ଅର୍ଦ୍ଧନିର୍ମିତ ଅଙ୍ଗନବାଡି କୋଠା କାର୍ଯ୍ୟ ସରିବ କେବେ ?

ଉମରକୋଟ : ଦୁର୍ନୀତିରେ ଉବୁଟୁବୁ ନବରଙ୍ଗପୁର ଜ଼ିଲ୍ଲାର ଏକ ଉପାନ୍ତ ଅଞ୍ଚଳ ରାଇଘର ବ୍ଳକ କହିଲେ ଭୁଲ ହେବ ନାହିଁ। ଏହି ବ୍ଲକରେ ସବୁ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକ ଠିକାଦାର, ଜିଆରଏସ ଓ ଓଭରସିଆର ବାବୁଙ୍କ ମନ ମର୍ଜିରେ ହୁଏ । ବାରଂବାର ବିଭିନ୍ନ ଗଣମାଧ୍ୟମରେ ଦୁର୍ନୀତିର ପର୍ଦାଫାଶ ହେଲେ ବି ଠିକାଦାର ଜିଆରଏସ ଓ ଓଭରସିଆର ବାବୁ ମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଗଣମାଧ୍ୟମରେ ଯେତେ ଦୁର୍ନୀତିର ପର୍ଦାଫାଶ ହେଉଛି ସେତିକି ଦୁର୍ନୀତି ବଡ଼ି ବଡ଼ି ଚାଲିଛି।
ସୂଚନା ପ୍ରକାରେ ରାଇଘର ବ୍ଲକର ଗଞ୍ଜାପାରା ପଞ୍ଚାଏତ ଅନ୍ତର୍ଗତ ହାତୀବେନା ଡିଏନକେ ୩୧/ଏ ଗ୍ରାମରେ ପୁରାତନ ଅଙ୍ଗନବାଡି ସେଣ୍ଟରଟି ଅତି ଜରାଜୀର୍ଣ୍ଣ ହୋଇ ଯାଇଥିବାରୁ, କୁନି କୁନି କୋମଳମତି ଶିଶୁ ମାନଙ୍କ ପ୍ରତି ବିପଦର ଆଶଙ୍କା ଥିବାରୁ ବିଗତ ବର୍ଷ ଏକ ଅଙ୍ଗନବାଡି ସେଣ୍ଟର ଅନୁମୋଦନ ହୋଇଥିଲା । ସେହି ଅଙ୍ଗନବାଡି ସେଣ୍ଟରଟିକୁ ହାତୀବେନା ଗ୍ରାମର ପ୍ରଭାସ ସରକାର ( କୁଟ୍ଟୀ ) ଠିକାଦାର କାର୍ଯ୍ୟ ଆରମ୍ଭ କରି ଥିଲେ । କିନ୍ତୁ ସେହି ନୂଆ ଅଙ୍ଗନବାଡି କେନ୍ଦ୍ରଟି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଆଜିକୁ ବର୍ଷେ ଉପରେ ହେବ ସେହିପରି ଦଣ୍ଡାୟମାନ । ଗ୍ରାମର ବାସିନ୍ଦାମାନେ ଯେତେ କହିଲେ ବି କିଛି କାର୍ଯ୍ୟାନୁଷ୍ଠାନ ହୋଉ ନାହିଁ କି ପ୍ରଶାସନର ଦୃଷ୍ଟି ପଡୁ ନାହିଁ। ପୁରୁଣା ଅଙ୍ଗନବାଡି କେନ୍ଦ୍ର ଆଗରେ କାହିଁକି ଏହି କୋଠାଘର ନିର୍ମିତ ହେଲା ଏବଂ କୁନି କୁନି ଶିଶୁ ମାନଙ୍କ ଅନ୍ୟ ଗୋଟିଏ ଛୋଟ ଘରେ ଅତି କଷ୍ଟରେ ଅଙ୍ଗନବାଡି ଦିଦି ଜଣକ ଶିକ୍ଷା ଦାନ କରୁଛନ୍ତି। ଗ୍ରାମର ଭଦ୍ର ବ୍ୟକ୍ତି ମାନେ ପ୍ରଭାସ ସରକାରଙ୍କୁ ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି ବିଷୟରେ ପଚାରିଲେ କହୁଛନ୍ତି – ଆଜି କରିବି କାଲି କରିବି କହି ଦିନ ଗଡେଇ ଗଡେଇ ଚାଲୁଛନ୍ତି । ଜ଼ିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ହାତୀବେନା ଡିଏନକେ ୩୧/ଏ ଗ୍ରାମର ଏହି ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି କୋଠା ଘର ଉପରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

nis-ad
Leave A Reply

Your email address will not be published.