ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ…

ଦେବଗଡ଼,୧୩।୧:ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିର ଦେଶ ଭାବରେ ପରିଣତ ହୋଇଛି । ଆଗାମୀ ଦିନରେ ଆମ ଦେଶ ବିଶ୍ୱର ଏକ ନମ୍ବର ଅର୍ଥନୀତି ହେବା ସହ ବିକଶିତ ଭାରତ ହେବ । ଏଥିପାଇଁ ଏବେ ଠାରୁ ଆମର ଛାତ୍ରଛାତ୍ରୀଙ୍କ ଦକ୍ଷ କରିବାକୁ ପଡିବ । ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ସୃଷ୍ଟି କରିବା ପାଇଁ ପଡିବ ବୋଲି ଶନିବାର ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଭବନର ଭୂମିପୂଜନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେବଗଡ଼ ଆମର ସାଂସ୍କୃତିକ ସହର ଓ ପଢାଲେଖା ଅଞ୍ଚଳ । ଦେବଗଡର ମୁଳପୁଞ୍ଜି ଶିକ୍ଷା । ଏଠାରେ ପାଠପଢାର ବହୁତ ପୁରୁଣା ସଂସ୍କାର ଅଛି । ଜିଲ୍ଲାରେ ଗଢି ଉଠିଥିବା ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରୁ ଅନେକ ଅନୁଷ୍ଠାନ ଶହେବର୍ଷ ପୁରୁଣା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିବା ଦିଗରେ ଦେବଗଡର ଅବଦନ ଅତୁଳନୀୟ । ଭାଷା ଭିତ୍ତିରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ତଥା ଓଡ଼ିଆ ଭାଷାକୁ ସୁରକ୍ଷିତ ରଖିବାରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ବଡ଼ ଭୂମିକା ରହିଛି । ଭାରତ ସରକାରଙ୍କ ସହଯୋଗରେ ପ୍ରାୟ ୩୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ପୂର୍ଣ୍ଣାଙ୍ଗ ହେଲେ ଏକ ଭଲ ସ୍କୁଲ ହେବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିରେ ଗୁଣାତ୍ମକ ଶିକ୍ଷା ସହ ବହୁମୁଖୀ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇଛି । ବାଲବାଟିକା ମାଧ୍ୟମରେ ଖେଳକୁଦ, ଗୀତ ଓ ଯାଦୁ ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ମାତୃଭାଷାକୁ ଗୁରୁତ୍ୱ, ଗବେଷଣା ଏବଂ ସାମାଜିକ ସଚେତନତା ଭଳି ବିଷୟକୁ ପାଠପଢାର ଅଂଶବିଶେଷ କରିବା ଉପରେ ପ୍ରାଥମିକତା ଦିଆଯାଇଛି । ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ । ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢୁଥିବା ଦୃଷ୍ଟିରେ ରଖି ଆସନ୍ତା ଶିକ୍ଷା ବର୍ଷରୁ ଏଠାରେ ୨ଟି ସେକ୍ସନ କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଏହାସହ ସ୍କୁଲରେ ଦ୍ୱାଦଶ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ କିପରି ପ୍ରତିଯୋଗିତାମୂଳକ ଭାବେ ଆଗକୁ ବଢିବେ, ସେଥିପାଇଁ ଉଦ୍ୟମ କରିବାକୁ ଶ୍ରୀ ପ୍ରଧାନ ବିଶେଷ ଗୁରୁତତ୍ୱାରୋପ କରିଥିଲେ । ଆଜିର ଭୂମି ପୂଜନ ଉତ୍ସବରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଦେବଗଡ଼ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ , କେନ୍ଦ୍ରୀୟ ବିଦ୍ୟାଳୟ, ବୁବନେଶ୍ୱର ରିଜନର ଡେପୁଟୀ କମିସନର ଶିହରଣ ବୋଷ ଓ ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଭଗବାନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ।

nis-ad
Leave A Reply

Your email address will not be published.