ମାର୍ଚ୍ଚ ପହିଲାରୁ ଆୟୋଜିତ ହେବ ତିନିଦିନିଆ ରାମଚଣ୍ଡୀ ମହୋତ୍ସବ…

ଛତ୍ରପୁର, ତା.୨୬ / ୨ ଗଞ୍ଜାମ ଜ଼ିଲ୍ଲାସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୮କିମି ଦୂରବର୍ତ୍ତୀ ଗଞ୍ଜାମ ବ୍ଲକ୍ ର ନୀଳାଦ୍ରିପୁରଗ୍ରାମ ନିକଟସ୍ଥ ଧଡା ପାହାଡ଼ ଶୀର୍ଷରେ ଅବସ୍ଥାନ ହୋଇଥିବା ପୁରାଣ ପ୍ରସିଦ୍ଧ ମା’ରାମଚଣ୍ଡୀ ପୀଠର ମହିମା ଅବର୍ଣ୍ଣନୀୟ । ଗଞ୍ଜାମ ଜିଲ୍ଲାର ଅନ୍ୟତମ ଅଧିଷ୍ଠାତ୍ରୀଦେବୀ ପୀଠର ପୁନଃ-ପ୍ରତିଷ୍ଠା ଲାଭକରି ଯଜ୍ଞାନୁଷ୍ଠାନ ଦ୍ଵାରା ପ୍ରାଣ-ପ୍ରତିଷ୍ଠା ହୋଇ ଆରାଧ୍ୟ ଦେବୀଙ୍କ ନବକଳେବର ହୋଇ ପ୍ରତ୍ୟକ୍ଷ ଦେବୀ ଆଜି ଜନମାନସରେ ଜୀବନ୍ତ ପାଲଟି ଯାଇଛନ୍ତି । ଏହି ଶକ୍ତି ପୀଠ ନବକଳେବର ପ୍ରତିଷ୍ଠା ଲାଭ କରିବାର ଏକ ବର୍ଷ ବିତଯାଇଥିବା ବେଳେ ଏହି ଶକ୍ତିପୀଠ ର ମହତ୍ତ୍ଵ ବଜାୟ ରଖିବା ନିମନ୍ତେ ରାମଚଣ୍ଡୀ ମହୋତ୍ସବ-୨୦୨୪ ଆୟୋଜନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ରାମଚଣ୍ଡୀ ମନ୍ଦିର ଓଡିଶା ର ଏକ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପ୍ରମୁଖ ଦର୍ଶନୀୟ ସ୍ଥାନରେ ସ୍ଥାନୀତ କରି ସରକାର ଏହାକୁ ପର୍ଯ୍ୟଟନସ୍ଥଳୀ ର ମାନ୍ୟତା ଦେବା ନିମନ୍ତେ ରାମଚଣ୍ଡୀ ମହୋତ୍ସବ-୨୦୨୪ ମାର୍ଚ୍ଚ ୧ ତାରିଖ ରୁ ୩ତାରିଖ ପର୍ଯ୍ୟନ୍ତ ଆୟୋଜନ ପାଇଁ ଉଦ୍ୟମ କରାଯାଉଛି । ମା’ରାମଚଣ୍ଡୀ ଟ୍ରଷ୍ଟ ଓ ମନ୍ଦିର ପରିଚାଳନା କମିଟୀ ତରଫରୁ ବ୍ୟାପକ ଓ ବଳିଷ୍ଠ ପଦକ୍ଷେପମାନ ନିଆଯାଉଥିବା ଜଣାଯାଇଛି । ରବିବାର ଛତ୍ରପୁର ପ୍ରେସ କ୍ଲବ୍ ରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି । ମା’ଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ କୁ ମା’ ରାମଚଣ୍ଡୀ ମହୋତ୍ସବ-୨୦୨୪ ନାମରେ ପାଳନ କରିବାକୁ ଆୟୋଜକ କମିଟୀ ପକ୍ଷରୁ ଏହି ନିଷ୍ପତି ହୋଇଥିବା କୁହାଯାଏ । ଏହି ମହୋତ୍ସବ ଅବସରରେ ପଣ୍ଡିତ ସିମାଞ୍ଚଳ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଓ ପଣ୍ଡିତ ବିଜୟ କୁମାର ତ୍ରିପାଠୀ ଙ୍କ ପୌରାହିତ୍ୟ ରେ ମନ୍ଦିର ରୀତିନୀତି, ବିଧିବଦ୍ଧ ପୂଜାର୍ଚ୍ଚନା ସମାହିତ ହେବ ବୋଲି କୁହାଯାଇଛି । ତିନି ଦିନ ବ୍ୟାପୀ ଆୟୋଜିତ ଏହି ମହୋତ୍ସବ ରେ ଆଞ୍ଚଳିକ କଳାକାର ସଂଗଠନ, ବ୍ରହ୍ମପୁର ତଥା ଗଞ୍ଜାମ ଜ଼ିଲ୍ଲା ଓ ରାଜ୍ୟସ୍ତରର କଳାକାରମାନଙ୍କ ପକ୍ଷରୁ ଲୋକ କଳା, ଲୋକ ନୃତ୍ୟ, ଶାସ୍ତ୍ରୀୟମାନ୍ୟତାପ୍ରାପ୍ତ ନୃତ୍ୟ, ସଙ୍ଗୀତ, ତଥା ଓଡିଶୀ, ସମ୍ବଲପୁରୀ, ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଆୟୋଜକ କମିଟୀ ପକ୍ଷରୁ ସୂଚନା ଦିଆଯାଇଛି । କଳାକାର ତାରିକ ଅଜିଜ, ଶୀତଲ କବି ଓ ଗଣେଷ ପଟ୍ଟନାୟକ ପ୍ରମୁଖଙ୍କ ଦ୍ଵାରା ସାଂସ୍କୃତିକ ପ୍ରତିଭା ଙ୍କ ର ମୁଖ୍ୟ ଆକର୍ଷଣ ହେବ ବୋଲି କୁହାଯାଇଛି । ୧ ତାରିଖରେ ଦେବୀଙ୍କ ମହାସ୍ନାନ, ଷୋଡଶ ଉପଚାରରେ ପୂଜା, ଅଧିବାସ, ଜଳଯାତ୍ରା, ୨ ତାରିଖରେ ଅଷ୍ଟ ପ୍ରହରୀ ନାମଯଂଜ୍ଞରମ୍ଭ, ଚଣ୍ଡୀପାଠ ଏବଂ ୩ତାରିଖରେ ପୂର୍ଣ୍ଣାହୂତି ଓ ପରେ ଯମୁନା ସ୍ନାନ ସମାପନ ହେବ । ସାମାଜିକ କ୍ଷେତ୍ରରେ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷ୍ୟଙ୍କୁ ଉଦଯାପନୀ ମହୋତ୍ସବରେ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦିଆଯାଇଛି । ବରିଷ୍ଠ ନାଗରିକ ଙ୍କ ସୁବିଧା ଲାଗି ପାହାଡ ଉପରକୁ ଯିବା ପାଇଁ ବସ ର ସୁବିଧା କମିଟୀ ପକ୍ଷରୁ କରାଯିବ । ୫- ଟି’ ଉପକ୍ରମରେ ଏହି ମନ୍ଦିର ଉନ୍ନତି କରଣ ପାଇଁ ରାଜ୍ୟ ସରକାର ୨ କୋଟି ୨୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି ଏବଂ ଏହାର କାମ ଚାଲୁରହିଛି । ଏଥିଲାଗି ମୁଖ୍ୟମନ୍ତ୍ରୀ, ୫- ଟି’ ଅଧ୍ୟକ୍ଷ, ବ୍ରହ୍ମପୁର ଏମପି ଓ ଛତ୍ରପୁର ବିଧାୟକ, ଗଞ୍ଜାମ ବ୍ଲକ ପ୍ରଶାସନ ଙ୍କୁ ମନ୍ଦିର କମିଟି ଓ ଟ୍ରଷ୍ଟ ପକ୍ଷରୁ କୃତଜ୍ଞତା ଓ ଧନ୍ୟବାଦ ଦିଆଯାଇଛି ।ଏହି ସାମ୍ବାଦିକ ସମ୍ମିଳନୀରେ କମିଟୀ ର କାର୍ଯ୍ୟକାରୀ ସଭାପତି ବସନ୍ତ ମହାରଣା, ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ସଂଯୋଜକ କମଳ କୁମାର ପଣ୍ଡା, ଉପ-ସଭାପତି କ୍ଷୀରୋଦ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର ପାଢ଼ୀ, ପ୍ରମୋଦ କୁମାର ସାହୁ, ଉପଦେଷ୍ଟା ରବୀନ୍ଦ୍ର ନାଥ ପଣ୍ଡା, ଶତ୍ରୁଘ୍ନ ମହାଙ୍କୁଡ, କାମାକ୍ଷା ପ୍ରାସାଦ ପଣ୍ଡା, ତୁଷାର ଶତପଥି, ତିରୁପତି ବାଲାଜୀ ମିଶ୍ର ପ୍ରମୁଖ କମିଟୀ ର ସକ୍ରୀୟସଦସ୍ୟ ଉପସ୍ଥିତ ଥିଲେ ।।

nis-ad
Leave A Reply

Your email address will not be published.