ନବବଧୂଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ…

ହିଞ୍ଜିଳିକାଟୁ : ଗୁରୁବାର ସକାଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତତା ସାନଖେମୁଣ୍ଡି ବ୍ଳକ ଆଡପଡା ଗ୍ରାମର ଜଣେ ନବବଧୂଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ଆଡପଡା ପେଣ୍ଡୁରାଲୁଣ୍ଡି ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ସ୍ତ୍ରୀ ଝିଲି ପ୍ରଧାନ(୨୨) । ପରିବାର ଲୋକେ ବିଦ୍ୟୁତ ଆଘାତରେ ନବବଧୂଙ୍କ ମୃତ୍ୟୁ ହୋଇଥିବା ନେଇ ପୁଲିସକୁ କହିଥିବା ବେଳେ ମୃତକାଙ୍କ ବାପା ସୁଦାମ ବିଷୋୟୀ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ମାଜିଷ୍ଟେଟଙ୍କ ଉପସ୍ଥିତିରେ ପୁଲିସ ମୃତଦେହକୁ ଜବତ କରିଛି । ପରିସ୍ଥିତିର ଗମ୍ଭୀରତାକୁ ନେଇ ଘଟଣା ସ୍ଥଳରେ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ଘଟଣାର ସରଜମିନ ତଦନ୍ତ କରି ଫେରିଛନ୍ତି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୯୦୮/୨୩ରେ ଏକ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ସୂତ୍ରରୁ ପ୍ରକାଶ ।
ପୁଲିସ ସୂଚନା ପ୍ରକାରେ, ଗତ ୨୦୨୦ମସିହା ଜୁନ ମାସରେ ହିଞ୍ଜିଳି ଥାନା ଆଡପଡା ପେଣ୍ଡୁରାଲୁଣ୍ଡି ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ସହ ପାଟପୁର ଥାନା ଏରେଣ୍ଡ୍ରା ଗ୍ରାମର ସୁଦାମ ବିଷୋୟୀଙ୍କ ଝିଅ ଝିଲି ବାହାଘର ହୋଇଥିଲା । ବାହାଘରର ୧ବର୍ଷ ପରେ ବହୁ ସମୟରେ ଶଶୁର ଘର ଲୋକେ ଝିଲିଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ମୃତକାଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି । ଗୁରୁବାର ଭୋରରେ ଝିଲି ମାର୍ଗଶିର ମାସ ଗୁରୁବାର ପୂଜା ପାଇଁ ସ୍ନାନ କରିବା ସକାଶେ ୱାଟର ହିଟର ଯୋଗେ ପାଣି ଗରମ କରୁଥିବା ବେଳେ ଅସାବଧାନବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ନେଇ ପ୍ରଶାନ୍ତଙ୍କ ପରିବାର ଲୋକେ ଝିଲିଙ୍କ ବାପା ଘରକୁ ଖବର ଦେଇଥିଲେ । ଖବର ପାଇ ଝିଲିଙ୍କ ବାପା ଓ ଭାଇ ଟୁକୁନା ଆଡପଡା ଗ୍ରାମରେ ପହଞ୍ଚି ଲିଲିଙ୍କ ମୃତଦେହ ଓ ଘଟଣା ସ୍ଥଳ ପରିଦର୍ଶନ କରି ବିଦ୍ୟୁତ ଆଘାତରେ ତାଙ୍କ ଝିଅର ମୃତ୍ୟୁ ନହୋଇ ଶଶୁର ଘର ଲୋକେ ହତ୍ୟା କରିଥିବା ନେଇ ଝିଲିଙ୍କ ବାପା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଝିଲିଙ୍କ ହାତ ଓ ମୁହଁ ପୋଡି କଳା ପଡି ଯାଇଥିବା ବେଳେ ୱାଟର ହିଟର ଯୋଗେ ପାଣି ଗରମ କରୁଥିବା ବେଳେ ଯଦି ଅସାବଧାନବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ହାତ ପାପୁଲି ପୋଡି ନଥିବା ବେଳେ ମୁହଁ ଓ ହାତର ଡେଣା କିପାରି ପୋଡିଛି ବୋଲି ଝିଲିଙ୍କ ବାପା ପ୍ରଶ୍ନ କରିଥିଲେ । ବିଦ୍ୟୁତ ଆଘାତ ନୁହେଁ ବରଂ ଏହା ଏକ ସୁପରିକଳ୍ପିତ ହତ୍ୟାକଣ୍ଡ ବୋଲି ମୃତକାଙ୍କ ବାପା ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ଝିଲିଙ୍କ ସ୍ୱାମୀ ଶାରୀରିକ ଅକ୍ଷମ(ମୂକ ଓ ବଧିର) ହୋଇଥିବା ବେଳେ ବହୁ ସମୟରେ ଏହାକୁ କେନ୍ଦ୍ର କରି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିବା ଗ୍ରାମର ବହୁ ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି ।

nis-ad
Leave A Reply

Your email address will not be published.