ଆସନ୍ତା ୧୦ ଦିନ ମଧ୍ୟରେ ୧୨ଟି ରାଜ୍ୟର ୨୯ଟି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସମ୍ଭାବ୍ୟ ଘୋଷଣା ପୂର୍ବରୁ ଆସନ୍ତା ୧୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୯ଟି କାର୍ଯ୍ୟକ୍ରମରେ ଯୋଗ ଦେବେ। ସେ ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଜମ୍ମୁ-କଶ୍ମୀର, ଆସାମ, ଅରୁଣାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ ଦିଲ୍ଲୀ ଗସ୍ତ କରିବେ।

ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ତେଲେଙ୍ଗାନାର ଆଦିଲାବାଦରେ ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିବେ ଏବଂ ପରେ ତାମିଲନାଡୁର କଲପକ୍କମଠାରେ ଥିବା ଭାରତୀୟ ନାଭିକିଆ ବିଦ୍ୟୁତ ନିଗମ ଲିମିଟେଡ୍‌ (ଭବାନୀ) ପରିଦର୍ଶନ କରିବେ। ଗସ୍ତ କାଳରେ ସେ ଆଦିଲାବାଦ ଓ ଚେନ୍ନାଇରେ ଜନସଭାକୁ ସମ୍ବୋଧିତ କରିବେ।

ଆସନ୍ତା ୫ ତାରିଖରେ ତେଲେଙ୍ଗାନାର ସାଙ୍ଗାରେଡ୍ଡୀରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଓଡ଼ିଶା ଗସ୍ତ ପୂର୍ବରୁ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ।
ଏହାପରେ ସେ ପଶ୍ଚିମବଙ୍ଗ ଯିବା ପୂର୍ବରୁ ଓଡ଼ିଶାର ଚଣ୍ଡିଖୋଲରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ।

ମାର୍ଚ୍ଚ ୬ ରେ ପ୍ରଧାନମନ୍ତ୍ରୀ ମୋଦୀ କୋଲକାତାରେ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ସହ ବାରସାତରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହାପରେ ସେ ବିହାର ଯାଇ ବେତିଆରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ।

ମାର୍ଚ୍ଚ ୭ ରେ ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀର ଗସ୍ତରେ ଯିବେ ଏବଂ ସନ୍ଧ୍ୟାରେ ଦିଲ୍ଲୀରେ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗ ଦେବେ।

ମାର୍ଚ୍ଚ ୮ରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରେ ପ୍ରଥମ ଥର ପାଇଁ ଜାତୀୟ ନିର୍ମାତା ପୁରସ୍କାରରେ ଅଂଶଗ୍ରହଣ କରିବେ ଏବଂ ପରେ ସନ୍ଧ୍ୟାରେ ଆସାମ ଅଭିମୁଖେ ଯାତ୍ରା କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗରେ ସେଲା ଟନେଲ ଉଦଘାଟନ କରିବା ପରେ ଇଟାନଗରରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ। ସେ ଆସାମର ଜୋରହାଟଠାରେ କିମ୍ବଦନ୍ତୀ ଆହୋମ ସେନା କମାଣ୍ଡର ଲଚିତ୍‌ ବୋରଫୁକାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ।

ଏହାପରେ ସେ ଜୋରହାଟରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ପରେ ସେ ପଶ୍ଚିମବଙ୍ଗ ଗସ୍ତ କରି ସିଲିଗୁଡ଼ିରେ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ସେଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ।

nis-ad
Leave A Reply

Your email address will not be published.