ନାବାଳିକା ଛାତ୍ରୀଙ୍କୁ ଅସଦାଚାରଣ ଅଭିଯୋଗ, ପ୍ରଧାନ ଶିକ୍ଷକ ଓ ଶିକ୍ଷକଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ…

ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ହିଞ୍ଜିଳିକାଟୁ : ସମାଜରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ମଧ୍ୟରେ ରହିଛି ଭକ୍ତି ଓ ବିଶ୍ୱାସର ପରମ୍ପରା । ହେଲେ କିଛି ଶିକ୍ଷକଙ୍କ ନିନ୍ଦନୀୟ କାର୍ଯ୍ୟ କଳାପରୁ ଶିକ୍ଷକ ସମାଜକୁ ଅପମାନିତ ହେବାକୁ ପଡୁଛି । ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଦାରୁଭଦ୍ରା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଉକ୍ତ ବିଦ୍ୟାଳୟର ଜଣେ ୫ମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ସୃଷ୍ଟି ସହ ପ୍ରତିକ୍ରିୟା ପ୍ରକାଶ ପାଇଛି। ବହୁ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ଘେରାଉ କରିବା ସହ ଆନ୍ଦୋଳନ କରିଛନ୍ତି । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଜଣେ ସହକାରୀ ଶିକ୍ଷକଙ୍କ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପ୍ରତିଶୃତି ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଛନ୍ତି ।
ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଦାରୁଭଦ୍ରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକ ବିଭିନ୍ନ ସମୟରେ ବିଦ୍ୟାଳୟର ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ଗୁରୁବାର ଅପରାହ୍ନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେହି ବିଦ୍ୟାଳୟର ଜୈନିକା ୫ମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ବେଳେ ଗ୍ରାମର ଜଣେ ବ୍ୟକ୍ତି ଦେଖିଥିବା ଦାବି କରି ଗ୍ରାମବାସୀଙ୍କୁ ଜଣାଇଥିଲେ । ଫଳରେ ଉତ୍ୟକ୍ତ ଗ୍ରାମବାସୀ ଓ ଅଭିଭାବକ ବିଦ୍ୟାଳୟରେ ପହଞ୍ଚି ପାଟିତୁଣ୍ଡ କରିବା ସହ ଆନ୍ଦୋଳନ କରିଥିଲେ । ଖବର ପାଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶିଳ କୁମାର ପାତ୍ର, ଦୁର୍ବନ୍ଧ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଜୋତ୍ସ୍ନା ପାତ୍ର ବିଦ୍ୟାଳୟରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୂ ବୁଝାସୁଝା କରିଥିଲେ । ପରେ ୬୮ନଂ ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ସରପଞ୍ଚ ବିକାଶ ସେଠି ଓ ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତା ପହଞ୍ଚି ଏକ ଆଲୋଚନା ବୈଠକ ହୋଇଥିଲା । ଗ୍ରାମବାସୀ ଓ ଅଭିଭାବକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ବିଦ୍ୟାଳୟରୁ ବହିଷ୍କାର ଦାବି ରେ ଅଡ଼ି ବସିଥିଲେ। ଏଥି ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରତିଶୃତି ପରେ ଆନ୍ଦୋଳନ ଥମିଥିଲା । ଘଟଣା ନେଇ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧରଙ୍କୁ ପଚାରିବାରୁ ସେ ଘଟଣାର ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

nis-ad
Leave A Reply

Your email address will not be published.