ସୁନ୍ଦରଗଡ (୨୪/୧୧) : ମହାନଦୀ କୋଇଲା ଖଣି ଅଞ୍ଚଳରୁ କୋଇଲା ପରିବହନ କରୁଥିବା ବ୍ୟସ୍ତ ସଡ଼କରେ ଘଟିଯାଏ ଅନେକ ଅବାଞ୍ଛିତ ଦୁର୍ଘଟଣା। ଅକ୍ଟୋବର ମାସରେ ଏହିଭଳି ଏକ ବିଭତ୍ସ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଏକ ପରିବାର। ଏକ ଅଭାବନୀୟ ପରିସ୍ଥିତିରେ ନିର୍ବାପିତ ହୋଇ ଯାଇଥିଲା ଗୃହର ମୁଖ୍ୟ ତଥା ଗାଡ଼ି ଚାଳକଙ୍କ ଜୀବନ। କାଳର କରାଳ ଚକ୍ରରେ ଗୁରୁତର ଭାବରେ ଆହତ ହୋଇଥିଲେ ମୃତକଙ୍କ ପତ୍ନୀ ଓ ସନ୍ତାନ। ଏଭଳି ଦୁଃଖଦ ପରିସ୍ଥିତିରେ ଆଗକୁ ଆସିଥିଲେ ସୁନ୍ଦରଗଡର ବିଶିଷ୍ଟ ବ୍ୟବସାୟୀ ତଥା ମାତାରାନୀ ଟ୍ରାନ୍ସପୋର୍ଟ ଓ ମାତାରାନୀ ରିସୋର୍ସେସ ପାଇଭେଟ ଲିମିଟେଡର ନିର୍ଦ୍ଦେଶକ ଏବଂ ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍ ଅଧ୍ୟକ୍ଷ ସଞ୍ଜୟ ନନ୍ଦ। ସେ ମୃତକଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଥିଲେ।
ଏକ ଦରଦୀ ମଣିଷର ହୃଦୟ ରଖିଥିବା ସଞ୍ଜୟଙ୍କ ଇଙ୍ଗିତରେ ଆହତ ମହିଳାଙ୍କୁ ଉପଚାର ପାଇଁ ରାଉରକେଲା ନେବାର ସମସ୍ତ ଖର୍ଚ୍ଚ ନିୟମିତ ଭାବରେ ବହନ କରୁଛି ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍। ଏହି ଶୃଙ୍ଖଳାରେ ଗତ କାଲି ଆହତ ମହିଳାଙ୍କୁ ତାଙ୍କ ବାସସ୍ଥାନରେ ସାକ୍ଷାତ କରି ପଚାଶ ହଜାର ଟଙ୍କାର ସାହାଯ୍ୟ ରାଶି ପ୍ରଦାନ କରିଥିଲେ ସଞ୍ଜୟ। ଏହି ଘଟଣା ପରେ ସଡ଼କ ସୁରକ୍ଷା ପାଇଁ ସଞ୍ଜୟ ନେଇଥିଲେ ଏକ ବଳିଷ୍ଠ ପଦକ୍ଷେପ। ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍ (ଜେ.ଜେ.ଟି.ଏ) ଦ୍ଵାରା ୨୪ ଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇ ସଡ଼କ ସୁରକ୍ଷା ତଥା ସୁଗମନାଗମନ ପାଇଁ ପ୍ରଶାସନକୁ ସାହାଯ୍ୟ କରୁଛନ୍ତି ଏହି ସୁରକ୍ଷା କର୍ମୀ। ଏହି ପଦକ୍ଷେପ ପାଇଁ ସମାଜରେ ଉଚ୍ଚ ପ୍ରଶଂସିତ ହୋଇଥିଲେ ସଞ୍ଜୟ ଓ ଜେ.ଜେ.ଟି.ଏ।
ସନ୍ଧ୍ୟା ସମୟରେ ଦୃଶ୍ୟମାନ ହୋଇଥିଲା ସଞ୍ଜୟଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗ। ସନ୍ଧ୍ୟାରେ ସୁନ୍ଦରଗଡସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟର ନୂଆ ଓ ଯୁବଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ସଞ୍ଜୟ ଯୋଗ ଦେଇ ଶିକ୍ଷାର୍ଥୀମାନଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ.କୁମୁଦିନୀ ରାଉତରାୟଙ୍କ ସହିତ ଆଲୋଚନା ସମୟରେ ସକାରାତ୍ମକ ପ୍ରତିଷ୍ପର୍ଦ୍ଧା ଆଣିବା ପାଇଁ ସଞ୍ଜୟ ମେଧାବୀ ଶିକ୍ଷାର୍ଥୀଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଥିଲେ। ମହାବିଦ୍ୟାଳୟର ଯୁକ୍ତ ୨ ପରୀକ୍ଷାରେ ୯୦%ରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ଶିକ୍ଷାର୍ଥୀଙ୍କୁ ୧୦୦୦୦/- ଟଙ୍କା ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍ ତରଫରୁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ନନ୍ଦ ଘୋଷଣା କରିବା ସମୟରେ କରତାଳି ଦେଇ ସମସ୍ତେ ତାଙ୍କୁ ସାଧୁବାଦ୍ ଜଣାଇଥିଲେ। ସୁନ୍ଦରଗଡର ଆର୍ଥିକ ଅଗ୍ରଗତି ତଥା ସମାଜ କଲ୍ୟାଣ କାମରେ ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍ (ଜେ.ଜେ.ଟି.ଏ) ନିଜର ଉତ୍ତରଦାୟିତ୍ୱ ନିର୍ବାହ କରୁଛି ଏବଂ ଆଗକୁ ମଧ୍ୟ ଏହାକୁ ଜାରି ରଖିବ ତଥା ଶିକ୍ଷାକ୍ଷେତ୍ରରେ ମଧ୍ୟ ସାହାଯ୍ୟକୁ ନିରନ୍ତରିତ ଭାବରେ ଆଗେଇ ନେବ ବୋଲି ଶ୍ରୀ ନନ୍ଦ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ଆଜିର ଏହି ଉତ୍ସବରେ ମଞ୍ଚରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍ (ଜେ.ଜେ.ଟି.ଏ)ର ବରିଷ୍ଠ ସଦସ୍ୟ ତଥା ସୁନ୍ଦରଗଡ ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା ମଧ୍ୟ ମଞ୍ଚାସୀନ ଥିଲେ।
ପ୍ରକାଶଯୋଗ୍ୟ ଯେ ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍ (ଜେ.ଜେ.ଟି.ଏ) ଗଠନ ହେବାଠାରୁ ଅଧ୍ୟକ୍ଷ ସଞ୍ଜୟ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମ କରିଆସୁଛି। ଏପରିକି କରୋନା ମହାମାରୀ ସମୟରେ ମଧ୍ୟ ଜେ.ଜେ.ଟି.ଏ ଶ୍ରୀ ନନ୍ଦଙ୍କ ନେତୃତ୍ୱରେ ଅନେକ ମାନବିକ ସହାୟତା ଯୋଗାଇ ଦେବା ସଙ୍ଗେ ସଙ୍ଗେ ଶବଦାହ ପାଇଁ ଜାଳକାଠ ପ୍ରଦାନ କରିଥିଲା।