ଏମ୍‌ଭି-୬୭ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ…

5-26

ମାଲକାନଗିରି : ମାଲକାନଗିରି ଜିଲା କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଏମ୍‌ଭି-୬୭ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଗ୍ରାମର ଗୋଟିଏ ରାତିରେ ୨ଜଣଙ୍କ ଚାଷୀଙ୍କ ୪୦ରୁ ଊର୍ଦ୍ଧ୍ୱ ଛେଳି ଓ ମେଣ୍ଢାକୁ ଏହି ଜଙ୍ଗଲୀ ଅଜଣା ଜନ୍ତୁ ମାରି ଖାଇଛି। କେତେକ ଛେଳିମେଣ୍ଢାଙ୍କ ଅଧାଖିଆ ମୃତଦେହ ଛାଡ଼ି ଚାଲିଯାଇଛି। ଏପରି ଘଟଣା ଉକ୍ତ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।
ଖବରରୁ ଜଣାପଡିଛି, ମଙ୍ଗଳବାର ରାତିରେ ଅଜଣା ଜନ୍ତୁଟି ଏମ୍‌ଭି-୭୬ ଗ୍ରାମର ସୁନୀଲ ହାଲ୍‌ଦାର ଓ ଅସିତ ବାରିକଙ୍କ ଗୁହାଳରେ ପଶି ଉପରୋକ୍ତ ଛେଳିମେଣ୍ଢା ମାରି ଖାଇଥିବା ଜଣାପଡ଼ିଛି। ସୁନୀଲଙ୍କ ୪୦ରୁ ଊର୍ଦ୍ଧ୍ୱ ଛେଳି ମେଣ୍ଢା ଏବଂ ଅସିତଙ୍କ ଗୋଟିଏ ଛେଳି ଅଜଣା ଜନ୍ତୁ ଖାଇଥିବା ସେମାନେ ପ୍ରକାଶ କରିଛନ୍ତି। ସୁନୀଲ ଧାରକରଜ କରି ୧୦୦ରୁ ଅଧିକ ଛେଳି ପାଳନ କରି ଆସୁଥିଲେ। ମଙ୍ଗଳବାର ରାତିରେ ଛେଳିଗୁଡିକ ନିଜ ଗୁହାଳ ଘରେ ରଖିଥିଲେ। ବୁଧବାର ସକାଳେ ଗୁହାଳରେ ଅନେକ ଛେଳି ନ ଥିବା ସେ ଦେଖିବାକୁ ପାଇଥିଲେ। ଛେଳିଗୁଡିକୁ ଖୋଜାଖୋଜି କରିବା ପରେ ତାଙ୍କ ଘରଠାରୁ ୫୦ ମିଟର ଦୂର ଏକ ଚାଷଜମିରେ କେତେକ ଛେଳିର ମୃତଦେହ ପଡିଥିବା ସୁନୀଲ ଦେଖିବାକୁ ପାଇଥିଲେ। ଏଥିସହ ମୃତଦେହଗୁଡିକ ନିକଟରେ ଅଜଣା ଜନ୍ତୁର ନଖ ଓ ରାମ୍ପୁଡା ଚିହ୍ନ ମଧ୍ୟ ରହିଥିବା ଦେଖିବାକୁ ମିଳିଛି। ସେଠାରେ ଛେଳି ମେଣ୍ଢାଙ୍କ ମାଂସ, ହାଡ, ମୁଣ୍ଡ, କଲିଜା ଓ ଚମଡ଼ା ଆଦି ଏଣେତେଣେ ପଡିରହିଥିଲା।
ଖବର ପାଇ କୋଇମେଟଲା ସରପଞ୍ଚ ମୁନା ପଡିଆମି ଏବଂ କାଲିମେଳା ପ୍ରାଣୀଚିକିତ୍ସା କେନ୍ଦ୍ରର ଏକ ଡାକ୍ତରୀ ଟିମ୍‌ ଉକ୍ତ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ବିଜନ ମଲ୍ଲିକ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଯଶବନ୍ତ କୁମୁଟି ଛେଳିଗୁଡିକୁ କେଉଁ ପ୍ରାଣୀ ଆକ୍ରମଣ କରିଛି ସେନେଇ ସେମାନେ ବିଭିନ୍ନ ନମୁନା ସଂଗ୍ରହକରି ତାହାର ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ଚାଷୀ ସୁନୀଲ କହିଛନ୍ତି, ସେ ଏତେ ବର୍ଷ ଧରି ଛେଳି ପାଳନ କରି ଆସୁଛନ୍ତି। ଅଥଚ ଏଭଳି ଘଟଣା କେବେ ହୋଇନାହିଁ। ତାଙ୍କର ୪୦ରୁ ଊର୍ଦ୍ଧ୍ୱ ଛେଳି ମେଣ୍ଢା ଚାଲିଯିବାରୁ ସେ ବହୁତ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ମଲ୍ଲିକଙ୍କୁ ପଚାରିବାରୁ ସେ ଅଜଣା ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ଛେଳିଗୁଡିକର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ଜନ୍ତୁର ପାଦ, ନଖ ଚିହ୍ନ ଏବଂ ଅନ୍ୟାନ୍ୟ ଦିଗ ପ୍ରତି ଅନୁଧ୍ୟାନକରି ଏହାର ତଦନ୍ତ କରାଯାଉଛି। ଏପରି ବିପଦ କ୍ଷେତ୍ରରେ ଯାହା କିଛି ସରକାରୀ ସୁବିଧା ରହିଛି ତାହା ସମ୍ପୃକ୍ତ ଛେଳିଚାଷୀଙ୍କୁ ଦେବା ବ୍ୟବସ୍ଥା କରିବେ ବୋଲି ପ୍ରକାଶ କରିଛନ୍ତି। ଏହି ଜନ୍ତୁ ଆକ୍ରମଣ ପରେ ଗ୍ରାମବାସୀ ଏବେ ନିଜ ନିଜ ପଶୁପକ୍ଷୀଙ୍କ ସୁରକ୍ଷାରେ ଚିନ୍ତାରେ ରହିଥବା ଦେଖିବାକୁ ମିଳିଛି।

nis-ad
Leave A Reply

Your email address will not be published.