ମଦୁଆଙ୍କ ଚିନ୍ତା‌ ବଢ଼ାଇଛି ରାତିଅଧିଆ ଚେକିଂ: ୨ଦିନରେ ୨୧୭ ଗାଡ଼ି ଜବତ

ଭୁବନେଶ୍ବର: କୌଣସି ପରିସ୍ଥିତିରେ ମଦ୍ୟପ ଚାଳକଙ୍କୁ ଛଡ଼ାଯିବ ନାହିଁ। ଜରିମାନା ଗଣିବେ; ଗାଡ଼ି ବି କୋର୍ଟକୁ ଯିବ। ଦରକାର ପଡ଼ିଲେ ଜେଲ୍‌ ମଧ୍ୟ ଯାଇପାରନ୍ତି। ଖାଲି ଏତିକି ନୁହେଁ ଲାଇସେନ୍ସ ବି ରଦ୍ଦ କରାଯିବ। ଦ୍ବୈତନଗରୀରେ ଘଟୁଥିବା ବିଭିନ୍ନ ଅପରାଧ ଓ ଦୁର୍ଘଟଣାକୁ ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଏଭଳି କଠୋର ନୀତି ଆପଣାଇଯାଇଛି। ଦୁଇ ଦିନରେ ବିଭିନ୍ନ ସ୍ଥାନରେ ଚେକଂ ବ୍ଲକିଂକୁ କଡ଼ାକଡ଼ି କରାଯାଇ ୨୧୭ ଗାଡ଼ି ଜବତ କରାଯାଇଛି।
ଗତ ଶୁକ୍ରବାର ଓ ଶନିବାର ରାତିରେ କମିସନରେଟ୍‌ ପୁଲିସର ୨ ଟ୍ରାଫିକ୍‌ ଥାନା ସମେତ କ୍ୟାପିଟାଲ ଥାନା, ଖାରବେଳନଗର, ଧଉଳି, ଲିଙ୍ଗରାଜ, ଏୟାରଫିଲ୍ଡ, ଏୟାରପୋର୍ଟ, ତମାଣ୍ଡୋ, ଖଣ୍ଡଗିରି, ଭରତପୁର, ଇନଫୋଭ୍ୟାଲି, ଜଟଣୀ, ବଡ଼ଗଡ଼, ଲକ୍ଷ୍ମୀସାଗର, ବାଲିଅନ୍ତା, ବାଲିପାଟଣା, ପାହାଳ, ନୂଆପଲ୍ଲୀ, ମଞ୍ଚେଶ୍ୱର, ସହିଦନଗର, ମୈତ୍ରୀବିହାର, ଚନ୍ଦକା, ନନ୍ଦନକାନନ, ଇନ୍‌ଫୋସିଟି ଓ ଚନ୍ଦ୍ରଶେଖରପୁର ଆଦି ୨୬ଟି ଥାନା ପକ୍ଷରୁ ୫୦ଟି ସ୍ଥାନରେ ଚେକିଂ ବ୍ଲକିଂ କରାଯାଇଥିଲା। ତେବେ ପ୍ରତି ଜୋନ୍‌ ଏସିପି, ଥାନା ଅଧିକାରୀଙ୍କ ନେତୃତ୍ବରେ ଅଧିକାରୀ ଓ କର୍ମଚାରୀଙ୍କ ସମେତ ୧ ସେକ୍ସନ ଲେଖାଏଁ ପୁଲିସ ଫୋର୍ସ ମଧ୍ୟ ସାମିଲ ହୋଇଥିଲେ। ଯାଞ୍ଚ ବେଳେ ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ୧୦୫ଟି ଗାଡ଼ି, ରଙ୍ଗ ସାଇଡ୍‌ ଡ୍ରାଇଭ ‌ଯୋଗୁଁ ୧୨୭ଟି ଗାଡ଼ି ଏବଂ ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ରେ କଥାବାର୍ତ୍ତା ଯୋଗୁଁ ୨୨ଟି ଗାଡ଼ି ଜବତ କରାଯାଇଥିଲା। ମୋଟ ୨୫୪ ଅମାନିଆଙ୍କ ଠାରୁ ଏକ ଲକ୍ଷରୁ ଊର୍ଧ୍ବ ଟଙ୍କା ଜରିମାନା ଆଦାୟ କରାଯାଇଛି।
ନୂଆ ନିୟମ ଅନୁସାରେ ଯେଉଁ ଅଞ୍ଚଳରେ ମଦ୍ୟପ ଚାଳକ ଧରାପଡ଼ୁଛନ୍ତି; ସମ୍ପୃକ୍ତ ଥାନା ଚାଳକଙ୍କ ବିରୋଧରେ ମାମଲା ରୁଜୁକରି ଗିରଫ କରିବା ସହ ଗାଡ଼ିକୁ ଜବତ କରି କୋର୍ଟକୁ ପଠାଉଛି। ଫଳରେ ନିୟମ ଉଲ୍ଲଂଘନକାରୀ ଆଉ ଥାନାରେ ନୁହେଁ; ବରଂ ସିଧା କୋର୍ଟରେ ଜରିମାନା ଅର୍ଥଦେଇ ଗାଡ଼ି ମୁକୁଳାଉଛନ୍ତି। ସେହିପରି କିଏ ବାରମ୍ବାର ଏଭଳି ମଦ୍ୟପାନକରି ଗାଡ଼ି ଚଳାଉଛି? କାହାର ଅନ୍ୟ କୌଣସି ଅପରାଧିକ ଇତିହାସ ଅଛି କି? ସେ ସବୁର ଯାଞ୍ଚ ମଧ୍ୟ କରାଯାଉଛି। ଯେଉଁମାନେ ଅଭ୍ୟାସଗତ ମଦ୍ୟପ ଚାଳକ କମିସନରେଟ୍‌ ପୁଲିସ ସେମାନଙ୍କ ତାଲିକା କରି ଲାଇସେନ୍ସ ରଦ୍ଦ ପାଇଁ ପରିବହନ ବିଭାଗକୁ ଚିଠି କରିଛି।

nis-ad
Leave A Reply

Your email address will not be published.