ବଜ୍ରପାତରେ ୩ ମୃତ ; ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବରଗଡ: ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ। ୨ ଜଣ ଗୁରୁତର। ଗୁରୁତର ୨ ଜଣଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦେୱାନଡ଼ିହି ଗ୍ରାମରେ ।

ସୂଚନା ଅନୁସାରେ, ପ୍ରବଳ ବର୍ଷା କାରଣରୁ ୫ ଜଣ ବ୍ୟକ୍ତି ଏକ ବରଗଛ ତଳେ ଠିଆ ହୋଇଥିଲେ । ହଠାତ୍‌ ସେହି ସମୟ ବଜ୍ରପାତ ହୋଇଥିଲା। ବଜ୍ରପାତ କାରଣରୁ ଠିଆ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଜଣଙ୍କୁ ଅଚେତ୍ ଅବସ୍ଥାରେ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ। ସେମାନଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣା ପଡିଛି। ତେବେ ମୃତକ ୩ ଜଣ ହେଉଛନ୍ତି ଧନୁର୍ଜୟ ନାୟକ, ଶୁଖଦେବ ବନଛୁର ଓ ନିରଜ କୁମ୍ଭାର । ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି |

ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ସଂପୂର୍ଣ୍ଣ ମାଗଣାରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଓ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

nis-ad
Leave A Reply

Your email address will not be published.