ମେଦବହୁଳତା: ବିଶ୍ୱର ୧୦୦ କୋଟି ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ଲାନସେଟ୍ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ସମଗ୍ର ବିଶ୍ୱରେ ବର୍ତ୍ତମାନ ଏକ ବିଲିୟନ (୧୦୦ କୋଟି)ରୁ ଅଧିକ ଲୋକ ମେଦବହୁଳତା ବା ମୋଟାପଣରେ ପୀଡ଼ିତ ଅଛନ୍ତି ଏବଂ ଏହି ସଂଖ୍ୟା ୧୯୯୦ ପରଠାରୁ ଚାରିଗୁଣରୁ ଅଧିକ ବୃଦ୍ଧି ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ କରାଯାଇଥିବା ଅଧ୍ୟୟନ ଅନୁଯାୟୀ ଏହି ବୃଦ୍ଧି ବିଶେଷ କରି ଗରିବ ଦେଶଗୁଡ଼ିକୁ ପ୍ରଭାବିତ କରୁଛି ଏବଂ ବୟସ୍କଙ୍କ ତୁଳନାରେ ଶିଶୁ ଓ କିଶୋରମାନଙ୍କ ମଧ୍ୟରେ ଏହି ହାର ଦ୍ରୁତ ଗତିରେ ବଢ଼ିଚାଲିଛି।
ମାର୍ଚ୍ଚ ୪ରେ ବିଶ୍ୱ ମେଦବହୁଳତା ଦିବସ ପୂର୍ବରୁ ପ୍ରକାଶିତ ଏହି ଅଧ୍ୟୟନରେ ଆକଳନ କରାଯାଇଛି ଯେ ୧୯୯୦ରେ ବିଶ୍ୱରେ ପ୍ରାୟ ୨୨୬ ନିୟୁତ ମେଦବହୁଳ ବୟସ୍କ, କିଶୋର ଓ ଶିଶୁ ଥିଲେ। ୨୦୨୨ରେ ଏହି ସଂଖ୍ୟା ୧୦୩୮ ନିୟୁତକୁ ବୃଦ୍ଧି ପାଇଥିଲା। ହୁ’ର ସ୍ୱାସ୍ଥ୍ୟ ପାଇଁ ପୋଷଣ ନିର୍ଦ୍ଦେଶକ ଫ୍ରାନ୍ସେସ୍କୋ ବ୍ରାଙ୍କା କହିଛନ୍ତି ଯେ ୧୦୦ କୋଟି ଲୋକଙ୍କ ସଂଖ୍ୟା ବୃଦ୍ଧି ଆମେ ଆକଳନ କରିଥିବା ସମୟର ବହୁତ ପୂର୍ବରୁ ଆସିଛି। ଅଧ୍ୟୟନ ଅନୁଯାୟୀ, ୨୦୨୨ରେ ପ୍ରାୟ ୧୫୯ ନିୟୁତ ଶିଶୁ ଓ କିଶୋର ମୋଟାପଣ ସହ ଜୀବନ ଯାପନ କରୁଥିଲେ, ଯାହା ୧୯୯୦ରେ ପ୍ରାୟ ୩୧ ନିୟୁତ ଥିଲା। ମେଦବହୁଳ ଲୋକମାନଙ୍କର କ୍ରନିକ ଓ ଜଟିଳ ରୋଗ ସହିତ ହୃଦରୋଗ, ମଧୁମେହ ଏବଂ କେତେକ କର୍କଟ ରୋଗରେ ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ। କରୋନା ମହାମାରୀ ସମୟରେ ଅଧିକ ଓଜନ ଯୋଗୁଁ ମୃତ୍ୟୁ ଆଶଙ୍କା ବଢ଼ିଯାଇଥିଲା। ପଲିନେସିଆ ଏବଂ ମାଇକ୍ରୋନେସିଆ, କ୍ୟାରିବିଆନ୍, ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକାର ଦେଶଗୁଡ଼ିକ ଏହି ସମସ୍ୟା ଦ୍ବାରା ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।
ଅଧ୍ୟୟନରେ କୁହାଯାଇଛି ଯେ ଏହି ଦେଶଗୁଡ଼ିକରେ ଏବେ ଅଧିକ ଆୟକାରୀ ଶିଳ୍ପୋଦ୍ୟୋଗୀ ଦେଶ, ବିଶେଷକରି ୟୁରୋପର ଦେଶମାନଙ୍କ ତୁଳନାରେ ମୋଟାପଣ ହାର ଅଧିକ ରହିଛି। ନିମ୍ନ ଓ ମଧ୍ୟମ ଆୟକାରୀ ଦେଶମାନଙ୍କରେ ଦ୍ରୁତ ଜୀବନଶୈଳୀ ପରିବର୍ତ୍ତନ ଉପରେ ଆଲୋକପାତ କରି ବ୍ରାଙ୍କା କହିଛନ୍ତି, ଅତୀତରେ ଆମେ ମୋଟାପଣକୁ ଧନୀମାନଙ୍କର ସମସ୍ୟା ଭାବରେ ଭାବୁଥିଲୁ, ବର୍ତ୍ତମାନ ଏହା ଏକ ବିଶ୍ୱ ସମସ୍ୟା। ଏହି ଗବେଷଣାର ମୁଖ୍ୟ ଲେଖକ ଇମ୍ପେରିଆଲ କଲେଜ ଲଣ୍ଡନର ମାଜିଦ ଏଜାତି କହିଛନ୍ତି ଯେ ଫ୍ରାନ୍ସ ଓ ସ୍ପେନ୍ ଭଳି ଦକ୍ଷିଣ ୟୁରୋପୀୟ ଦେଶରେ ମୋଟାପଣ ରହୁଥିବାର ସଙ୍କେତ ମିଳୁଛି। ଖରାପ ଖାଦ୍ୟ ଖାଇବା ମୋଟାପଣର ଏକ ପ୍ରମୁଖ କାରଣ।

nis-ad
Leave A Reply

Your email address will not be published.