କେନ୍ଦୁଝର ବନଖଣ୍ଡରେ ଅଛନ୍ତି ୧୩୫ଟି ହାତୀ

କେନ୍ଦୁଝର: ରାଜ୍ୟରେ ହାତୀ ଗଣନା ଶେଷ ହୋଇଛି। ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୯୮ଟି ହାତୀ ରହିଥିବା ବେଳେ କେନ୍ଦୁଝର ବନଖଣ୍ଡରେ ୧୩୫ଟି ହାତୀ ରହିଥିବା ଜଣାପଡ଼ିଛି। ଏଥିରୁ ଛୋଟବଡ଼ ୨୮ଟି ଦନ୍ତା, ୫୮ଟି ମାଈ, ୨୮ଟି ଛୁଆ, ମଧ୍ୟବୟସ୍କ ମାଖନା ହାତୀ ୨ଟି, ଅପ୍ରାପ୍ତ ବୟସ୍କ (ଜୁଭେନାଇଲ) ୧୯ଟି ହାତୀ ରହିଛି।
କେନ୍ଦୁଝର ଜିଲ୍ଲା ମେ ୨୨ରୁ ହାତୀ ଗଣନା ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହୋଇଥିଲା।
କେନ୍ଦୁଝର ଡିଭିଜନ ଅଧୀନରେ ଥିବା ସମସ୍ତ ୭ଟି ରେଂଜରେ ୪୩ଟି ମଞ୍ଚା ବନ୍ଧା ଯାଇଥିଲା। ବନ କର୍ମଚାରୀଙ୍କୁ ମୋଟ ୮୧ଟି ୟୁନିଟ୍‌ରେ ଭାଗ କରାଯାଇଥିଲା। ସେମାନ ଜଙ୍ଗଲରେ ଥିବା ୱାଚ୍‌ ଟାୱାର ଓ ମଞ୍ଚାରେ ରହି ହାତୀ ଗଣନା କରିଥିଲେ। ୩ଜଣ ଲେଖାଏଁ ବନ କର୍ମଚାରୀଙ୍କୁ ନେଇ ଗୋଟିଏ ଗୋଟିଏ ୟୁନିଟ୍ ପ୍ରସ୍ତୁତ ହୋଇଥିଲା। ମଞ୍ଚାରେ ଥାଇ ବନ କର୍ମଚାରୀମାନେ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କ ସଂଖ୍ୟା ଗଣନା କରିଥିଲେ। ଘଞ୍ଚ ଜଙ୍ଗଲରେ ହାତୀ ଗଣନା କରିବା କଷ୍ଟକର ହେଉଥିବାରୁ ସେଠାରେ ଡ୍ରୋନର ସହାୟତା ନିଆଯାଇଥିଲା।
ଅନ୍ୟପକ୍ଷରେ ୪୦ଦିନ ଧରି କଲରାପତରିଆ ବାଘ ଗଣନା ଚାଲିଛି। ଏଥିପାଇଁ ବିଭିନ୍ନ ଜଙ୍ଗଲରେ ୮୭ଟି ଟ୍ରାପ କ୍ୟାମେରା ଲଗାଯାଇଛି। କଲରାପତରିଆ ବାଘ ରହୁଥିବା ଘଟଗାଁ ରେଞ୍ଜର ଅଟେଇ ସଂରକ୍ଷିତ ଜଙ୍ଗଲ, ତେଲକୋଇ ରେଞ୍ଜର କଳାପାଟ ସଂରକ୍ଷିତ ଜଙ୍ଗଲ, ବଡ଼ବିଲ ରେଞ୍ଜର ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ, କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଖଜୁରୀବଣି ଜଙ୍ଗଲ ଓ ବାରବାଙ୍କ ସଂରକ୍ଷିତ ଜଙ୍ଗଲରେ ଟ୍ରାପ୍‌ କ୍ୟାମେରା ଲଗାଯାଇଛି।
ଟ୍ରାପ୍‌ କ୍ୟାମେରାରେ କଏଦ ହେଉଥିବା ଚିତ୍ର ଗୁଡ଼ିକୁ ରେଫରେନ୍ସ ଭାବେ ବ୍ୟବହାର କରାଯାଉଛି। ହାତୀ ଗଣନା ରିପୋର୍ଟ ଗତକାଲି ପ୍ରକାଶ ପାଇଥିଲା। ଖୁବଶୀଘ୍ର କଲରାପତରିଆ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

nis-ad
Leave A Reply

Your email address will not be published.