ଦେବଗଡ଼ : ଦେବଗଡର ନୂତନ ଏସ୍ପି ଭାବେ ଅନୁପମା ଜେମ୍ସ ଶନିବାର ଯୋଗଦାନ କରିଛନ୍ତି । ଦେବଗଡ ଏସ୍ପି ରାମ ପ୍ରସାଦ ସାହୁଙ୍କର ଅନ୍ୟତ୍ର ବଦଳି ହେବାପରେ ଭିଜିଲାନ୍ସ ସଂଗଠନରେ ଏସ୍ପି ଭାବେ କାର୍ଯ୍ୟରତ ଶ୍ରୀମତି ଜେମ୍ସଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା ଓ ଦେବଗଡ ଏସ୍ପି ଭାବେ ଆଜି ସେ ଏଠାରେ ଯୋଗଦାନ କରିଛନ୍ତି । ୨୦୧୩ ବ୍ୟାଚର ଆଇପିଏସ୍ ଅଫିସର ଶ୍ରୀମତି ଜେମ୍ସ ପୂର୍ବରୁ ୨୦୧୮ ମସିହା ମାର୍ଚ୍ଚ ମାସରେ ମଧ୍ୟ ଦେବଗଡ ଏସ୍ପି ଭାବେ ଦାୟିତ୍ୱ ଗ୍ରହଣ କରି ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ । ଶ୍ରୀମତି ଜେମ୍ସ ଏଠାରେ ଏସ୍ପି ଭାବେ କାର୍ଯ୍ୟରତ ଥିବା ସମୟରେ ଜିଲାର ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାଶଲ କରିଥିଲେ । ଏଣୁ ଆଜି ଏଠାରେ ପୁଣିଥରେ ଯୋଗଦାନ କରିବା ପରେ ତାଙ୍କର ସଫଳତାକୁ ଦୋହରାଇବେ ବୋଲି ସାଧାରଣରେ ଆଶା କରାଯାଉଛି ।
ଶ୍ରୀ ମତୀ ଜେମ୍ସ ଆଜି ଜିଲା ପୁଲିସ ମୂଖ୍ୟାଳୟରେ ପହଂଚିବା ପରେ ଜିଲା ପୁଲିସ ପକ୍ଷରୁ ତାଙ୍କୁ ଉଚ୍ଛସିତ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅତିରିକ୍ତ ଏସ୍ପି ହେମନ୍ତ କୁମାର ପଣ୍ଡା ଓ ଏସଡିପିଓ ସୌମ୍ୟ ରଞ୍ଜନ ମଲ୍ଲିକଙ୍କ ସମେତ ରିଆମାଳ ,ବାରକୋଟ, କୁଣ୍ଢେଇଗୋଳା ଓ ଲଇମୁରା ଥାନାର ଥାନା ଅଧିକାରୀଙ୍କ ସମେତ ବହୁ ପୁଲିସ ଅଧିକାରୀ ତାଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇଥିଲେ ।