ଫୁଲବାଣୀ,: ଆସନ୍ତା ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲ୍ଲାର ସାଂସଦ ଏବଂ ସାତଟି ବିଧାୟକ ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଭଳି ସମସ୍ତ ତିନିଟି ମୁଖ୍ୟ ରାଜନୈତିକ ଦଳ ମାନେ ସେମାନଙ୍କର ପ୍ରାର୍ଥି ମାନଙ୍କର ନାମକୁ ଘୋଷଣା କରିସାରିଛନ୍ତି । ତେବେ ଏହି ଘୋଷଣା ପୁର୍ବରୁ ଜିଲ୍ଲାରେ ବିଭିନ୍ନ ଦଳର ନେତା ଓ କର୍ମୀ ମାନଙ୍କର ଦାବୀ ଓ ଲବି ହୋଇଥିବା ସହିତ ଏକ ପ୍ରକାରର ପ୍ରତିଯୋଗୀତା ମଧ୍ୟ ହୋଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରାର୍ଥି ମାନଙ୍କର ନାମ ଘୋଷଣା ପରେ ପୁଣି ଆଶାୟୀ ମାନଙ୍କର ପ୍ରତିକ୍ରିୟାରେ ପରିବର୍ତ୍ତନ ଦେଖିବାକୁ ମିଳିଛି । କିଛି ଦଳୀୟ କର୍ମୀ ଓ ପୁରୁଖା ନେତା ମାନେ ଦଳରୁ ଇସ୍ତଫା ଦେଇଛନ୍ତି । ଖାଲି ସେତିକି ନୁହେଁ ସେମାନଙ୍କ ମଧ୍ୟରୁ କିଛି ଅନ୍ୟ ଦଳରେ ପ୍ରାର୍ଥି ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମଧ୍ୟ ପ୍ରସ୍ତୁତି ଚଳାଇଥିବା ଶୁଣାଯାଉଛି । ମୋଟାମୋଟି ଭାବରେ କହିବାକୁ ଗଲେ ବିଭିନ୍ନ ମହଲରେ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ତାହାର ଅନ୍ତ ଘଟିବା ସହିତ ଜିଲ୍ଲାରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି । ସେହିପରି କନ୍ଧମାଳ ଜିଲ୍ଲା କୁଈ ସମାଜ ସେବା ସହିତି ଚଳିତ ଥର ଏକ ଅଭିନବ ଦାବୀ ରଖିଛି ରାଜନୈତିକ ଦଳ ମାନଙ୍କ ପାଇଁ । କନ୍ଧମାଳ ଜିଲ୍ଲା ସାଂସଦ ଭାବରେ ବିଜେଡି ଦଳ ପୁର୍ବତନ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କୁ ରିପିଟ୍ କରିଥିବା ବେଳେ ଭାଜପା ଦଳ ଦଶପଲ୍ଲା ଅଂଚଳର ସୁକାନ୍ତ ପାଣିଗ୍ରାହୀଙ୍କୁ ଟିକଟ ଦେଇଛି । ସେହିପରି ଫୁଲବାଣୀ ବିଧାୟକ ପ୍ରାର୍ଥିନୀ ଭାବରେ କଂଗ୍ରେସ ଦଳ ପ୍ରତିଭା କହଁରଙ୍କୁ ଏବଂ ବାଲିଗୁଡା ବିଧାୟକ ପ୍ରାଥିୀ ଭାବରେ ଭାଜପା କଳ୍ପନା କହଁର ଏବଂ କଂଗ୍ରେସ ଦଳ ବିଧାୟକ ସୁରଦା ପ୍ରଦାନଙ୍କୁ ପ୍ରାର୍ଥୀ କରିଛି । ତେବେ କନ୍ଧମାଳ ସାଂସଦ କ୍ଷେତ୍ର ବାହାରୁ ଆସିଥିବା ସାଂସଦ ପ୍ରାର୍ଥି ଅଚ୍ୟୁତ ସାମନ୍ତଙ୍କ ଟିକଟକୁ ପ୍ରତ୍ୟାହାର କରି କନ୍ଧମାଳ ଜିଲ୍ଲା ସଂସଦୀୟ କ୍ଷେତ୍ରର ଯେ କୌଣସି ପ୍ରାର୍ଥିଙ୍କୁ ଟିକଟ ଦେବା ପାଇଁ ଦାବୀ କରିଛି କନ୍ଧମାଳ ଜିଲ୍ଲା କୁଈ ସମାଜ ସେବା ସମିତି । ସେହିପରି ଫୁଲବାଣୀ ବିଧାୟୀକା ପ୍ରାର୍ଥି ପ୍ରତିଭା କହଁର ଜଣେ ଅଣ ଆଦିବାସୀଙ୍କୁ ବିବାହ କରିଥିବାରୁ ଏବଂ ସୁରଦା ପ୍ରଦାନ ଓ କଳ୍ପନା କହଁର ପ୍ରକୃତ ଆଦିବାସୀ ହୋଇନଥିବା ନେଇ ଅଭିଯୋଗ କରିବା ସହିତ ସେମାନଙ୍କର ଦଳୀୟ ପ୍ରାର୍ଥିତ୍ୱକୁ ବାତିଲ କରିବାକୁ ଦାବୀ କରିଛି ସମାଜ ।
ଆଜି ଫୁଲବାଣୀ କୁଈ ସମାଜ ସେବା ସମିତି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମୀଳନୀରେ ଏହି ସୁଚନା ପ୍ରଦାନ କରାଯାଇଛି । ଏହି ଦାବୀକୁ ପୁରଣ କରା ନ ଗଲେ ଆସନ୍ତା ୧୬ ତାରିଖରେ ୧୨ ଘଣ୍ଟିଆ କନ୍ଧମାଳ ଜିଲ୍ଲାରେ ବନ୍ଦ ଡାକରା ଦିଆଯିବା ନେଇ କୁଈ ସମାଜ ସେବା ସମିତିର ଜିଲ୍ଲା ସମ୍ପାଦକ ଅବନି କୁମାର କହଁର କହିଛନ୍ତି । ଜିଲ୍ଲାରେ ଆଦିବାସୀ ସଂଖ୍ୟା ଗରିଷ୍ଠତା ଥିବା ସ୍ଥଳେ ଆଦିବାସୀ ମାନଙ୍କ ବାବଦରେ ଯେକୌଣସି ନିଷ୍ପତି ନେବା ପୁର୍ବରୁ କୁଈ ସମାଜର ମତାମତ ଲୋଡିବା ଆବଶ୍ୟକ ବୋଲି କହିଛନ୍ତି । ଫିରିଙ୍ଗିଆ ଶାଖାର ସଭାପତି ତଥା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମୁକୁନ୍ଦ କହଁର କହିଛନ୍ତି l ସରକାରଙ୍କର ସମସ୍ତ ନୀତି ନିୟମକୁ କୁଈସମାଜର ପରମ୍ପରା ମାନେନାହିଁ ତେଣୁ ସେହି ପ୍ରାର୍ଥୀ ମାନଙ୍କର ପ୍ରାର୍ଥିତ୍ୱକୁ କୁଈ ସମାଜ ମାନିବ ନାହିଁ । ତେଣୁ ଆସନ୍ତା ୧୬ ତାରିଖରେ ଏହାର ବିରୋଧ କରାଯିବା ସହ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ଡାକରା ଦିଆଯିବ ବୋଲି କହିଛନ୍ତି । ଏହି ଅବସରରେ କୁଈ ସମାଜ ପକ୍ଷରୁ, କନ୍ଧମାଳ ଜିଲ୍ଲା ଭାଜପାର ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,କଂଗ୍ରେସର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଏବଂ କନ୍ଧମାଳ ଜିଲ୍ଲା ସାଂସଦ ପ୍ରର୍ଥିୀ ଡ.ଅଚ୍ୟୁତ ସାମନ୍ତଙ୍କ ତୈଳଚିତ୍ରକୁ ରାଜରାସ୍ତାରେ ନିଆଁ ଲଗାଇଥିଲେ ସମିତିର ସମସ୍ତ ସଦସ୍ୟ ଓ କର୍ମୀମାନେ ।ଏହି ଅବସରରେ କୁଈ ସମାଜର ଜିଲ୍ଲା ଉପସଭାପତି ରମାକାନ୍ତ ଦିଗାଲ,ନାରୀ ସଭାନେତ୍ରୀ ସୌଦାମିନି କହଁର,ଯୁବ ସଦସ୍ୟ ଗୋଲ କ କହଁର, ଅଚ୍ୟୁତ ଜାନୀ, ଭାବିନ୍ଦ୍ର କହଁର,ଅର୍ଜୁନ କହଁର, ଗୀତାଞ୍ଜଳି କହଁର, ଗୌତମ କହଁର,ସମୀର ଝାଙ୍କର,କୃଷ୍ଣଚନ୍ଦ୍ର କହଁର, ମନୋଜ କୁମାର ପ୍ରଧାନ, ଲଳିତ କୁମାର ମଲ୍ଲିକ, ଶଙ୍କର କହଁର,ସସ୍ମିତା ମଲ୍ଲିକ,ସମୀର ଘଟାଲ, ରାଜକୁମାର କହଁର,ସଞ୍ଜୟ ମଲ୍ଲିକ,ଶୁକଦେବ ପ୍ରଧାନ ଏବଂ ମସ୍ତରାମ ମଲ୍ଲିକଙ୍କ ସମେତ ଅନେକ ସଦସ୍ୟ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।