କାର୍ଯ୍ୟରତ ସାମ୍ବାଦିକଙ୍କୁ ବାଲିଗୁଡା ଏସଡ଼ିପିଓ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣା : ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲା ଜାତୀୟ ଗଣମାଧ୍ୟମ କାଉନସିଲ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଦୁଇଜଣ କାର୍ଯ୍ୟରତ ସାମ୍ବାଦିକ ତଥା ଫିରିଙ୍ଗିଆ ପ୍ରେସ କ୍ଳବ କୋଷାଧକ୍ଷ ସୁବ୍ରତ କୁମାର ମହାନ୍ତି ଓ ସଭାପତି ଉତ୍ତମ ଖମାରି ଙ୍କୁ ବାଲିଗୁଡା ଏସଡିପିଓ ରାହୁଲ ଗୋୟେଲ ଙ୍କ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣାରେ ଗୁରୁବାର ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୟ ପ୍ରେସ କାଉନସିଲ I ତେବେ ଜାତୀୟ ପ୍ରେସ୍ କାଉନସିଲର ସଦସ୍ୟ ତଥା ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ପଦକ୍ଷେପ ଯୋଗୁଁ କାଉନସିଲର ଅଧକ୍ଷା ଜଷ୍ଟିସ ଶ୍ରୀମତୀ ରଞ୍ଜନା ପ୍ରକାଶ ଦେଶାଇ ନିଜଆଡୁ ରାଜ୍ୟ ସରକାରଙ୍କୁ ଏହି ରିପୋର୍ଟ ତଲବ କରିଥିବା ଜଣାପଡିଛି । ଯାହାପାଇଁ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କୁ କନ୍ଧମାଳ ଜିଲ୍ଲାର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ଧନ୍ୟବାଦ ଜ୍ଞାପନ କରିଛନ୍ତି I ତେବେ ସୂଚନା ଅନୁସାରେ ଗତ ତେର ତାରିଖ ଅପରାହ୍ନ ଦୁଇଟା ସମୟରେ ଫିରିଙ୍ଗିଆ ଥାନାରୁ ଫିରିଙ୍ଗିଆ ଥାନା ଅଧୀନରେ ଥିବା ରତଙ୍ଗ ପଞ୍ଚୟତର ବେଙ୍ଗେସି ଗାଁ ରେ କିଛି ଲୋକ ସାଧା ପୋଷାକ ରେ ଆସି ଅସ୍ତ୍ରଶସ୍ତ୍ର ଧରି ନିଜକୁ ପୋଲିସର ପରିଚୟ ଦେଇ ଗଞ୍ଜେଇ ରେଡ଼ କରିବା ନାଁରେ ଘରେଘରେ ପଶୁଥିବା ନେଇ ଖବର ପାଇବା ପରେ, ଏହି ଦୁଇ ସାମ୍ବାଦିକ ତତକ୍ଷଣାତ ଘଟଣା ସ୍ଥଳରେ ପହଂଚି ବା ପରେ କେଳାପଡା ଠାରୁ ବାଲକିଦାଡି ଯିବା ମୁଖ୍ୟରାସ୍ତାର ପିପଲପଦା ଗାଁ ନିକଟରେ କିଛିଲୋକ ଗୋଟିଏ ନମ୍ବର ବିହୀନ ବୋଲେରୋ ପିକଅପ ରେ କିଛି ଗଞ୍ଜେଇ ଭର୍ତି ବ୍ୟାଗ ବୋଝେଇ ହୋଇଥିବା ବେଳେ ଅନ୍ୟ ଏକ ବୋଲେରୋରେ କିଛି ଲୋକ ବସିଥିବା ଦେଖିବାକୁ ପାଇଥିଲେ।
ସାମ୍ବାଦିକ ଉତ୍ତମ ଖମାରି ନିଜ ମୋବାଇଲ ବାହାର କରି ଫୋଟୋ ଓ ଭିଡ଼ିଓ ଉତ୍ତୋଳନ କରିବା ସମୟରେ ଉକ୍ତ ବୋଲେରୋ ଗାଡ଼ିରୁ ଜଣେ ବ୍ୟକ୍ତି ବାହାରକୁ ଆସି କାହା ପରମିସନରେ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରୁଛ କହି ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏହାସହ ସାମ୍ବାଦିକ ସୁବ୍ରତ ମହାନ୍ତି ଧରିଥିବା ଟିଭି ବୁମ କୁ ଭାଙ୍ଗି ଦେବାପାଇଁ ଧମକ ଦେବା ସହ ଜୀବନରୁ ମାରିଦେବାପାଇଁ ଧମକ ଦେଇଥିଲେ। ପରେ ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଂଚିବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ବାଲିଗୁଡାରେ କାର୍ଯ୍ୟରତ ଏସଡିପିଓ ରାହୁଲ ଗୋୟେଲ ବୋଲି ଜଣାପଡିଥିଲା। ଘଟଣାକୁ ନେଇ ଏସଡିପିଓ ରାହୁଲ ଗୋୟେଲଙ୍କ ନିର୍ଦ୍ଦେଶ କ୍ରମେ କ. ନୂଆଗାଁ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ସାମ୍ବାଦିକ ମାନେ ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ଏସଡିପିଓଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ୍ୟ ପୋଲିସ ସାମ୍ବାଦିକ ଙ୍କ ଏତଲାକୁ ଗ୍ରହଣ କରିନଥିଲା I ଏହି ଘଟଣାକୁ ନେଇ ଜିଲ୍ଲାର ଶତାଧିକ ସାମ୍ବାଦିକ କନ୍ଧମାଳ ଏସପିଙ୍କ ସହ ଆଲୋଚନା କରିବା ପାଇଁ ଯାଇଥିବା ବେଳେ ଏସପି କାର୍ଯ୍ୟାଳୟରେ ଅନୁପସ୍ଥିତି ଥିବା ଯୋଗୁଁ ଅତିରିକ୍ତ ଏସପି ଲଳିତ ମୋହନ ପଟ୍ଟନାୟକଙ୍କୁ ଦେଖା କରିବା ସହ ଲିଖିତ ଭାବରେ ମଧ୍ୟ୍ୟ ଜଣାଇ ଥିଲେ I ଘଟଣାକୁ ତିନିଦିନ ବିତିଯାଇଥିବା ବେଳେ ଏସଡିପିଓ ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଓ ଏହି ଘଟଣାର କୌଣସି ନିଷ୍କର୍ଷ ନବାହାରିବାରୁ ବାଧ୍ୟ ହୋଇ କନ୍ଧମାଳ ଓୟୁଜେର ସଭାପତି ଅଶୋକ ମହାନ୍ତି ଓ ଅନ୍ୟସଦସ୍ୟ ମାନେ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଙ୍କୁ ଲିଖିତ ଭାବରେ ଜଣାଇ ଥିଲେ। ତେବେ ଘଟଣା ଟି ଫିରିଙ୍ଗିଆ ଥାନା ଅଂଚଳରେ ଘଟିଥିବା ବେଳେ ଦୁଇ ସାମ୍ବାଦିକଙ୍କ ନାମରେ କ. ନୂଆଗାଁ ଥାନା ରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ଫିରିଙ୍ଗିଆ ଥାନାରେ ସାମ୍ବାଦିକ ମାନେ ଏସଡିପିଓଙ୍କ ନାମରେ ଏତଲା ଦେବା ପରେ ତାଙ୍କ ଏତଲାକୁ ରଖା ନଯିବା ଘଟଣା ସାମ୍ବାଦିକ ମହଲରେ ଏକ ବଡ ଦ୍ବନ୍ଦ୍ବବୋଧ ହୋଇଛି।