ଅନ୍ତର୍ଜାତୀୟ ଯୋଗ ଦିବସରେ ଉତ୍ସବମୁଖର ହିଞ୍ଜିଳିକାଟୁ : ଆବାଳ ବୃଦ୍ଧ ବନିତା ଯୋଗାଭ୍ୟାସ କଲେ

ହିଞ୍ଜିଳିକାଟୁ : ଶୁକ୍ରବାର ୧୦ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳିତ ହୋଇଛି। ଚଳିତ ବର୍ଷର ଥିମ୍ ଥିଲା ନିଜ ଓ ସମାଜ ପାଇଁ ଯୋଗ।ଏହି ଅବସରରେ ହିଞ୍ଜିଳିକାଟୁ ପୌର ପରିଷଦ ଓ ପଞ୍ଚାୟତ ସମିତି, ହିଞ୍ଜିଳିକାଟୁ ତରଫରୁ ସହର ସ୍ଥିତ ଇନଡୋର୍ ଷ୍ଟାଡିୟମ୍ ପରିସରରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସହରର ବିଭିନ୍ନ ପ୍ରାନ୍ତରୁ ଶିଶୁ, ମହିଳା ଓ ବରିଷ୍ଠ ନାଗରିକ ବିଶେଷ ଉପସ୍ଥିତ ଥିଲେ। ମହିଳା ଯୋଗ ପ୍ରଶିକ୍ଷକ ମାନେ ବିଭିନ୍ନ ପ୍ରକାରର ଯୋଗ କୌଶଳ ପ୍ରଦର୍ଶନ କରିବା ସହିତ ସେମାନଙ୍କୁ ଅନୁସରଣ କରି ଉପସ୍ଥିତ ବ୍ୟକ୍ତିମାନେ ସାମୁହିକ ଯୋଗ ଅଭ୍ୟାସ କରିଥିଲେ। ଅନୁରୂପ ଭାବେ ହିଞ୍ଜିଳିକାଟୁ ସହରରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିବା ଏକ ମାତ୍ର ଅନୁଷ୍ଠାନ ଯୋଗ ମହୋତ୍ସବ ସମିତି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଶିକ୍ଷକ ତଥା ପ୍ରସିଦ୍ଧ ଯୋଗ ପ୍ରଶିକ୍ଷକ କରୁଣା କର ବାଡତ୍ୟା ବିଭିନ୍ନ ପ୍ରକାର ଯୋଗମୁଦ୍ରା ପ୍ରଦର୍ଶନ କରି ସୁସ୍ଥ ଜୀବନ ଓ ମାନସିକ ଶାନ୍ତି ପାଇଁ ଯୋଗର ଆବଶ୍ୟକତା ବାର୍ତ୍ତା ପ୍ରଦାନ କରିଥିଲେ। ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ଓ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି।

କଞ୍ଚୂରୁ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ସମେତ ସରକାରୀ ଶିକ୍ଷାନୁଷ୍ଠାନ, ସ୍ଵେଚ୍ଛାସେବୀ ସଂସ୍ଥା ଓ ପଞ୍ଚାୟତ ସ୍ଥିତ ଅମୃତ ସରୋବର ନିକଟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଯୋଗ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା, ଅଜୟ କୁମାର ମହାରଣା, ସନ୍ତୋଷ କୁମାର ପାଣିଗ୍ରାହୀ, ପ୍ରଦୀପ କୁମାର ପଣ୍ଡା, ତହସିଲଦାର ଭିକାରୀ ସାହୁ,ପୌର ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ, ଏନ୍ ରଘୁନାଥଙ୍କ ସମେତ ପୌର ଓ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ। ଅନୁରୂପ ଭାବେ ହିଞ୍ଜିଳିକାଟୁ ଯୁଗଶକ୍ତି ଗାୟତ୍ରୀ ଶକ୍ତିପୀଠ ପରିସରରେ ଦକ୍ଷିଣାଞ୍ଚଳ ଜୋନ୍ ସଂଯୋଜକ ଡକ୍ଟର ବୃନ୍ଦାବନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଗାୟତ୍ରୀ ପରିବାର ସଦସ୍ୟ ଓ ବହୁ ଶିକ୍ଷାର୍ଥୀ ଉପସ୍ଥିତ ରହି ଯୋଗାସନ କରିଥିଲେ।

ଏଥି ସହ ହିଞ୍ଜିଳିକାଟୁ ପୈାରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚବିଦ୍ୟାଳୟ, ଏନ୍ଏସି ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଓମ୍ ଶ୍ରୀ ଇଣ୍ଟର ନ୍ୟାସନାଲ ସ୍କୁଲ, ପୋଚିଲିମା ଖାମ୍ବେୟା ଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟ, ବୁରୁପୋଡା ଭଗବତୀ ବିଦ୍ୟାପୀଠ, ପୋଡିଙ୍ଗି ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟ, ଦୁର୍ବନ୍ଧ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବଡଖଣ୍ଡି ସତ୍ୟଭାମା ଉଚ୍ଚ ବିଦ୍ୟାଳୟ, ଗଣ୍ଡଳା ଗଣେଶ ବିଦ୍ୟାପୀଠ, ବେଲଗାଁ ବେଲେଶ୍ୱର ମହାବିଦ୍ୟାଳୟ ସମେତ ସ୍ଥାନୀୟ ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମେତ ବହୁ ସାମାଜିକ ଓ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଯୋଗ ଦିବସ ପାଳନ କରାଯାଇଥିଲା।‌

nis-ad
Leave A Reply

Your email address will not be published.