, ଖୁଆ, ଆଦି ବିଭିର୍ଣ୍ଣ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ ହୋଇଛି। ମଙ୍ଗଳବାର ଏକାଦଶୀ ତିଥିରେ ଏହି ଔଷଧ ସେବନ ପରେ ସମ୍ପୂର୍ଣ ସୁସ୍ଥ ହେବେ ଶ୍ରୀଜୀଉ |

ଲୋକକଥା ଅନୁଯାଇ ତ୍ରୟୋଦଶ ଶତାଦ୍ଧୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା। ସେବେଠାରୁ ଅନବସର ଦଶମୀ ସନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଏହା ଲାଗି ହୁଏ। ବିଭିନ୍ନ ପ୍ରକାରର ଆୟୁର୍ବେଦ ଚେରମୂଳ ସଂଗ୍ରହ କରି ଦେବସ୍ନାନ ପୂର୍ଣ୍ଣିମାରୁ ହିଁ ଦଶମୂଳ ମୋଦକର ପ୍ରସ୍ତୁତି ଆରମ୍ଭ ହୁଏ ବୋଲି କହିଛନ୍ତି ରାଜବୈଦ୍ୟ।

nis-ad
Leave A Reply

Your email address will not be published.