ଗଞ୍ଜାମ ଜିଲ୍ଲା ରେ ସରିଲା ନିର୍ବାଚନ : ଏବେ ନେତାଙ୍କ ଭାଗ୍ୟ ଇ.ଭି.ଏମ ରେ : ପୁରୁଷ ଅପେକ୍ଷା ମହିଳା ଙ୍କ ଭୋଟ ହାର ଅଧିକ…


ହିଞ୍ଜିଳିକାଟୁ, ୨୨/୫ (): ଚଳିତ ମାସ ୨୦ ତାରିଖରେ ଓଡ଼ିଶା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏଥିରେ ଆସିକା ସଂସଦୀୟ କ୍ଷେତ୍ର ଅଧିନସ୍ଥ ୭ଟି ବିଧାନସଭା ଆସନ ସକାଶେ ମତଦାନ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖିଆଙ୍କ ଗଡ ଭାବେ ପରିଚିତ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ମଧ୍ୟ ଶେଷ ହୋଇଛି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ (୧,୨୦,୮୮୯ ପୁରୁଷ ଭୋଟର, ୧,୧୧,୨୦୨ ମହିଳା ଭୋଟର ଓ ୧୮ ଜଣ ତୃତୀୟ ଲିଙ୍ଗୀ ଭୋଟର)୨ ଲକ୍ଷ ୩୨ ହଜାର ୧୦୯ ଭୋଟରଙ୍କ ମଧ୍ୟରୁ ୬୧.୦୧ ପ୍ରତିଶତ ମତଦାନ ହେବା ସହ (ପୁରୁଷ ଭୋଟର ୬୯,୪୪୦, ମହିଳା ଭୋଟର ୭୨୧୬୦ ଓ ତୃତୀୟ ଲିଙ୍ଗୀ ୪ ଜଣ ଭୋଟର)୧ ଲକ୍ଷ ୪୧ ହଜାର ୬୦୪ ଭୋଟର ମତଦାନ କରିଥିଲେ । ଚଳିତ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଆସନ ସକାଶେ ଅନୁଷ୍ଠିତ ନିର୍ବାଚନରେ ପୁରୁଷ ଭୋଟରଙ୍କ ଅପେକ୍ଷା ଅଧିକ ସଂଖ୍ୟକ ମହିଳା ଭୋଟର ମତଦାନ କରିଥିଲେ। କା ଭାଁ ହିଂସାକୁ ଛାଡିଦେଲେ ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିଲା । ନିର୍ବାଚନ ପୂର୍ବରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଡିଜେ ସାଉଣ୍ଡରେ ଗାଁ ଦାଣ୍ଡ ଫାଟି ପଡୁଥିବା ବେଳେ ବର୍ତ୍ତମାନ ଡିଜେର କର୍କଶ ଶବ୍ଦ ଶାନ୍ତ ପଡ଼ିଛି । ଲୋକେ ଶାନ୍ତିରେ ବାହାରକୁ ବାହାରୁଛନ୍ତି ଓ ଘରେ ମଧ୍ୟ ଶାନ୍ତିରେ ରହୁଛନ୍ତି । ମାଳମାଳ କୁଜି ନେତା, ତୁଙ୍ଗ ନେତା ଓ ଦଳୀୟ ନେତାଙ୍କ ଆଉ ଦେଖା ନାହିଁ । ପୁଲିସ ବାବୁ ମାନେ ମଧ୍ୟ ଚାଲିଗଲେ । ସମସ୍ତେ ଏବେ ଆଶ୍ୱସ୍ତ ଯେ ନିର୍ବାଚନ ସରିଗଲା । ଭୋଟରଙ୍କୁ ମନେଇବା ପାଇଁ ସବୁ ଦଳର ନେତା ମାନେ ଦିନରାତି ଏକାକାର କରିଦେଇଥିଲେ । କିଏ ଡବଲ ଇଞ୍ଜିନ ସରକାର ଗଢିବା କଥା କହୁଥିଲା ତ ଆଉ କିଏ ମାସିକ ହଜାର ହଜାର ଟଙ୍କା ରୋଜଗାରର କଥା କହୁଥିଲେ । ଅନ୍ୟକୁ ଆରୋପ ପ୍ରତ୍ୟାରୋପରେ ନିର୍ବାଚନ ସରିଛି । ବର୍ତ୍ତମାନ ବାକି ରହିଛି ନିର୍ବାଚନ ଫଳାଫଳକୁ । ଭୋଟ ଗ୍ରହଣ ଠାରୁ ଫଳାଫଳ ପର୍ଯ୍ୟନ୍ତ ନେତା ମାନଙ୍କର ବିଶ୍ରାମର ବେଳ । ଦିନରାତି ଭୋଟରଙ୍କ ପଛରେ ଗୋଡ଼େଇ ଗୋଡ଼େଇ ହାଲିଆ ହୋଇଥିବା ନେତା ଏବେ କିଛି ଦିନ ବିଶ୍ରାମ ନେବେ । କିଏ ସହର ବାହାରକୁ ନିରୋଳାରେ କିଛି ମୁହୁର୍ତ୍ତ ବିତାଇବାକୁ ଯାଇଥିବା ବେଳେ ଆଉ କିଛି ନେତା ପରିବାର ସହ ସମୟ ବିତାଉଛନ୍ତି । ତେବେ ଯେତେ ଅନ୍ୟମନସ୍କ ରହିଲେ ମଧ୍ୟ ମନ ସେଇ ଆସନ୍ତା ଜୁନ ୪ ତାରିଖରେ ପ୍ରକାଶ ପାଇବାକୁ ଥିବା ନିର୍ବାଚନ ଫଳାଫଳ ପାଖେ ବୋଲି ସାଧାରଣରେ ବୋଲି ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଥାଉକି, ଚଳିତ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଆସନରେ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିଲେ । ଚଳିତ ସାଧାରଣ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଅସନରେ ବିଜେଡ଼ିର ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ୯ ଜଣ ନୁଆଁ ଚେହେରା । ବିଜେପିରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, କଂଗ୍ରେସରୁ ରଜନୀକାନ୍ତ ପାଢି, ବହୁଜନ ସମାଜପାର୍ଟିର ବଳରାମ ନାହାକ, ଏସୟୁସିଆଇ(କମ୍ୟୁନିଷ୍ଟ)ରୁ ନାରାୟଣ ସାହୁ, ଆମ ଆଦମୀ ପାର୍ଟୀ ପକ୍ଷରୁ ଭଜରାମ ସାବତ, ସ୍ୱାଧିନ ପ୍ରାର୍ଥୀ ଭାବେ ରାମ ନାରାୟଣ ବିଶ୍ୱାସରାୟ, ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ନେତା ଅକ୍ଷୟ କୁମାର, ଏସ୍‌. ଲକ୍ଷ୍ମୀ ଆଚାରୀ, ଓ ସବିତା କୁମାରୀ ସାହୁ ।

nis-ad
Leave A Reply

Your email address will not be published.