ଅଧିକ ସମୟ ଦେବାକୁ ସରକାରଙ୍କ ଆବେଦନ

କଟକ  : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଘଟଣାର ତଦନ୍ତ କମିଶନ୍‌ଙ୍କ ରିପୋର୍ଟ ସାର୍ବଜନୀନ କରାଯିବା ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ଶୁକ୍ରବାର ହୋଇଛି। ରାଜ୍ୟ ସରକାର ସ୍ଥିତି ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ଦେବାକୁ ଅଦାଲତଙ୍କୁ ପ୍ରାର୍ଥନା କରିଛନ୍ତି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି।

ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଶୁକ୍ରବାର ଶୁଣାଣିବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ସମୟ ନେବାକୁ ଆବେଦନ କରାଯାଇଥିବାବେଳେ ଆବେଦନକାରୀଙ୍କ ଆଇନଜୀବୀ ଅନୁପ ମହାପାତ୍ର ଏହାକୁ ବିରୋଧ କରିଥିଲେ। ମହାପାତ୍ର ଯୁକ୍ତି ଦର୍ଶାଇଥିଲେ ଯେ, ଗତ ଏପ୍ରିଲ ୨୫ ତାରିଖ ଶୁଣାଣିରେ ହାଇକୋର୍ଟ ପ୍ରତିପକ୍ଷ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ଆଇନ ବିଭାଗ ସଚିବଙ୍କୁ ରତ୍ନଭଣ୍ଡାର ସ୍ଥିତି ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ନୋଟିସ ଜାରି କରିଥିଲେ। ଗତ ଜୁଲାଇ ୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଇତିମଧ୍ୟରେ ୫ ମାସ ବିତି ଯାଇଥିଲେ ସୁଦ୍ଧା ରାଜ୍ୟ ସରକାର ରିପୋର୍ଟ ଦାଖଲ ନ କରି ଅଧିକ ସମୟ ନେଉଛନ୍ତି। ପୂର୍ବରୁ ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଜରିଆରେ ସରକାର ୨ ମାସ ସମୟ ନେଇଥିଲେ। ଆବେଦନକାରୀ ପୁରୀ ଜିଲା କାମକଣ୍ଟିଆର ସାମାଜିକ କର୍ମୀ ଦିଲ୍ଲୀପ ବରାଳଙ୍କ ପକ୍ଷରୁ ଦାୟର ମାମଲାକୁ ଆଇନଜୀବୀ ଅନୁପ ମହାପାତ୍ର ଓ ଆଇନଜୀବୀ ହରପ୍ରିୟା ରାଉତରାୟ ପରିଚାଳନା କରୁଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ୨୦୧୮ ଜୁନ୍‌ ୬ରେ ଜଷ୍ଟିସ ରଘୁବୀର ଦାଶ କମିଶନ୍‌ ଗଠନ କରିଥିଲେ। ଜଷ୍ଟିସ ରଘୁବୀର ଦାଶ ମାମଲାର ତଦନ୍ତ କରି ୨୦୧୮ ନଭେମ୍ବର ୨୯ ତାରିଖରେ ରାଜ୍ୟ ସରକାରଙ୍କୁ ୩୫୪ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଥିଲେ। କମିଶନ୍‌ ଅଫ୍‌ ଇନକ୍ୱାରି ଆକ୍ଟ ୧୯୫୨ ଅନୁଯାୟୀ ସରକାର ଉକ୍ତ ରିପୋର୍ଟକୁ ପରଖିବା ପରେ ବିଧାନସଭାରେ ଉପସ୍ଥାପନ କରିବେ କି ନାହିଁ ସେନେଇ ନିଷ୍ପତ୍ତି ନେବା କଥା। ହେଲେ ଏ କ୍ଷେତ୍ରରେ କ’ଣ ହୋଇଛି ତାହା ଜଣାନାହିଁ। ବିରୋଧୀ ଦଳ ମଧ୍ୟ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବା ନିମନ୍ତେ ବିଧାନସଭାରେ ପ୍ରସଙ୍ଗ ଉଠାଇଥିଲେ। ହେଲେ ୨୦୧୮ରୁ ଅଦ୍ୟାବଧି ଉକ୍ତ ରିପୋର୍ଟକୁ ସରକାର ଚପାଇ ରଖିଛନ୍ତି। ଆବେଦନକାରୀ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ ପୂର୍ବକ ସାର୍ବଜନୀନ କରିବାକୁ ପିଟିଶନ୍‌ରେ ଦର୍ଶାଇଛନ୍ତି। ଏଥିସହ ସେ ଆହୁରି ମଧ୍ୟ ପ୍ରାର୍ଥନା କରିଛନ୍ତି, ରତ୍ନଭଣ୍ଡାରରେ କ’ଣସବୁ ଅଳଙ୍କାର ରହିଛି ତାହାର ତାଲିକା ୧୯୭୮ ମସିହାରୁ ଏଯାବତ୍‌ ପ୍ରସ୍ତୁତ ହୋଇନାହିଁ। ଏହି ତାଲିକା ପ୍ରସ୍ତୁତ କରିବା ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ମଧ୍ୟ ଆବେଦନ କରାଯାଇଛି। ଏଥିସହ ରତ୍ନଭଣ୍ଡାର ଦୁର୍ବଳ ହୋଇପଡ଼ିବା କାରଣରୁ ତାହାର ମରାମତି ନିମନ୍ତେ ଏଏସ୍‌ଆଇକୁ ଦାୟିତ୍ୱ ଦିଆଯାଉ ବୋଲି ସେ ଆବେଦନ କରିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଆଇନ ବିଭାଗ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଉପ ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପରିଚାଳନା କମିଟି, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି।

nis-ad
Leave A Reply

Your email address will not be published.