ରାଜଧାନୀ ଭୁବନେଶ୍ବରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ଟ୍ବିନ୍‌ ସିଟିରେ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ। ଏଥିସହ ପୁରୀ ଓ ନୟାଗଡ଼କୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ବର୍ଷାରେ ବେହାଲ୍‌ ହୋଇଛି ରାଜଧାନୀ ଭୁବନେଶ୍ୱର। ବର୍ଷା ପାଣି ଡ୍ରେନ୍‌ରେ ପାସ୍‌ କରିନପାରିବାରୁ ରାସ୍ତାରେ ଲହଡି ମାରୁଛି। ସେପଟେ ୧୬ ନମ୍ୱର ଜାତୀୟ ରାଜପଥର ଇସ୍କନ୍‌ ସମ୍ମୁଖର ଅବସ୍ଥା କଥା ନକହିବା ଭଲ। ଏଠି ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଯେଉଁଥିପାଇଁ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି।

ଆଗାମୀ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଲାଗିରହିବା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ବିଭାଗର ସୂଚନା ଅନୁଯାୟୀ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

୨୭ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ୨୯ ତାରିଖରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

nis-ad
Leave A Reply

Your email address will not be published.