ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ତଥା ଅଞ୍ଚଳର ପ୍ରସିଦ୍ଧ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ବୁଧବାର ଠାରୁ ଆରମ୍ଭ ହେବ । ଉକ୍ତ ଯାତ୍ରାତ୍ସୋବ ପାଳନ ସକାଶେ ହିଞ୍ଜିଳିକାଟୁ ସହର ବେଶ୍ ଚଳଚଞ୍ଚଳ ହୋଇ ଉଠିଛି । ବିଭିନ୍ନ ସାହି ବସ୍ତିକୁ ରଙ୍ଗବେରଙ୍ଗ ବାନାମାଳ ସାଜସଜ୍ଜା ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଯାତ୍ରାର ପ୍ରଥମ ଦିବସ ବୁଧବାର ରାଜପରିବାର ସମେତ ରଙ୍ଗଣିବାଡ ପକ୍ଷରୁ ପାଳନ କରାଯିବ । ଅନୁରୂପ ଭାବେ ସ୍ଥାନୀୟ ପୈାରାଞ୍ଚଳ ପାଟଣା ସାହି ପକ୍ଷରୁ ମଧ୍ୟ ପ୍ରଥମ ଦିବସ ପାଳନ କରାଯିବ । ଏଥି ନିମନ୍ତେ ବିଭିନ୍ନ ସାହିରେ ଅସ୍ଥାୟୀ ଭାବେ ସ୍ଥାପନ ହେବାକୁ ଥିବା ଆକର୍ଷଣୀୟ କଳାକୁଞ୍ଜ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଚଳିତ ବର୍ଷ ମହାଆଡମ୍ବର ସହକାରେ ଯାତ୍ରା ଆୟୋଜନ କରିବା ନେଇ ବିଭିନ୍ନ ସାହିବସ୍ତିର ଯୁବଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରାମ, ପର୍ଶୁରାମ, ବୀର ହନୁମାନ, ଜାରାଶବର ସମେତ ଅନ୍ୟାନ ମନଲୋଭା କଳାକୁଞ୍ଜ ଗୁଡିକୁ ବିଭିନ୍ନ ସାହି ବସ୍ତିରେ ଆଲୋକମାଳାରେ ଝଟକିବ । ମାନସିକଧାରୀ ଭକ୍ତ ମାନେ ରାମ, କୃଷ୍ଣ, ପିଲାଖାଇ ଡାହାଣୀ, ବାଘ, ଅସୁର/ଅସୁରଣୀ, କାଚରା, ଖଟବିଦ୍ୟା ଆଦି ବିଭିନ୍ନ ବେଶ ଭୁଷାରେ ଆଭରଣ ହୋଇ ସହର ମଧ୍ୟରେ ପାରମ୍ପରିକ ଭିକ୍ଷାକାମନା କରିବା ଦୃଶ୍ୟ ବେଶ ଆକର୍ଷଣୀୟ ହେବ । ବାଦ୍ୟବାଜଣା ସହ ମାନସିକଧାରୀଙ୍କ ନୃତ୍ୟ ଓ ସଙ୍ଗୀତରେ ସହର ପ୍ରକମ୍ପିତ ହୋଇଉଠିବ । ଯାତ୍ରାତ୍ସୋବର ମୁଖ୍ୟ ଆକର୍ଶଣ ବାଣ ପଟୁଆର ସହ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ବିମାନ ଯୋଗେ ଗ୍ରାମ ପରିକ୍ରମା ଦେଖିବା ସକାଶେ ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ପ୍ରାୟ ୪୦ଖଣ୍ଡ ଗ୍ରାମବାସୀଙ୍କ ସମାଗମ ହେଉଥିବା ପରିଲିକ୍ଷିତ ହେଉଛି । ଏଣୁ ଏକ ଭକ୍ତିମୟ ପରିବେଶରେ ଯାତ୍ରାତ୍ସୋବ ପାଳିତ ହେବା ସହ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭକ୍ତିଭାବର ସମନ୍ୱୟ ଦେଖିବାକୁ ମିଳିବ ।
ପ୍ରଶାସନ ପକ୍ଷରୁ ପାନୀୟଜଳ, ପରିମଳ, ଶାନ୍ତି ଶୃଙ୍ଖଳା, ନିରବିଛନ୍ନ ବିଦ୍ୟୁତ ସେବା, ସ୍ୱାସ୍ଥ୍ୟ ସେବା ଓ ଅଗ୍ନିକାଣ୍ଡ ଆଦି ପ୍ରତି ପ୍ରତିକାର ମୂଳକ ପଦକ୍ଷେପ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଯାତ୍ରାର ସୁପରିଚାଳନା ସକାଶେ ବଡ ରଙ୍ଗଣିସାହି ଯାତ୍ରାଧିକାରୀ ବଂଶୀଧର ସାହୁ କେଉଟସାହି ଯାତ୍ରା କମିଟି ସଭାପତି ପ୍ରମୋଦ ବେହେରା ଓ ପାଟଣା ସାହି ଯାତ୍ରା କମିଟି ପକ୍ଷରୁ ସହରବାସୀଙ୍କ ସହଯୋଗ କାମନା କରିଛନ୍ତି ।