ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ନାହିଁ : ବିଦ୍ୟୁତ କାଟରେ ସହରବାସୀ ଅତିଷ୍ଠ

ହିଞ୍ଜିଳିକାଟୁ : ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବା ଏବଂ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ ଲକ୍ଷ୍ୟରେ ବିଦ୍ୟୁତ ବିତରଣ କମ୍ପାନୀ ସାଉଥକୋକୁ ଟାଟା ପାୱାରକୁ ହସ୍ତାନ୍ତର କରାଯାଇଛି । ଟାଟାପାୱାର ଦାୟିତ୍ୱ ଗ୍ରହଣ କରିବା ପରେ ବିଦ୍ୟୁତ ସେବାରେ ନିଶ୍ଚିତ ଉନ୍ନତି ଆସିବ ବୋଲି ଗ୍ରାହକଙ୍କ ମହଲରେ ଏକ ଧାରଣା ସୃଷ୍ଟି ହୋଇଥିଲା । ହେଲେ ବର୍ତ୍ତମାନ ଏହା ଭୂଲ ପ୍ରମାଣିତ ହେବାରେ ଲାଗିଛି । ପୂର୍ବରୁ ସାଉଥକୋ ଠାରୁ ମିଳୁଥିବା ଗ୍ରାହକ ସେବା ଠାରୁ ଟାଟା ପାୱାର ବିତରଣ କମ୍ପାନୀର ଗ୍ରାହକ ସେବା ଅତ୍ୟନ୍ତ ଖରାପ ବୋଲି ସ୍ଥାନୀୟ ସହରର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ବିନା କାରଣରେ ଅଘୋଷିତ ଭାବେ ସହରର କେଉଁଠି ନା କେଉଁଠି ବିଦ୍ୟୁତ କାଟ ନିତିଦିନିଆ ଘଟଣା ଘଟିବାରେ ଲାଗିଛି । ପୂର୍ବରୁ କେବଳ ଗ୍ରୀଷ୍ମ ଋତୁରେ ସ୍ଥାନୀୟ ସହରର ବିଭିନ୍ନ ସ୍ଥାନରେ ଲୋଭୋଲଟେଜ ସମସ୍ୟା ରହୁଥିଲା । ଏଭଳି ସମୟରେ ଜନସାଧାରଣଙ୍କ ବିଦ୍ୟୁତ ବ୍ୟବହାର ବୃଦ୍ଧି ପାଉଥିବା ଯୋଗୁଁ ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ଅତ୍ୟଧିକ ଚାପ ପଡ଼ିବା ଯୋଗୁଁ ଲୋଭୋଲଟେଜ ସମସ୍ୟା ଲାଗି ରହୁଥିବା କଥାକୁ ଲୋକେ ବିଶ୍ୱାସ କରି ନେଉଥିଲେ । ଆକାଶରେ କଳା ବାଦଲ ଦେଖିଲେ ବିଦ୍ୟୁତ ବିଭାଗୀୟ କର୍ମଚାରୀ ମାନେ ବିଦ୍ୟୁତ ବିଚ୍ଛିନ୍ନ କରିଦେଉଥିବା ଦେଖିବାକୁ ମିଳିଛି । ୨୦୨୧ ମସିହା ଆରମ୍ଭରୁ ଟାଟାପାୱାର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ବର୍ଷ ଆରମ୍ଭରୁ ଆରମ୍ଭ କରି ଏଯାବତ୍ ବିଦ୍ୟୁତ କାଟ ଲାଗି ରହୁଛି । ଟାଟାପାୱାର ଦାୟିତ୍ୱ ନେବାର ଦୀର୍ଘ ୩ ବର୍ଷ ୬ ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସୁଫଳ ମିଳି ପାରିନାହିଁ । ପୁରୁଣା ଭିତ୍ତିଭୂମି ଉପରେ କେବଳ ନାମ ପରିବର୍ତ୍ତନ କରାଯାଇଛି ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି । ଏଭଳି ଅଘୋଷିତ ବିଦ୍ୟୁତ କାଟକୁ ନେଇ ଉପଭୋକ୍ତା ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ପ୍ରତିଦିନ ସହରର ବିଭିନ୍ନ ସ୍ଥାନରେ ବହୁ ସମୟ ଧରି ବିଦ୍ୟୁତ କାଟ କରାଯାଉଥିବା ଦେଖିବାକୁ ମିଳିଛି । ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଘରୋଇକରଣ କରାଯିବା ପରେ ଲୋକେ ଏଥିରୁ ସୁଫଳ ପାଇବା ପରିବର୍ତ୍ତେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗତ ସପ୍ତାହେ ଧରି ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ବିଦ୍ୟୁତ କାଟ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଦ୍ୟୁତ୍ କାଟ ଲୋକଙ୍କୁ ଦାଉ ସାଧୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। କେତେବେଳେ ବିଦ୍ୟୁତ୍ ରହୁଛି ଏବଂ କେତେବେଳେ ବିଦ୍ୟୁତ୍ ବିଛିନ୍ନ କରାଯାଉଛି ଜନସାଧାରଣ ଜାଣିବା ମୁସ୍କିଲ ହୋଇପଡିଛି । ଏପରିକି ବିଳମ୍ବିତ ରାତିରେ ବିଦ୍ୟୁତ୍ କାଟ କରାଯାଉଥିବାରୁ ଏହାର ସୁଯୋଗ ନେଇ ଲୁଟେରା ମାନେ ସକ୍ରିୟ ହୋଇପଡିବା ସହ ସ୍ଥାନୀୟ ଅଞ୍ଚଳରେ ଗତ କିଛି ଦିନ ଧରି ଛୋଟମୋଟ ଚୋରୀ ହେଉଥିବା ଜଣାପଡ଼ିଛି । ଟାଟାପାୱାର ଦାୟିତ୍ୱ ଗ୍ରହଣ କରିବା ପରେ ଭିତ୍ତିଭୂମିର ବିକାଶ ଉପରେ ଯେତିକି ଗୁରୁତ୍ୱ ଦେବା କଥା ତାହା ନକରି ରାଜସ୍ୱ ଆଦାୟ ପଛରେ ଲାଗିପଡ଼ିଥିବା ଜଣାପଡ଼ିଛି । ସାଉଥକୋ ଦାୟିତ୍ୱ ସମୟରେ ସ୍ଥାନୀୟ ଅଞ୍ଚଳର କୂଶଳୀ ଶ୍ରମିକଙ୍କ ଠିକା ଭାବେ ନିଯୁକ୍ତି ଦେଇ କାର୍ଯ୍ୟ ହାସଲ କରୁଥିବା ବେଳେ ଟାଟାପାୱାର ଆସିବା ପରେ ଅଣଓଡ଼ିଆ ଠିକା କର୍ମଚାରୀ ନିଯୁକ୍ତିକୁ ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି । ଅଣଓଡ଼ିଆ କର୍ମଚାରୀଙ୍କ ସହରର ସମସ୍ୟା ସର୍ମ୍ପକରେ ଧାରଣା ନଥିବା ଯୋଗୁଁ ସମସ୍ୟା ଅଧିକ ରହୁଥିବା ନେଇ ଜୈନିକ କର୍ମଚାରୀ ନିଜ ନାମକୁ ଗୋପନ ସୂତ୍ରରେ ସୂଚନା ପ୍ରଦାନ କରିଛନ୍ତି । ଏ ନେଇ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସତ୍ୟ ନାରାୟଣ ଦାଶଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବ୍ୟବହାରକାରୀ ସଂଖ୍ୟା ବୃଦ୍ଧି ପାଉଛି । ଯଦ୍ୱାରା ଅତ୍ୟଧିକ ଚାପ ପ୍ରୟୋଗ ହେଉଥିବାରୁ ବିଦ୍ୟୁତ୍ ଟ୍ରିପ୍ ନେଉଛି । ବିନା କାରଣରେ କୈାଣସି ସମୟରେ ବିଦ୍ୟୁତ୍ ବିଛିନ୍ନ କରାଯାଉନାହିଁ। ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଟାଟା ପାଓ୍ବାରର ମୁଖ୍ୟ ଲକ୍ଷ୍ୟ ରହିଛି। ଟାଟାପାୱାର କର୍ତ୍ତୁପକ୍ଷ ଉପଭୋକ୍ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ବିଦ୍ୟୁତକାଟ ଭଳି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଜନଅସନ୍ତୋଷ ବୃଦ୍ଧି ପାଇବା ସହ ଏକ ବଡ଼ ଧରଣର ଜନଆନ୍ଦୋଳନ ଗଢି ଉଠିବ, ଏଥିରେ ନିସନ୍ଦେହ ।

nis-ad
Leave A Reply

Your email address will not be published.