ଆର୍‌ଜିଏଚ୍‌ରେ ମେସିନ ଖତ ଖାଉଛି, ରୋଗି ହଇରାଣ

ରାଉରକେଲା: ଅନେକ ସମୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଧୋକା ଦେଉଛି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)। ନୂଆ ସରକାର ଦାୟିତ୍ବ ନେବା ପରେ ସମାଧାନର ବାଟ ଫିଟିବ ବୋଲି ଆଶା କରାଯାଉଛି। ଗୋଟିଏ କି ଦୁଇଟି ବିଭାଗରେ ଅନେକ ବିଭାଗରେ ମାସ ମାସ ଧରି ସମସ୍ୟା ଲାଗି ରହୁଛି। କେତେବେଳେ ଡାୟାଲେସିସ୍‌ ମେସିନ୍‌ ଚାଲୁନି ତ ଅନ୍ୟ କେତେବେଳେ ଏକ୍ସ-ରେ ମେସିନ୍‌ର ଫିଲ୍ମ ମିଳୁନି।
କେବଳ ଏତିକି ନୁହେଁ ଆର୍‌ଜିଏଚ୍‌ ମାତୃଶିଶୁ ହସ୍ପିଟାଲ (ଏମ୍‌ସିଏଚ୍‌) ୫ମ ମହଲାରେ ଯେତିକି ଏସି ଲାଗିଛି, ତା’ର ଅଧାରୁ ଅଧିକ କାମ କରୁନି। କେବଳ ଏସିର ଖୋଳ କାନ୍ଥରେ ଝୁଲୁଛି। ସେମିତି ବ୍ୟବହାର ଉପଯୋଗୀ ନ ହୋଇ କୋଟି କୋଟି ଟଙ୍କାର ମେସିନ୍‌ ଖତ ଖାଉଛି। ବର୍ଷ ବର୍ଷ ଧରି ପଡ଼ିଥିଲେ ହେଁ ଚାଲିନି। ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛନ୍ତି। ମାତୃଶିଶୁ ହସ୍ପିଟାଲ ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ଗତ ୨୦୧୩ ମାର୍ଚ୍ଚରେ ଲାପ୍ରୋସ୍ପୋପି ସର୍ଜରୀ ମେସିନ୍‌ କିଣାଯାଇଥିଲା। ପ୍ରାୟ ୭୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ମେସିନ୍‌ ଇନ୍‌ଷ୍ଟାଲେସନ୍‌ ମଧ୍ୟ ସରିଛି।
ପରୀକ୍ଷାମୂଳକ ଭାବେ ଥରୁଟିଏ ମାତ୍ର ଚାଲିଛି। ଆଜିକୁ ୧୪ ମାମ ମଧ୍ୟରେ ଦ୍ବିତୀୟ ଥର ଚାଲିନି। ମେସିନ୍‌ ଠିକ୍‌ଠାକ୍‌ ଅଛି କି ନାହିଁ, କାହାରି ପାଖରେ ଉତ୍ତର ନାହିଁ। ଏମ୍‌ସିଏଚ୍‌ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣା ନାହିଁ। ଓଲଟା ମେସିନ୍‌ର ଫଟୋ ଉଠାଇ ଯାଇପାରିବ ନାହିଁ ବୋଲି କହୁଛନ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରାୟ ୭ ବର୍ଷରୁ ଅଧିକ ସମୟ ଧରି ଏମ୍‌ସିଏଚ୍‌ ମାତୃଶିଶୁ ବିଭାଗ ଛାଡୁ ନଥିବା ଅଧିକାରୀଙ୍କୁ ଏଭଳି ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେବଳ ଏତିକି ନୁହେଁ ଅଧିକାରୀଙ୍କ ଜଣକ ଅଧିକାଂଶ ଗର୍ଭବତୀ ମହିଳା ଓ ତାଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବାର ପ୍ରଦର୍ଶନ କରୁଥିବା ମଧ୍ୟ ଅଭିଯୋଗ ହେଉଛି।
ଅନ୍ୟ ବିଭାଗକୁ ବଦଳି କରିବାକୁ ବଦଳିକରିବାକୁ ଦାବି କରିଛନ୍ତି। ଅନ୍ୟପଟେ ବର୍ଷ ବର୍ଷ ଧରି ମେସିନ୍‌ କାମରେ ଆସୁନଥିବାରୁ ଗର୍ଭବତୀ ମହିଳା ଓ ତାଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କେବଳ ମାତୃଶିଶୁ ବିଭାଗ ନୁହେଁ ଅସ୍ତ୍ରୋପଚାର ବିଭାଗରେ ବି ସମାନ ଅବସ୍ଥା। ଏଠି ଅସ୍ତ୍ରୋପଚାର ପାଇଁ ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କାରେ ମିନି ଲାପ୍ରୋସ୍ପୋପି ସର୍ଜର ମେସିନ୍‌ କିଣା ହୋଇପଡିଛି। ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ଧରି ସେମିତି ପଡ଼ିଛି। ଥରୁଟିଏ କାର୍ଯ୍ୟକ୍ଷମ ହୋଇନି। ମେସିନ୍‌ଟି ଠିକ୍‌ ଅଛି ନାହିଁ, ନାଁ ଖତ ଖାଇଗଲାଣି। ତା’ ମଧ୍ୟ କାହାକୁ ଜଣା ନାହିଁ। ଦୁଇଟି ଗୁରୁତ୍ବପୂର୍ଣ୍ଣ ମେସିନ୍‌ ନୁହେଁ ଅନେକ ବିଭାଗରେ ଲାଗିଥିବା ଠିକ୍‌ ଭାବେ ଚାଲୁ ନଥିବା ମଧ୍ୟ ଅନେକ ସମୟରେ ରୋଗୀମାନେ ଅଭିଯୋଗ କରିଛନ୍ତି। ଫଳ କିନ୍ତୁ ଶୂନ।
ଏ ସଂକ୍ରାନ୍ତରେ ଆର୍‌ଜିଏଚ୍‌ର ଅଧୀକ୍ଷକ ଡାକ୍ତର ଗଣେଶ ପ୍ରସାଦ ଦାସଙ୍କୁ ପଚାରିବାରୁ କହିଛନ୍ତି, ସେ ଡାକ୍ତରଖାନାରେ ‌ଯୋଗଦେବା ପୂର୍ବରୁ ଦୁଇଟି ମେସିନ୍‌ କିଣାଯାଇଥିଲା। ତାଙ୍କୁ ଏ ସମ୍ପର୍କରେ ଜଣା ନଥିଲା। ଜାଣିବା ପରେ ମେସିନ୍‌କୁ କାର୍ଯ୍ୟକ୍ଷମ ପାଇଁ ଆବଶ୍ୟକ ସ୍ବତନ୍ତ୍ର ଡାକ୍ତରଙ୍କୁ ତାଲିମ ପାଇଁ ପଠାଯାଇଛି। ତାଲିମ ପାଇ ଆସିବା ପରେ ମେସିନ୍‌ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ।

nis-ad
Leave A Reply

Your email address will not be published.