ସାଲେପୁରରେ ବିଜେପି ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ପନିକିରେ ବିଜେଡି କର୍ମୀଙ୍କ ଆକ୍ରମଣ: ଧାମନଗରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

କଟକ: କଟକ ଜିଲ୍ଲା ସାଲେପୁର ମାଳଶାସନ ୧୮୪ ଓ ୧୮୫ ନମ୍ବର ବୁଥରେ ଘଟିଛି ନିର୍ବାଚନୀ ହିଂସା। ଏଠାରେ ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟଙ୍କ ଏଜେଣ୍ଟ ଓ ୩ଜଣ ସମର୍ଥକଙ୍କୁ ବିଜେଡି ସମର୍ଥକ ମରଣାନ୍ତକ ଆକ୍ରମଣ କରିବା ସହ ଠେଙ୍ଗାରେ ପିଟିଥିବାର ଅଭିଯୋଗ ହୋଇଛି। ସମସ୍ତ ଆହତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଥ୍ କ୍ୟାପଚରିଂ କରିବାକୁ ବିରୋଧ କରିବାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ଆହତଙ୍କ କହିବା ଅନୁସାରେ, ଶତାଧିକ ବିଜେଡି ସମର୍ଥକ ବୁଥ୍ ଭିତରକୁ ପଶି ବୁଥ୍ କ୍ୟାପଚର କରିବାକୁ ଚେଷ୍ଟା କରିବା ସମୟରେ ତାଙ୍କୁ ବିରୋଧ କରିଥିଲେ ବିଜେପି ପ୍ରାର୍ଥୀଙ୍କ ଏଜେଣ୍ଟ। ହେଲେ ତାଙ୍କୁ ଧମକ ଦେବାରୁ ସେ ଦୌଡ଼ି ପଳାଇଆସୁଥିବାବେଳେ ପଛପଟୁ ତାଙ୍କୁ ପନିକିରେ ଆକ୍ରମଣ କରିଥିଲେ। ତାଙ୍କ ସହ ଅନ୍ୟ ୪ ଜଣଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେଡି ସମର୍ଥକ। ତେବେ ଯେଉଁଠି ବିଜେଡିର ଭୋଟ କମିବା ସମ୍ଭାବନା ରହିଛି, ସେଠାରେ ବିଜେଡି ସମର୍ଥକମାନେ ଲୋକଙ୍କୁ ଡରାଇ ଧମକାଇ ବିଜେଡିରେ ଭୋଟ ଦେବାକୁ କହୁଥିବା କହିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ୍ ରାୟ। ପୁଲିସ ଆଗରେ ସବୁ ଘଟଣା ଘଟଣା ଘଟିଥିବାବେଳେ ପୁଲିସ ଚୁପ୍ ରହୁଥିବା ଅଭିଯୋଗ ହୋଇଛି।
ସେପଟେ ଭଦ୍ରକ ଜିଲ୍ଲା ଧାମନଗର ଦୋବଲ ପଞ୍ଚାୟତର ୧୫୧ ନମ୍ବର ବୁଥରେ ମଧ୍ୟ ନିର୍ବାଚନୀ ହିଂସା ଘଟିଛି। ବୁଥ ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଛି।

nis-ad
Leave A Reply

Your email address will not be published.