ଆଦର୍ଶ ଶିକ୍ଷକ ଓ ପ୍ରବୀଣ ରାଜନୀତିଜ୍ଞ ଲକ୍ଷ୍ମୀଧର ଲେଙ୍କାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା


ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଇଶ୍ବରପୁରୁ ପଞ୍ଚାୟତ ସଦର ମହକୁମାରରେ ସ୍ବର୍ଗତ ଲକ୍ଷ୍ମୀଧର ଲେଙ୍କାଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭାରେ ମାନ୍ୟଗଣ୍ୟ ଵ୍ୟକ୍ତିମାନଙ୍କ ଉପସ୍ଥିତ ।ଆଦର୍ଶ ଶିକ୍ଷକତାରୁ ସଚ୍ଚୋଟ ରାଜନୀତିର ସଂଗ୍ରାମୀ ଜୀବନରେ ପାଦ ଦେଇ ରାଜନଗରର ଉନ୍ନତିକଳ୍ପେ ନିଜ ଜୀବନ ଉତ୍ସର୍ଗ କରିଥିବା ଲକ୍ଷ୍ମୀଧର ସାର୍ ଏ ଅଞ୍ଚଳ ପାଇଁ ଥିଲେ ଏକ ଅଲିଭା ଦୀପଶିଖା। ୧୯୬୨ରୁ ରାଜନଗର ହାଇସ୍କୁଲ୍ ରେ ଶିକ୍ଷକତା ଆରମ୍ଭ କରି ଶିକ୍ଷାଦାନ ମାଧ୍ଯମର ଛାତ୍ରଛାତ୍ରୀଙ୍କୁ ଆଦର୍ଶ ଜୀବନଗଠନର ଦିଗ୍ଦର୍ଶନ ଦେଇଥିଲେ। ଅଭିଜ୍ଞଶିକ୍ଷକ ଭାବେ ତାଙ୍କ ହାତଗଢା ଅନେକ ଛାତ୍ରଛାତ୍ରୀ ଆଜି ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି। ପରିସ୍ଥିତିକ୍ରମେ କଂଗ୍ରେସଦଳର ଦୁର୍ଦ୍ଦିନ ସମୟରେ ଚାକିରି ଛାଡି ପ୍ରବେଶ କରନ୍ତି ସକ୍ରିୟ ରାଜନୀତିରେ। ରାଜନଗର ଲୋକସମସ୍ଯା ଦୂରୀକରଣ କ୍ଷେତ୍ରରେ ତାଙ୍କ ଜୀବନବ୍ଯାପି ସଂଗ୍ରାମ ଅତୁଳନୀୟ। କ୍ଷମତାସୀନ ସଫଳତା ପାଇ ନଥିଲେ ମଧ୍ଯ କଂଗ୍ରେସର ନୀତିଗତ ସାଂଗଠନିକ ନିଷ୍ପତ୍ତି ନେବାର ଦକ୍ଷତା ହେତୁ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ, ଜାତୀୟ କଂଗ୍ରେସ ଶତବାର୍ଷିକୀ କମିଟିର ଆବାହକ, ଖଦୀ ବୋର୍ଡ ତଥା ପରିବହନ ନିଗମର ଅଧ୍ଯକ୍ଷ ଭାବେ ସାରା ଓଡିଶାରେ ସୁଖ୍ଯାତି ଲାଭ କରିଥିଲେ। ପ୍ରଚଣ୍ଡ ପ୍ରଜ୍ଞା,ପ୍ରତିଭା ଓ ନିର୍ଭୀକତାର ସେ ଥିଲେ ବହୁବାଗ୍ମୀ ବ୍ଯକ୍ତିତ୍ବ। ଏ ମାଟିର ସୁଯୋଗ୍ଯସନ୍ତାନ,ଯୁଗପୁରୁଷ ସେହି ଲକ୍ଷ୍ମୀଧର ସାର୍ ଙ୍କ ୮୪ ବର୍ଷ ବୟସରେ ବିୟୋଗ ରାଜନଗର ଶିକ୍ଷା ଓ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଏକାଦଶାହ ଜନ୍ମମାଟି ଈଶ୍ବରପୁରଠାର ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଏ ଅଞ୍ଚଳର ବହୁ ଶିକ୍ଷାବିତ୍ , ରାଜନୀତିଜ୍ଞ,ତାଙ୍କ ପ୍ରିୟ ଛାତ୍ରଛାତ୍ରୀ ତଥା ସମାଜସେବୀ ଯୋଗଦେଇ ତାଙ୍କ ସ୍ମୃତିଚିତ୍ରରେ ପୁଷ୍ପାର୍ପଣ,ଶ୍ରଦ୍ଧାଞ୍ଜଳି ସହ ସ୍ମୃତିଚାରଣ କରିଥିଲେ। .ବିଧାୟକ ଶ୍ରୀଯୁକ୍ତ ଧୃଵ ସାହୁ, ପ୍ରାକ୍ତନ ଵିଧାୟକ ଅଂଶୁମାନ ମହାନ୍ତି, ପ୍ରାକ୍ତନ ବିଧାୟକ ଅଲେଖ କୁମାର ଜେନା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ପ୍ରତିହାରୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତି ଶିକ୍ଷକ ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର, ଇଂ. ମଙ୍ଗୁଳୀ ଚରଣ ସାହୁ, ଡାକ୍ତର. ଅଭୟ କୁମାର ପାତ୍ର, ପ୍ରାକ୍ତନ ରାଜ୍ୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀଯୁକ୍ତ କେଳୁ ଚରଣ ସ୍ବାଇଁ, କବି ତଥା ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଶ୍ରୀ ଅଭିରାମ ସାହୁ, ସମାଜସେବୀ କୃପାସିନ୍ଧୁ ସାମଲ, ଶିକ୍ଷାବିତ୍ ଶ୍ରୀ ଶରତ ଚନ୍ଦ୍ର ସାମଲ, ସମାଜସେବୀ କୈଳାସ ଚନ୍ଦ୍ର ମହାନ୍ତି ,କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ଆକଵର ଅଲ୍ଲୀ ପ୍ରମୁଖ ଯୋଗ ଦେଇ ତାଙ୍କ ଆଦର୍ଶ ଜୀବନ,କର୍ତ୍ତବ୍ଯ ନିଷ୍ଠା,ନିର୍ଭୀକ ନେତୃତ୍ବ ଓ ସମାଜସେବା ଉପରେ ଆଲୋଚନା କରିଥିଲେ। ତାଙ୍କ ସ୍ମୃତି ଉଦ୍ଦେଶ୍ଯରେ ପ୍ରଥମ ଶ୍ରାଦ୍ଧବାର୍ଷିକୀ ମଧ୍ଯରେ ଏକ ସ୍ମୃତିକମିଟି ଗଠନ କରାଯାଇ ସ୍ମରଣିକା ପ୍ରକାଶନ,ପ୍ରତିମୂର୍ତ୍ତି ସ୍ଥାପନ ସହ ବହୁ ସମାଜକଲ୍ଯାଣ କ୍ଷେତ୍ରରେ କୄତିତ୍ବ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ତାଙ୍କର ସୁପୁତ୍ର ଶ୍ରୀମାନ୍ ଲଳିତ କୁମାର ଲେଙ୍କା ଘୋଷଣା କରିଥିଲେ।

nis-ad
Leave A Reply

Your email address will not be published.