ତେରତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ : ରାସାୟନିକ ସାର ବିନା କୃଷି କର୍ମ ଉପରେ ଗୁରୁତ୍ବ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ତେର ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ-୨ ରେ ଅନୁଷ୍ଠିତ ଏହି ଉପଦେଷ୍ଟା ମଣ୍ଡଳୀ ବୈଠକରେ ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ଯାଳୟ (ଓୟୁଏଟି) ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଉପଯୁଗ୍ମ ନିର୍ଦ୍ଦେଶକ ଡଃ ପ୍ରଶାନ୍ତ କୁମାର ମହାନ୍ତି ଅଧ୍ୟକ୍ଷତାକରି ନିଜ ବକ୍ତବ୍ୟରେ ବିନା ରାସାୟନିକ ସାର ଦ୍ବାରା କିଭଳି କୃଷକଗଣ ପନିପରିବା ଚାଷ କରି ଅଧିକ ଲାଭବାନ ହେବେ ସେ ଦିଗରେ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ ।, ଏହି ବୈଠକରେ ସମ୍ପ୍ରସାରଣ ନିର୍ଦ୍ଦେଶାଳୟର ଡିନ୍ ପ୍ରଫେସର ପ୍ରସନ୍ ଜିତ୍ ମିଶ୍ର ନିଜ ବକ୍ତବ୍ୟରେ ସମସ୍ତ ସଦସ୍ଯ ସଦସ୍ଯାଙ୍କୁ ସ୍ବାଗତ ଜଣାଇ ଚାଷୀର ମୁଖ୍ୟ ଅସୁବିଧାକୁ ପ୍ରାଥମିକତା ଦେଇ କିଭଳି କମ୍ ସମୟ ମଧ୍ୟରେ ଜ୍ଞାନ କୌଶଳ ଆହରଣ କରି ନିଜ ଚାଷ କାର୍ଯ୍ୟରେ ଦେଖାଯାଉଥିବା ସମସ୍ଯାର ସମାଧାନ କରି କୃଷି କାର୍ଯ୍ୟ କରି ପାରିଲେ ସେମାନେ ଅନେକ ପରିମାଣରେ ସ୍ବାବଲମ୍ବୀ ହୋଇ ପାରିବା ସହ ସେମାନଙ୍କର ଅର୍ଥନୈତିକ ବିକାଶ ଘଟିବ ସେଥି ନିମନ୍ତେ ସେ ଗୁରୁତ୍ବାରୋପ କରିଥିଲେ । ବୈଠକର ପ୍ରାରମ୍ଭରେ ବରିଷ୍ଠ ବୈଜ୍ଞାନିକ ଓ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ସୁଜିତ୍ କୁମାର ନାଥ ୨୦୨୨-୨୩ ରବି ଋତୁ ଓ ୨୦୨୩ ଖରିଫ୍ ଋତୁରେ କେନ୍ଦ୍ର ତରଫରୁ ସଫଳତା ପୂର୍ବକ ସମ୍ପାଦିତ ହୋଇଥିବା ବିଭିନ୍ନ କାର୍ଯ୍ଯକ୍ରମ ସହିତ ଆଗାମୀ ୨୦୨୩-୨୪ ବର୍ଷ ପାଇଁ ସ୍ଥିରୀକୃତ କାର୍ଯ୍ୟକ୍ରମ ମାନ ଉପସ୍ଥିତ ସଦସ୍ୟ ମାନଙ୍କ ଗହଣରେ ବିସ୍ତୃତ ଭାବରେ ଉପସ୍ଥାପନ କରିବା ସହିତ ସମସ୍ତ ବିଭାଗର ସହଯୋଗରେ କାର୍ଯ୍ୟକ୍ରମ କରାଗଲେ ଯାଇ ଚାଷ ଓ ଚାଷୀର ଉନ୍ନତି ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥି ସହିତ ପୂର୍ବ ବର୍ଷ ଉପଦେଷ୍ଟା ମଣ୍ଡଳୀ ବୈଠକର ସୁପାରିଶ ଉପରେ ଆଧାରିତ ବିଭିନ୍ନ ପଦକ୍ଷେପ କେନ୍ଦ୍ର ପକ୍ଷରୁ ସୁଚାରୁ ରୂପେ ସଂପାଦିତ ହୋଇଛି ବୋଲି କହିଥିଲେ ।.

ପରେପରେ ଉପସ୍ଥିତ ସଦସ୍ୟ ମାନଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ଗଞ୍ଜାମ ଜିଲ୍ଲାର ଚାଷ ଓ ଚାଷୀ ମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତାବ ସର୍ବ ସମ୍ମତି କ୍ରମେ ପାରିତ ହୋଇଥିଲା । ଜଳବାୟୁ ଉପଯୋଗୀ ଚାଷର ଆବଶ୍ୟକତା ଉପରେ ଗୁରୁତ୍ବ ଦିଆଯାଇଥିଲା । ଓୟୁଏଟିର ଯୁଗ୍ମ ନିର୍ଦ୍ଦେଶକ ଡଃ ପ୍ରଶାନ୍ତ କୁମାର ମହାନ୍ତି କେନ୍ଦ୍ରର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଆଗାମୀ ଦିନ ନିମନ୍ତେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର କିଭଳି ସଫଳ ଋପାୟନ ହୋଇପାରିବ ଓ ଚାଷୀଗଣ ଚାଷ କାର୍ଯ୍ୟରେ ସଫଳ ପୂର୍ବକ ଲାଭବାନ ହୋଇ ପାରିବେ ସେଥି ନିମନ୍ତେ ନିଜର ବକ୍ତବ୍ୟ ରଖିଥିଲେ । ଡାଲି ଗବେଷଣା କେନ୍ଦ୍ରର ମୁଖ୍ୟ ଡଃ ପବିତ୍ର ମୋହନ ମହାପାତ୍ର ବିଭିନ୍ନ ନୂଆ କିସମର ଡାଲି ଓ ଅଣ-ଡାଲି କ୍ଷୁଦ୍ର ଶସ୍ୟ ଯଥା ମାଣ୍ଡିଆ ଓ ସୁଆଁ ପ୍ରଜାତିକୁ ସ୍ଥଳପୋଯୋଗୀ ଚାଷୀ କ୍ଷେତରେ ପରୀକ୍ଷା ଓ ପ୍ରଦର୍ଶନ କରିବାକୁ ଅନୁରୋଧ କରିଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ସାହୁ କେନ୍ଦ୍ର ସହିତ ସମସ୍ତ ବିଭାଗ ଏକତ୍ର ହୋଇ ସମନ୍ବୟ ଭାବରେ କାର୍ଯ୍ୟ କରିବାକୁ ଅବଗତ କରାଇ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମକୁ ଆହୁରି ତ୍ବରାନ୍ବୀତ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କେନ୍ଦ୍ର ପକ୍ଷରୁ କୃଷିଭିତ୍ତିକ ସମାଚାର ପତ୍ରିକା ଭୈରବୀ ର ୧୧ ତମ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ନାବାର୍ଡ ର ଜିଲ୍ଲା ପ୍ରବନ୍ଧକ ଡଃ ସଂଜୀବ ମିଶ୍ର କୃଷି ବିଜ୍ଞାନ କେନ୍ଦ୍ର ଭଞ୍ଜନଗର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ ସୁତନୁ କୁମାର ଶତପଥୀ ଙ୍କ ସମେତ, କୃଷି ବିଜ୍ଞାନ କେନ୍ଦ୍ର ଗଜପତିର ମୁଖ୍ୟ ବୈଜ୍ଞାନିକ ଡଃ ସଂଗ୍ରାମ ପରମଗୁରୁ, କେନ୍ଦ୍ରୀୟ ଉଦ୍ଯାନ ସଂସ୍ଥା ଭୁବନେଶ୍ବରର ନିର୍ଦ୍ଦେଶକ ଡଃ ରବୀନ୍ଦ୍ର ଆଚାର୍ଯ୍ୟ ଓ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନଙ୍କ ସହିତ କୃଷି ପ୍ରଯୁ୍କ୍ତି ବିଦ୍ୟା ପ୍ରୟୋଗ ଅନୁସଂଧାନ ପ୍ରତିଷ୍ଠାନ, କୋଲକାତାର ବରିଷ୍ଠ ବୈଜ୍ଞାନିକ ଡଃ ମଣ୍ଡଳ ଅନ୍ ଲାଇନ୍ ଓ୍ବେବଲିଙ୍କ ମାଧ୍ୟମରେ ଯୋଡି ହୋଇଥିଲେ । ଇଫକୋର କ୍ଷେତ୍ରୀୟ ପ୍ରବନ୍ଧକ,ଗଞ୍ଜାମ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ କୃଷି ବିଜ୍ଞାନ କେନ୍ଦ୍ରର ପ୍ରଗତିଶୀଳ କୃଷକ ଓ କୃଷିଜୀବୀ ମହିଳା ଯୋଗଦାନ କରିଥିଲେ । ପରିଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ କେନ୍ଦ୍ର ପରିସରରେ ବିଭିନ୍ନ ପ୍ରଦର୍ଶନ କ୍ଷେତ୍ରମାନ ପରିଦର୍ଶନ କରିଥିଲେ । କେନ୍ଦ୍ରର ବୈଜ୍ଞାନିକ ସସ୍ମିତା ପ୍ରିୟଦର୍ଶନୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଅତିଥି ପରିଚୟ ଦେଇଥିବା ବେଳେ ଡଃ ସିଦ୍ଧାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.