ମାଟି ଖୋଳି ପୋତା ଯାଇଥିବା ମହିଳାଙ୍କ ଗଳିତ ଶବ ଠାବ, ହତ୍ୟା ସନ୍ଦେହ

ଦେବଗଡ : ଦେବଗଡ ଜିଲ୍ଲା ରିଆମାଳ ଥାନା ତାଳକୁଣ୍ଡି ପଂଚାୟତ ମଧ୍ୟପୁର ଗ୍ରାମରେ ଏଭଳି ଏକ ଘଟଣା ଦେଖାଯାଇଛି । ଖେଳ ପଡିଆ ନିକଟ ଏକ ଚାଷ ଜମିରେ ମହିଳାଙ୍କ ଶବ ପୋତା ଯାଇଥିବା ଦେଖିବାକୁ ମିଳିଛି । ପ୍ରାୟ ୧ ରୁ ୨ ଫୁଟ ମାଟି ଖୋଳି ଗତ କିଛି ଦିନ ଭିତରେ ମହିଳାଙ୍କ ଶବ ପୋତା ଯାଇଛି । ସ୍ଥାନୀୟ କିଛି ଲୋକ ଛେଳି ଚରାଇ ଯାଇଥିବା ବେଳେ ମାଟି ଭିତରୁ କୁକୁର ଶବ ବାହାର କରୁଥିବା ଦେଖିବାକୁ ପାଇଥିଲେ । ଦୁର୍ଗନ୍ଧ ହେଉଥିବାରୁ ପାଖକୁ ଯାଇ ମହିଳାଙ୍କ ଗଳିତ ଶବ ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ମହିଳାଙ୍କ କିଛି ଭଙ୍ଗା ଚୁଡି ଏବଂ ଶାଢୀ ପଡିଥିବା ଦେଖାଯାଇଛି । ଗତ କିଛି ଦିନ ଭିତରେ ଆଖପାଖ ଅଂଚଳରେ କୌଣସି ମହିଳାଙ୍କ ମୃତ୍ୟୁ ହୋଇନଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ଏନେଇ ରିଆମାଳ ଥାନା ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମାତ୍ର ମାଟି ଖୋଳି ଶବ ବାହାରକୁ ଅଣାଯାଇନଥିବା ବେଳେ ଅଧିକ ତଦନ୍ତ ପାଇଁ ସାଇଂଟିଫିକ ଟିମକୁ ସୂଚନା ଦିଆଯାଇଛି । ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।

nis-ad
Leave A Reply

Your email address will not be published.