ପ୍ରବଳ ଗ୍ରୀଷ୍ମପ୍ରବାହ ମଧ୍ୟରେ ସଫଳ ନିର୍ବାଚନ ପରିଚାଳନା ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ତାରିଖ ଅନୁସାରେ ମଇ ୧୩, ୨୦, ୨୫ ଓ ଜୁନ ୧ରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ମତଦାନ ହେବ । ଏହି ସମୟରେ ସାଧାରଣତଃ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଥାଏ । ତେଣୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ସମ୍ଭାବ୍ୟ କାଳବୈଶାଖୀ ମଧ୍ୟରେ ସଫଳ ନିର୍ବାଚନ ପ୍ରକ୍ରିୟା ପରିଚାଳନା ପାଇଁ ଆଜି ଭୁବନେଶ୍ୱରସ୍ଥ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ମାଥିଭାଥନନ୍‌, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ୍‌, ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ୍‌ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକ ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟରେ ଓଡ଼ିଶାରେ ବିନା କୌଣସି ଜନଜୀବନହାନିରେ ଉଚ୍ଚ ମତଦାନ ହାରକୁ ବଜାୟ ରଖିବା ସହ ତ୍ରୁଟିଶୂନ୍ୟ ନିର୍ବାଚନ ପ୍ରକ୍ରିୟାର ଆହ୍ୱାନ ବିଷୟରେ ଅବଗତ କରାଇଥିଲେ । ମତଦାନ ଦିବସ ଓ ମତଗଣନା ଦିବସରେ ଯେପରି ଭାବରେ ବିନା କୌଣସି ବାଧାବିଘ୍ନରେ ସମସ୍ତ କାର୍ଯ୍ୟ ସମାପନ ହେବ ସେଥି ପାଇଁ ବିଭିନ୍ନ ବିଭାଗର ସମନ୍ୱୟ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜୋର ଦେଇଥିଲେ ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମତଦାନ କେନ୍ଦ୍ରରେ ବିଶେଷ ବ୍ୟବସ୍ଥା କରାଯିବ । ପ୍ରତିଟି ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ, ମହିଳା ଓ ପୁରୁଷଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ଧାଡ଼ି ବାନ୍ଧିବା ପାଇଁ ଛାଇ, ଚୌକି ଓ ପ୍ରତୀକ୍ଷା କକ୍ଷର ବ୍ୟବସ୍ଥା ରହିବ । ଏହିସବୁ ସ୍ଥାନରେ ଅବ୍ୟାହତ ବିଜୁଳି ଓ ପଙ୍ଖା ରହିବ । ସମସ୍ତ ମତଦାନ କେନ୍ଦ୍ରରେ ଜଣେ ଲେଖାଏଁ ଆଶାକର୍ମୀ ରହିବେ । ସେମାନଙ୍କ ପାଖରେ ଅଂଶୁଘାତ ମୁକାବିଲା ପାଇଁ ଅତ୍ୟାବଶ୍ୟକ ଔଷଧପତ୍ର ରହିବ । ପ୍ରତିଟି ସେକଫର ଅଫିସରଙ୍କ ସହ ଜଣେ ପାରା-ମେଡିକାଲ କର୍ମୀ ମଧ୍ୟ ରହିବେ । ଯଦି କେହି ଅଂଶୁଘାତର ଶିକାର ହୁଅନ୍ତି ତେବେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ପହଞ୍ଚାଯିବ । ଏଥି ପାଇଁ ମତଦାନ ଦିବସଗୁଡ଼ିକରେ ଅଧିକ ସଂଖ୍ୟକ ଆମ୍ବୁଲାନ୍ସ ମହଜୁଦ ରଖାଯିବ ।

ସୂଚନା-ଶିକ୍ଷା-ପ୍ରଚାର ମାଧ୍ୟମରେ ଅଂଶୁଘାତ ସତର୍କତା ବାର୍ତ୍ତା ଜନସାଧାରଣଙ୍କ ପାଖକୁ ପହଞ୍ଚାଇ ଦିଆଯିବ । ଏହା ସହ ପ୍ରତିଟି ବୁଥ୍‌ରେ ଜଳଛତ୍ର ଖୋଲାଯିବା ସହିତ ଓଆର୍‌ଏସ୍‌ ଉପଲବ୍ଧ କରାଯିବ । ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ସମୟରେ ଡାକ୍ତରମାନଙ୍କ ଦ୍ୱାରା ସେମାନଙ୍କୁ ଅଂଶୁଘାତ ସମ୍ବନ୍ଧୀୟ ସଚେତନତା ପ୍ରଶିକ୍ଷଣ ଦିଆଯିବ । ଏହି ସମସ୍ତ ବ୍ୟବସ୍ଥା ମାଧ୍ୟମରେ ମତଦାତାମାନଙ୍କୁ ମତଦାନର ଏକ ସ୍ମରଣୀୟ ଅନୁଭବ ସୃଷ୍ଟି କରିବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି ବୋଲି ଶ୍ରୀ ଧଳ ମତ ଦେଇଥିଲେ ।

ଏହି କ୍ରମରେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଉଥିବା ସମସ୍ତ ଅଧିକାରୀଙ୍କ ପାଇଁ ଉଚିତ ବ୍ୟବସ୍ଥା କରାଯିବା ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଭିତରେ ମଧ୍ୟ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ ଅଧିକାରୀ ଓ ସୁରକ୍ଷା କର୍ମଚାରୀମାନେ ନିଜ ନିଜର ଦାୟିତ୍ୱ ସଂପାଦନ କରିବାକୁ ଯାଉଛନ୍ତି । ତେଣୁ ସେମାନଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଧଳ କହିଥିଲେ । ସେମାନଙ୍କ ରହିବା ବ୍ୟବସ୍ଥା, ଗମନାଗମନ ସୁବିଧା ଓ ଖାଦ୍ୟ ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଥିଲା। ସେମାନେ ଯେପରି ନିର୍ବାଚନ କାର୍ଯ୍ୟ କରିବା ସମୟରେ ଅଂଶୁଘାତର ଶିକାର ନ ହୁଅନ୍ତି, ସେଥିପ୍ରତି ଯନିବାନ ହେବାକୁ ପଡ଼ିବ ବୋଲି ଶ୍ରୀ ଧଳ ମତପ୍ରକାଶ କରିଥିଲେ ।

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ମହିଳା କର୍ମଚାରୀଙ୍କ ବିଷୟରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା । ସମସ୍ତ ବୁଥ୍‌ର ସୁରକ୍ଷା ପାଇଁ ସୁଉଚ୍ଚ ପାଚେରିର ବ୍ୟବସ୍ଥା କରାଯାଇଛି । ଯେଉଁଠାରେ ସଖି ବୁଥ୍‌ (ସଂପୂର୍ଣ୍ଣ ରୂପେ ମହିଳା ପରିଚାଳିତ ବୁଥ୍‌) ରହିବ, ସେଠାରେ ସୁରକ୍ଷା କର୍ମଚାରୀ ମଧ୍ୟ ମହିଳା ରହିବେ । ଓଡ଼ିଶାରେ ନିୟୋଜିତ ନିର୍ବାଚନ କର୍ମଚାରୀଙ୍କ ମଧ୍ୟରେ ପ୍ରାୟ ୩୦ ପ୍ରତିଶତ ମହିଳା କର୍ମଚାରୀ ରହିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବହୁଳ ପ୍ରଚେଷ୍ଟାରେ ଭୋଟର ତାଲିକାରେ ପ୍ରତି ୧୦୦୦ ପୁରୁଷ ଭୋଟର ପିଛା ମହିଳା ଭୋଟରଙ୍କ ସଂଖ୍ୟା ୯୬୧ରୁ ୯୭୪କୁ ବୃଦ୍ଧି ପାଇଛି । ଏହା ଏକ ଗୌରବର ବିଷୟ ଓ ମହିଳାମାନେ ଯେପରି ପ୍ରାଥମିକତା ଭିତ୍ତିରେ ମତଦାନ କରିବେ, ସେଥି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଧଳ ପ୍ରକାଶ କରିଥିଲେ ।

ଏହି ସମସ୍ତ ବ୍ୟବସ୍ଥା ଯେପରି ଉପଯୁକ୍ତ ଭାବରେ ତୃଣମୂଳ ସ୍ତରରେ ଲାଗୁହେବ, ସେଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଉପସ୍ଥିତ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମିହିର ମହାନ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଶକ୍ତି ବିଭାଗ, ପୂର୍ତ୍ତ ବିଭାଗ, ଓସ୍‌ଡମା ଆଦିର ନିର୍ଦ୍ଦେଶକମାନେ ଉପସ୍ଥିତ ରହିଥିଲେ । ତୃଣମୂଳ ସ୍ତରରେ ବିଭାଗୀୟ ସମନ୍ୱୟ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ଆହ୍ୱାନ ମଧ୍ୟରେ ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ନିରପେକ୍ଷ, ତ୍ରୁଟିଶୂନ୍ୟ ରୂପେ ପରିଚାଳନା କରି ସୁଉଚ୍ଚ ମତଦାନ ହାର ପାଇଁ ସମସ୍ତ ପ୍ରୟାସ କରାଯାଉଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ବୈଠକରେ ଚୂଡ଼ାନ୍ତ ମତ ରଖିଥିଲେ ।

nis-ad
Leave A Reply

Your email address will not be published.