ଧଉରାଗୋଠ ଗ୍ରାମରେ ବିଦେଶୀ ଶୋରିଷ ନାମରେ ଚାଲିଥିଲା ନିଷିଦ୍ଧ ଅଫିମ ଚାଷ :ଚାଷୀକୁ ଧରି ଅବକାରୀ ବିଭାଗର ଜିମା ଦେଲେ ଗ୍ରାମବାସୀ…
ଅବକାରୀ ବିଭାଗର ଭୁମିକା ନେଇ ସନ୍ଦେହ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ
ଦେବଗଡ : ,୩ା୩ଏକ ଏକରରୁ ଉର୍ଦ୍ଧ୍ୱ ଚାଷ ଜମିରେ ଚାଲିଥିଲା ନିଷିଦ୍ଧ ଗଞ୍ଜେଇ ଚାଷ । ହେଲେ ନା ବାରଣ କରିଥିଲା ଅବକାରୀ ବିଭାଗ ନା ରୋକିବାକୁ ପ୍ରୟାଶ କରିଥିଲା ପୁଲିସ ବିଭାଗ । ବିଦେଶୀ ଶୋରିଷର ଭ୍ରମରେ ଥିବା ରିଆମାଳ ବ୍ଲକ ଗୁଣ୍ଡିଆପାଲି ଗ୍ରାମ ପଂଚାୟତର ଧଉରାଗୋଠ ଗ୍ରାମବାସୀ ମଧ୍ୟ ଏନେଇ କୌଣସି ଅଭିଯୋଗ କରିନଥିଲେ । ତେବେ ଫଳ ବଡ ହେବାରୁ ଏହା ବିଦେଶୀ ଶୋରିଷ ହୋଇନଥିବା ଜାଣିପାରି ଧଉରାଗୋଠ ଗ୍ରାମର କେତେକ ଯୁବକ ଏହି ଫଳର ଚିତ୍ର ଉତୋଳନ କରି ଗୁଗୁଲ୍ରେ ସର୍ଚ୍ଚ କରିବାରୁ ଏହା ନିଷିଦ୍ଧ ଅଫିମ ବୋଲି ଜାଣିବାକୁ ପାଇଥିଲେ । ଫଳରେ ରବିବାର ସକାଳେ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଉକ୍ତ ବେଆଇନ ଅଫିମ ବଗିଚାରେ ଚଢଉ କରିବାସହ ବେଆଇନ ଅଫିମ ଚାଷରେ ସମ୍ପୃକ୍ତ ଧଉରାଗୋଠ ଗ୍ରାମର ଜନ ଟାଓକୁ କାବୁ କରିଥିଲେ । ମାତ୍ର ଏଥିରେ ସମ୍ପୃକ୍ତ କେନ୍ଦୁଝର ଜିଲାର ଅମ୍ଲାନ ଭଦ୍ରା ଗ୍ରାମବାସୀଙ୍କୁ ଦେଖି ଧାଇଁ ପଳାଇଥିଲା । ଏନେଇ ଗୁଣ୍ଡିଅପାଲି ଗ୍ରାମ ପଂଚାୟତର ସରପଂଚ ପ୍ରକାଶ ଆଚାର୍ଯ୍ୟ ଅବକାରୀ ବିଭାଗ କର୍ତୃପକ୍ଷଙ୍କୁ ସୂଚନା ଦେବାରୁ ଅବକାରୀ ଅଧିକ୍ଷିକା ବାସନ୍ତୀ ପ୍ରଭା ନାୟକ ଓ ଇନ୍ସପେକ୍ଟର ମଧୁସୂଦନ ସାହୁ ସଦଳବଳେ ସେଠାରେ ପହଂଚି ତଦନ୍ତ ଆରମ୍ଭ କରିବାସହ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଫିମ ଗଛ ଗୁଡିକୁ ଉପାଡି ନିଆଁରେ ପୋଡି ଦେଇଥିଲେ । ଏଥିସହ ଏନଡିପିଏସ ଆକ୍ଟରେ ଏକ ମାମଲା ଋଜୁକରି ଜନ ଟାଓକୁ ଗିରଫ କରିବାସହ ଏଘଟଣାରେ ଆଉଏ କିଏ ସଂପୃକ୍ତ ଅଛନ୍ତି କି ନାହିଁ ସେନେଇ ଅଧିକ ତଦନ୍ତ ଚଲାଇଛି । ସେହିପରି ଆସନ୍ତା କାଲି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂତ୍ରରୁ ସୂଚନା ମିଳିଛି । ସେହିପରି ନଷ୍ଟ କରାଯାଇଥିବା ଅଫିମର ଆନୁମାନିକ ବଜାର ଦର ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଏ ଘଟଣା ଜଣାପଡିବା ପରେ ସମଗ୍ର ଦେବଗଡ ଜିଲାରେ ଆଲୋଡନ ସୃଷ୍ଟି କରିଛି । ଧଉରାଗୋଠ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ପ୍ରାୟ ୩ ବର୍ଷ ହେଲା ଉକ୍ତ ନିର୍ଦ୍ଦିଷ୍ଟ ସରକାରୀ ଜମିରେ ଅନୁରୂପ ନିଷିଦ୍ଧ ଅଫିମ ଚାଷ ହୋଇ ଆସୁଥିଲା । ତେବେ କେହି ଉକ୍ତ ବଗିଚା ନିକଟକୁ ଗାଇ କିମ୍ବା ଛେଳି ଚରାଇବାକୁ ନେଲେ ଜନ(ଅଭିଯୁକ୍ତ) ବାରଣ କରିବାସହ ବିଭିନ୍ନ ଧମକ ଚମକ ଦେଇ ଆଖପାଖରେ ମଧ୍ୟ ପୁରାଇ ଦେଉନଥିଲା । ସେହିପରି କେହି ପଚାରିଲେ ଏହା ଏକ ବିଦେଶୀ ପ୍ରଜାତିର ଶୋରିଷ ଚାଷ କରାଯାଉଥିଲା । ଫଳରେ ଗ୍ରାମବାସୀ ମାନେ ଏହା କୌଣସି ବିଦେଶୀ ପ୍ରଜାତିର ଶୋରିଷ ଚାଷ ହୋଇଥିବ ଭାବି ଏହାକୁ ହାଲୁକା ଭାବେ ଗ୍ରହଣ କରିଥିଲେ । ତେବେ ୨ ଦିନ ପୂର୍ବେ ହେଡ୍କ୍ୱାର୍ଟରରେ ନରହି ଦେବଗଡରୁ ଯାତାୟତ କରୁଥିବା ରିଆମାଳ ଅବକାରୀ କାର୍ଯ୍ୟାଳୟର ଜଣେ ପ୍ରଭାବଶାଳୀ ଏଏସ୍ଆଇ ସାଦା ପୋଷାକରେ ଆସି ଧଉରାଗୋଠ ଗ୍ରାମରେ ଜନ୍ ଟାଓ ସହିତ ଟୁପୁରୁ ଟାପୁରୁ ହେଉଥିବା ଦେଖିବାକୁ ପାଇବାପରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ ସୋରିଷ ଗଛ କୁହାଯାଉଥିବା ଗଛରେ ବଡ ବଡ ଫଳ ଫଳିଥିବା ଓ ରଙ୍ଗ ବେରଙ୍ଗର ଫୁଲ ଫୁଟିଥିବାରୁ କେତେକ ଯୁବକ ମୋବଇଲରେ ଏହାର ଚିତ୍ର ଉତୋଳନ କରି ଗୁଗୁଲରେ ସର୍ଚ୍ଚ କରିବାରୁ ଏହା ନିଷିଦ୍ଧ ଅଫିମ ବୋଲି ଜଣାପଡିଥିଲା । ଫଳରେ ଆଜି ଧଉରାଗୋଠ ଗ୍ରାମର ବହୁ ପୁରୁଷ ଓ ମହିଳା ସେଠାରେ ପହଂଚି ସଂଘବଦ୍ଧ ଭାବେ ଚଢଉ କରିବାସହ ଅଫୀମ ଚାଷରେ ସଂପୃକ୍ତ ଜନ୍କୁ କାବୁ କରିଥିଲେ । ତେବେ ଅନ୍ୟତମ ଅଭିଯୁକ୍ତ ଅମ୍ଳାନ ସେଠାରୁ ଫେରାର ହୋଇଯାଇଥିଲା । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଅବକାରୀ ବିଭାଗ ଅଧିକ୍ଷିକା ବାସନ୍ତୀ ପ୍ରଭା ନାୟକ ଓ ଇନ୍ସପେକ୍ଟର ମଧୁସୂଦନ ସାହୁ ସଦଳବଳେ ସେଠାରେ ପହଂଚି ଫଳନ୍ତି ଅଫିମ ଗଛ ଗୁଡିକୁ ଉପାଡିବା ସହ ତହିଁରେ ନିଆଁ ଲଗାଇ ପୋଡି ଦେଇଥିଲେ । ତେବେ ବେଆଇନ ଅଫିମ ଚାଷ ଘଟଣାରେ ଅନେକ ପ୍ରଭାବଶାଳୀ ସମ୍ପୃକ୍ତ ଥିବା ଏବଂ ଅବକାରୀ ବିଭାଗ ଜ୍ଞାତସାରରେ ଏଭଳି ବେଆଇନ ଚାଷ ହୋଇଥିବା ଦର୍ଶାଇ ଘଟଣାର ସଠିକ ତଦନ୍ତ କରିବାକୁ ଉପସ୍ଥିତ ପୁରୁଷ ଓ ମହିଳା ମାନେ ଦାବୀ କରିବାସହ ସେମାନଙ୍କୁ ପାଟିତୁଣ୍ଡ ମଧ୍ୟ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରାୟ ଏକବର୍ଷ ହେଲା ରିଆମାଳ ଅବକାରୀ ଷ୍ଟେସନ ଅଧିନସ୍ଥ ପଥରଘାଟ ସମେତ ବିଭିନ୍ନ ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର ହେଉଥିବା ଓ ଏଥିରେ ବିଭାଗୀୟ ଅଧିକାରୀ ମାନେ ପରୋକ୍ଷ ଭାବେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଆସୁଛି । ମାତ୍ର ବାରମ୍ବାର ଅଭିଯୋଗ ସତ୍ୱେ ସମ୍ପୃକ୍ତ ଅଧିକାରୀ ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ବେଅଇନ ମାଦକ ଦ୍ରବ୍ୟ କାରବାର ଦିନକୁ ଦିନ ବୃଦ୍ଧି ନପାଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଅତୀତରେ ବେଆଇନ ଗଞ୍ଜେଇ ଚାଷ ପାଇଁ ଚର୍ଚ୍ଚାରେ ରିଆମାଳ ଓ କୁଣ୍ଢାଇଗୋଳା ଥାନାଂଚଳର ଥିବା ନାଉଲିପଡା, ତୁଙ୍ଗାମାଳ, ଲୁଲଙ୍ଗ,ଚଢେଇମରା,କୁଣ୍ଢେଇଗୋଳା ଓ ପରା ଆଦି ବିଭିନ୍ନ ଅଂଚଳର କେତେକ ଅସାଧୁ ବ୍ୟକ୍ତି ପୁଣିଥରେ ଗଞ୍ଜେଇ ଚାଷ ପାଇଁ ସଜବାଜ ହେଉଥିବା ଅଂଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଏଣୁ ଖୋଦ ଜିଲାପାଳ ଏ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସମ୍ଭାବ୍ୟ ଗଞ୍ଜେଇ ଚାଷକୁ ରୋକାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।