ହିମାଚଳ ସଙ୍କଟ: ଉତ୍ତରାଖଣ୍ଡରେ କଂଗ୍ରେସର ୬ ବିଦ୍ରୋହୀଙ୍କ ସମେତ ୧୧ ବିଧାୟକ

ସିମଲା : ରାଜ୍ୟସଭା ନିର୍ବାଚନ ପରେ ହିମାଚଳ ପ୍ରଦେଶର କ୍ଷମତାସୀନ କଂଗ୍ରେସରେ ଦେଖାଯାଇଥିବା ସଙ୍କଟ ଟଳିବାର ନାଁ ଧରୁନି। ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କୁ ଜିତାଇଥିବା କଂଗ୍ରେସର ୬ ବିଦ୍ରୋହୀ ବିଧାୟକ ଏବେ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି। ସେମାନଙ୍କ ସହ ଆଉ ୩ ସ୍ୱାଧୀନ ଓ ସମ୍ଭବତଃ ବିଜେପିର ୨ ବିଧାୟକ ମଧ୍ୟ ରହିଛନ୍ତି। ବିଦ୍ରୋହ ଯୋଗୁ ହିମାଚଳ କଂଗ୍ରେସରେ ସଙ୍କଟ ଦେଖାଯାଇଛି। ଏସବୁ ଭିତରେ ୧୧ ଜଣ ବିଧାୟକଙ୍କୁ ନେଇ ଗୋଟିଏ ବସ୍‌ ଆଜି ସକାଳେ ଋଷିକେଶର ତାଜ ହୋଟେଲରେ ପ୍ରବେଶ କରିଛି। ସେମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲରେ ରଖାଯାଇଛି।
ଶୁକ୍ରବାର ୧୧ ଜଣ ବିଧାୟକ ଅପରାହ୍ନ ୨.୪୦ ମିନିଟରେ ଡେରାଡୁନର ଜଲି ଗ୍ରାଣ୍ଟ ଏୟାରପୋର୍ଟରେ ପହଞ୍ଚିଥିଲେ। ସେଠାରୁ ସମସ୍ତେ କାର୍‌ ଯୋଗେ ଋଷିକେଶରେ ଥିବା ହୋଟେଲ ଅଭିମୁଖେ ଯାଇଥିଲେ। ଆଜି ସେମାନେ ବସ୍‌ ଯୋଗେ ହୋଟେଲରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି।
ଦୁଇ ଦିନ ତଳେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଦିଲ୍ଲୀରେ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଭେଟି ରାଜ୍ୟର ରାଜନୀତିକ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେଇଥିଲେ। ଏହାପରେ ବିଦ୍ରୋହୀ ବିଧାୟକମାନେ ବିଜେପି ଶାସିତ ଉତ୍ତରାଖଣ୍ଡରେ ରହିଥିବା ଖବର ସାମ୍ନାକୁ ଆସିଛି। ଶୁକ୍ରବାର ସୁଖୁ କହିଥିଲେ, “କିଛି ବିଧାୟକ ମାର୍ମାହତ। ସେମାନଙ୍କୁ ସିଆରପିଏଫ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। କ’ଣ ଏଭଳି ଆଚରଣ ଯୋଗୁ ଗଣତନ୍ତ୍ର ସଶକ୍ତ ହେବ? ଘୋଡ଼ା ବେପାର ଗଣତନ୍ତ୍ରକୁ ଦୁର୍ବଳ କରିଥାଏ। ମୁଁ ସୋଶାଲ ମିଡିଆରୁ ଜାଣିବାକୁ ପାଇଛି ଯେ ସେମାନଙ୍କୁ(ବିଦ୍ରୋହୀ ବିଧାୟକ) ପଞ୍ଚକୁଲାର ହୋଟେଲରୁ ବାହାର କରାଯାଇଛି। ଗୋଟିଏ ସ୍ୱତନ୍ତ୍ର ବିମାନ ଚଣ୍ଡିଗଡ଼ ଏୟାରପୋର୍ଟରୁ ଉଡ଼ିଛି। ମୁଁ ଜାଣିନି ଏହା କେଉଁଠି ପହଞ୍ଚିବ। ବିଧାୟକମାନଙ୍କୁ ଫେରାଇ ଆଣିବା ପାଇଁ ସେମାନଙ୍କ ପରିବାର ଲୋକ ଅନୁରୋଧ କରୁଛନ୍ତି। ତେଣୁ ଆମେ ସେମାନଙ୍କ ସମ୍ପର୍କରେ ତଥ୍ୟ ରଖିଛୁ।”
ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୬ ବିଧାୟକ କ୍ରସ ଭୋଟିଂ କରିଥିବାରୁ ସେମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏହା ବିରୋଧରେ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି।

nis-ad
Leave A Reply

Your email address will not be published.