ହିଞ୍ଜିଳିକାଟୁ (୮/୪): ଆଗାମୀ ଦିନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଇଲାକାରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଥାନା ଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ବସ୍ ଟର୍ମିନାଲ ପରିସରରେ ରବିବାର ରାତିରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ରବିବାର ରାତ୍ର ପ୍ରାୟ ସାଢେ ୧୦ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ବସ୍ ଟର୍ମିନାଲ ପରିସରରେ ଗୋଟିଏ ଗୋଷ୍ଠୀର ସଂଘବଦ୍ଧ ଆକ୍ରମଣରେ ଏକ ଘରୋଇ ଯାତ୍ରୀବାହୀ ବସର ଚାଳକ ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ବସ୍ ଡ୍ରାଇଭର ହିଞ୍ଜିଳି ଥାନା ଖରିଡା ଗ୍ରାମର ପ୍ରମୋଦ କୁମାର ରାଉଳ (୩୪) ଓ ହେଲପର ପୋଲସରା ଥାନା ଅଞ୍ଚଳର ଅଜୟ କୁମାର ନାୟକ (୨୫) । ଆହତଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ କେସ ନଂ – ୩୫୨/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଆକ୍ରମଣ ଘଟଣାରେ ସଂଶ୍ଳିଷ୍ଟ ୫ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣା ସାହିର ସାଗର ଦାସ (୨୮), ପିଣ୍ଟୁ ଦାସ (୨୧), ଦିପୁ ଦାସ (୨୪), ହିଞ୍ଜିଳି ଠାକୁରାଣୀ ସାହିର ମନୋଜ ଦାସ (୨୪) ଓ ଶିଶିର ଦାସ (୨୫) । ଗିରଫ ସମସ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।
ପ୍ରକାଶ ଯେ, ରବିବାର ରାତ୍ର ପ୍ରାୟ ସାଢେ ୧୦ ଘଣ୍ଟା ସମୟରେ ହିଞ୍ଜିଳିକାଟୁ ଠାରୁ କଟକ ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ (ଓଡି୦୨ ସିକେ ୧୨୪୩ ) ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ପହଞ୍ଚିଥିଲା । ହଠାତ୍ ୮ରୁ ୧୦ ଜଣ ଯୁବକ ବସ୍ ନିକଟରେ ପହଞ୍ଚି ଗାଡି କାହିଁକି ଏଠାରେ ରଖିଛ ବୋଲି କହିବା ସହ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ । ବସ୍ ଚାଳକ ସେମାନଙ୍କୁ କାହିଁକି ଅଭଦ୍ର ଭାଷାରେ ଗାଳି ଗୁଲଜ କରୁଛ ବୋଲି ପଚାରିବାରୁ ସଂପୃକ୍ତ ଯୁବକ ମାନେ ପଥର ମାରି ବସର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ କରିଥିଲେ । ପରେ ବସ୍ ଡ୍ରାଇଭର ଓ ହେଲପରଙ୍କୁ ଗାଡିରୁ ତଳକୁ ଓହ୍ଲାଇ ଠେଙ୍ଗା, ଖଣ୍ଡା ଓ ପଥରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଉଭୟ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇ ବସ୍ ଟର୍ମିନାଲ ପରିସରରେ ପଡି ଯାଇଥିଲେ। ଆକ୍ରମଣକାରୀ ମାନେ ବସ୍ ଡ୍ରାଇଭର ଓ ହେଲପରଙ୍କ ୨ଟି ମୋବାଇଲ ଫୋନ ଓ ଏକ ରୂପା ଚେନ ଛଡାଇ ନେଇ ଯାଇଥିଲେ। ଭବିଷ୍ୟତରେ ଯଦି କେବେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରକୁ ଗାଡି ଆଣିବ, ତାହେଲେ ତମ ୨ ଜଣଙ୍କୁ ହତ୍ୟା କରିବୁ ବୋଲି ଧମକ ଦେଇଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ୫ ଜଣ ଯୁବକଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିବା ହୋଇଥିବା ବେଳେ ଘଟଣା ସ୍ଥଳରୁ ଆହୁରି ୩/୪ ଜଣ ଯୁବକ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ। ପୁଲିସ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଘଟଣା ନେଇ ଅଜୟ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.