ଡୁମୁରିପଦର ଜଙ୍ଗଲରୁ ଶତାଧିକ ଶାଗୁଆନ ଗଛ କାଟିନେଲେ ମାଫିଆ : ବନ ବିଭାଗର ନୀରବତା ଉପରେ ଉଠୁଛି ପ୍ରଶ୍ନ ?

ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଅଞ୍ଚଳବାସୀ

ମାଲକାନଗିରି/ବାଲିମେଳା : ଜଙ୍ଗଲ ସମ୍ପଦର ସୁରକ୍ଷା,ବନୀକାରଣ,ଉଜୁଡା ଜଙ୍ଗଲର ପୁନରୁଦ୍ଧାର,ବନ୍ୟପ୍ରାଣୀ ସଂରକ୍ଷଣ,ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ବନ ବିଭାଗର ପ୍ରମୁଖ ଦାଇତ୍ୱ ।ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ରେଞ୍ଜ ଅଧିନ ବାଲିମେଳା ବନାଞ୍ଚଳରେ ଏହା ସମୁର୍ଣ୍ଣ ଭାବେ ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି ।ଏଠାରେ କାର୍ଯ୍ୟରତ କିଛି ବନ କର୍ମଚାରୀଙ୍କ ଦାଇତ୍ୱ ଶୂନ୍ୟତା ଓ ଅପାରଗତା ଯୋଗୁ ଚୋରା କାଠ ମାଫିଆ ତଥା ବ୍ୟବସାୟୀ ମାନେ ପ୍ରତିଦନ ଦିନ ଦ୍ବୀପହରେ ଖୁଲାମ ଖୁଲା ଭାବେ ଜଙ୍ଗଲ କାଟି ସେଠାରୁ ପ୍ରତିଦିନ ବହୁ ମୂଲ୍ୟବାନ ଶାଗୁଆନ ଓ ଅନ୍ୟାନ୍ୟ ଗଛ କାଟି ଚୋରିକରି ନେବାରେ ଲାଗିଛନ୍ତି ।ଏହି ଜଙ୍ଗଲ ଗୁଡିକରୁ କଟାଯାଉଥିବା ମୂଲ୍ୟବାନ ଶାଗୁଆନ ଗଛ ଗୁଡିକ କଟାଯାଇ ସ୍ଥାନୀୟ ବିଭିନ୍ନ ଅଞ୍ଚଳକୁ ବିଭିନ୍ନ ଗାଡି ଯୋଗେ ଓ ବାହାର ରାଜ୍ୟକୁ ଡଙ୍ଗା ଯୋଗେ ନିୟମିତ ଚାଲାଣ କରାଯାଉଥିବା ନେଇ କିଛି ସ୍ଥାନୀୟ ଅଞ୍ଚଳବାସୀ କାଠ ମାଫିଆଙ୍କ ଭୟରେ ନିଜ ନାମ ଗୋପନ ରଖି ଅଞ୍ଚଳ ଜଙ୍ଗଲରେ ନୀତିଦିନ ଘଟୁଥିବା ଘଟଣା ସମ୍ପର୍କରେ ସତ୍ୟତା ପ୍ରକାଶ କରିଛନ୍ତି । ଅଞ୍ଚଳରୁ ପ୍ରତିଦିନ ଜଙ୍ଗଲ ଫିଦା ହେବା ଯୋଗୁ ସବୁଜିମା ନଷ୍ଟ ହେବା ସହ ଜିଲ୍ଲାରେ ଉତ୍ତାପ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।ସୂଚନାଯୋଗ୍ୟ ବାଲିମେଳା ବନ ବିଭାଗ ଅଧୀନସ୍ଥ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ଦିନକୁ ଦିନ ଚୋରା କାଠ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଦିବାଲୋକରେ ରାସ୍ତା ପାର୍ଶ୍ୱରେ ଥିବା ଜଙ୍ଗଲରୁ ପ୍ରତ୍ୟେକ ଦିନ ବହୁ ମୂଲ୍ୟବାନ ଶାଗୁଆନ ଗଛ କାଟି ଚାଲାଣ କରାଯାଉଛି ।ଏହା କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତ ଅଧିନସ୍ଥ ଡୁମୁରିପଦର ଗ୍ରାମକୁ ଯିବା ମୁଖ୍ୟରାସ୍ତା ପାର୍ଶ୍ୱ ଓ ଗ୍ରାମକୁ ଲାଗି ରହିଥିବା ଜଙ୍ଗଲରୁ ବହୁ ପୁରାତନ ଶତାଧିକ ଶାଗୁଆନ ଓ ଅନ୍ୟାନ୍ୟ ମୂଲ୍ୟବାନ କଟା ଯାଇଥିବା ଦେଖିବାକୁ ମିଳିଛି ।ପ୍ରାୟ ୨୦୦ ରୁ ଉର୍ଦ୍ଧ ଶାଗୁଆନ ଗଛ କାଟି ମାଫିଆମାନେ ନେଇ ଯାଇଛନ୍ତି ।

ଏବେବି ସେଠାରେ ବହୁ ଶାଗୁଆନ ଗଛ କଟା ଚାଲିଛି । ଘଟଣା ସ୍ଥଳରେ କଟାଯାଇଥିବା ଶାଗୁଆନ ଗଛର ବହୁ କଞ୍ଚା ଦଣ୍ଡା ,ପଟା ଓ ବହୁ କାଠ ଗଣ୍ଡି ଚାଲାଣ ପାଇଁ କଟାଯାଇ ପ୍ରସ୍ତୁତ କରି ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ମାଫିଆଙ୍କ ଦ୍ୱାରା ପ୍ରସ୍ତୁତ କରି ତଖାଯାଇଥିବା ଦେଖିବାକୁ ମିଳିଛି ।ଅବଶିଷ୍ଟ ବହୁ କାଠ ଗଣ୍ଡି ସେଠାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ତେବେ ଡୁମୁରିପଦର ଗ୍ରାମ ପାଖ ଜଙ୍ଗଲରୁ ନିୟମିତ ହେଉଥିବା ଗଛ କଟାକୁ ନେଇ ବିଭାଗର କାର୍ଯ୍ୟ ଦକ୍ଷତାକୁ ପଦାରେ ପକାଇ ଦେଇଛି ।ବନ ବିଭାଗର ଜାଣତରେ ଏଭଳି ବେଆଇନ କାର୍ଯ୍ୟ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବୀ କରାଯାଇଛି ।ଏହି ଅଞ୍ଚଳ ଦାୟିତ୍ୱରେ ଥିବା ବାଲିମେଳା ବନପାଳ ଓ ମହିଳା ବନରଖି ଅଧିକାଂଶ ଦିନ ଉକ୍ତ ଅଞ୍ଚଳକୁ ନିୟମିତ ଗସ୍ତ କରୁନଥିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି ।ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଗତକାଲି ଏହି ଘଟଣା ସମ୍ପର୍କରେ ବାଲିମେଳା ବନରଖି ମୋହନ ଗୁଡ଼ିଆଙ୍କୁ ବିସ୍ତ୍ରୁତ ଭାବେ ଅବଗତ କରାଯାଇଥିଲା । ହେଲେ ବିଡ଼ମ୍ବନାର ବିଷୟ ସେ ଗତକାଲି ଏ ସମ୍ପର୍କରେ ସୂଚନା ପାଇବା ପରେ ମଧ୍ୟ ବିଭାଗ ପକ୍ଷରୁ କେହିବି ଉକ୍ତ ଅଞ୍ଚଳକୁ ଗସ୍ତକରି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା ।ଆଜି ସୋମବାର ସକାଳେ ବନପାଳ ମୋହନ ଗୁଡ଼ିଆ,ଉକ୍ତ ଅଞ୍ଚଳ ଦାୟିତ୍ୱରେ ଥିବା ମହିଳା ବନରଖି ସୁଜାତା ମଣ୍ଡଳଙ୍କ ସହ ଅନ୍ୟ ଦୁଇଜଣ ବନ କର୍ମଚାରୀ ଡୁମୁରିପଦର ଗ୍ରାମ ନିକଟ ଜଙ୍ଗଲରେ ଘଟିଥିବା ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଯାଇଥିଲେ ।ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ସାଙ୍ଗରେ ଆବଶ୍ୟକ ଥିବା ଅଧିକାରୀ,କର୍ମଚାରୀ ଓ ଫୋର୍ସ ଏବଂ କାଠ ଜବତ କରିବା ପରେ ବୋହି ଆଣିବା ପାଇଁ ଆବଶ୍ୟକ ହେଉଥିବା ଗାଡି ସାଙ୍ଗରେ ନେଇ ନଥିବାରୁ ସେଠାରେ ମାଫିଆଙ୍କ ଦ୍ୱାରା କେଉଁ ମୁହୂର୍ତ୍ତରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରଖି ସେଠାରୁ ଭୟରେ ସମସ୍ତେ ଫେରି ଆସିଥିବା ଜଣା ପଡ଼ିଛି । ହେଲେ ଏତେବଡ ଘଟଣା ସମ୍ପର୍କରେ ଜାଣିବା ପରେ ବନପାଳ ସେଠାରେ ହେବାକୁ ଥିବା ତଦନ୍ତ ଚଢ଼ାଉ ପାଇଁ ବିଭାଗ ପକ୍ଷରୁ ସେଠାରେ ଆବଶ୍ୟକ ହେଉଥିବା ସମସ୍ତ ପ୍ରସ୍ତୁତି ନକରି ନିଜ ମୁଣ୍ଡରୁ ବୋଝ ଛଡ଼ାଇବା ପାଇଁ ଲୋକ ଦେଖାଣିଆ କାହିଁକି ସେଠାକୁ ଯାଇଥିଲେ ବୋଲି କିଛି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି ।

ଏ ସମ୍ପର୍କରେ ବନପାଳ ଶ୍ରୀ ଗୁଡ଼ିଆଙ୍କୁ ପଚାରିବାରୁ ସେ କହିଥିଲେ ଯେ ,ଆଜି ଉକ୍ତ ଅଞ୍ଚଳକୁ ଯାଇଥିଲୁ ହେଲେ ଚଢ଼ାଉ ପାଇଁ ଆମକୁ ଫୋର୍ସ ନେଇ ସେଠାକୁ ଯିବାକୁ ପଡ଼ିବ ନହେଲେ ହେବନି ବୋଲି କହିଥିଲେ ।ଏ ସମ୍ପର୍କରେ ବାଲିମେଳା ବନାଞ୍ଚଳଅଧିକାରୀ ଲିସ୍ମିତା କହଁରଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏହି ତୁରନ୍ତ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।ତେବେ ବିଭଗ ପକ୍ଷରୁ ଏନେଇ କେବେ ଓ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।

nis-ad
Leave A Reply

Your email address will not be published.