ଏହି ବିଜୟ ୨୦୨୪ ର ବିଜୟକୁ ସୁନିଶ୍ଚିତ କରିଛି : ମୋଦୀ…

ନୂଆଦିଲ୍ଲୀ: ରାଜନୈତିକ ଦୃଷ୍ଟିକୋଣରୁ ଦେଶର ତୃତୀୟ ମହତ୍ତ୍ବପୂର୍ଣ୍ଣ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିପୁଳ ବିଜୟ ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ବିଜେପି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବିଜୟ ଏକ ଐତିହାସିକ ବିଜୟ । ଏହା ସୁଶାସନର ବିଜୟ, ଏହି ବିଜୟ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ।

ସେ କହିଛନ୍ତି ଯେ ଦେଶର ୪ଟି ଜାତିର ବିକାଶ ହେଲେ ଦେଶର ବିକାଶ ହେବ । ଏହି ୪ଟି ଜାତି ହେଲେ ନାରୀ, ଯୁବଗୋଷ୍ଠୀ, କୃଷକ ଓ ଗରିବ । ମୁଁ ମୋ ମାଆ, ଭଉଣୀ, ଝିଅମାନଙ୍କୁ ପ୍ରଣାମ କରୁଛି। ମୁଁ ମୋର ଯୁବବନ୍ଧୁମାନଙ୍କ ସମ୍ମୁଖରେ ଅଛି, ମୁଁ ମୋର କୃଷକ ସହକର୍ମୀଙ୍କ ସମ୍ମୁଖରେ ଅଛି, ସେମାନଙ୍କ ନିଷ୍ପତ୍ତିକୁ ମୁଁ ପ୍ରଣାମ କରୁଛି। ଏହି ନିର୍ବାଚନ ଫଳାଫଳ ଆଉ ଏକ କଥା ସ୍ପଷ୍ଟ କରିଛି ଯେ ଦେଶର ଯୁବବର୍ଗ କେବଳ ବିକାଶ ଚାହୁଁଛନ୍ତି। ସେ ରାଜସ୍ଥାନ ହେଉ, ଛତିଶଗଡ଼ ହେଉ କି ତେଲେଙ୍ଗାନା, ଯେଉଁଠି ସରକାର ଯୁବକଙ୍କ ବିରୋଧରେ କାମ କରିଛନ୍ତି, ସେମାନେ କ୍ଷମତାରୁ ଦୂରେଇ ଯାଇଛନ୍ତି। ଏହି ତିନୋଟି ରାଜ୍ୟରେ କ୍ଷମତାରେ ଥିବା ଦଳ ଏବେ କ୍ଷମତାରୁ ଦୂରେଇ ଯାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେଉଁ ଆଦିବାସୀ ସମାଜକୁ କଂଗ୍ରେସ କେବେ ପଚାରି ନଥିଲା, ସେହି ସମାଜ କଂଗ୍ରେସକୁ ମୂଳପୋଛ କରିଦେଇଛି । ଏହା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ମଧ୍ୟ ଦେଖିବାକୁ ମିଳିଛି। ଆଦିବାସୀ ସମାଜ ଆଜି ବିକାଶ ପାଇଁ ଆଗ୍ରହୀ ଏବଂ ସେମାନେ ବିଶ୍ୱାସ କରନ୍ତି ଯେ କେବଳ ବିଜେପି ହିଁ ଏହି ଆକାଂକ୍ଷା ପୂରଣ କରିପାରିବ ।

ତେଲେଙ୍ଗାନା ସଂପର୍କରେ ସେ କହିଛନ୍ତି “ମୁଁ ତେଲେଙ୍ଗାନା ଏବଂ ତେଲେଙ୍ଗାନାର ବିଜେପି କର୍ମୀମାନଙ୍କୁ ବିଶେଷ କୃତଜ୍ଞତା ଜଣାଉଛି। ପ୍ରତ୍ୟେକ ନିର୍ବାଚନରେ ତେଲେଙ୍ଗାନାରେ ବିଜେପିର ଗ୍ରାଫ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ମୁଁ ତେଲେଙ୍ଗାନାର କର୍ମୀମାନଙ୍କୁ ଆଶ୍ୱାସନା ଦେଉଛି ଯେ ବିଜେପି ଆପଣଙ୍କ ସେବାରେ କୌଣସି କସରତ ଛାଡିବ ନାହିଁ ।’’

୨୦୨୪ ନିର୍ବାଚନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ନିର୍ବାଚନ ଫଳର ପ୍ରଭାବ କେବଳ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ସୀମିତ ରହିବ ନାହିଁ, ଏହା ଦୂର ପର୍ଯ୍ୟନ୍ତ ଯିବ । ଏହି ନିର୍ବାଚନ ୨୦୨୪ର ବିଜୟକୁ ସୁନିଶ୍ଚିତ କରିଦେଇଛି ।

nis-ad
Leave A Reply

Your email address will not be published.