‘ୟେଶ ୱାର୍ଲଡ’ ମୁଖ୍ୟଙ୍କ ସହ ଓଡ଼ିଶାରୁ ୨ ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ…

ଭୁବନେଶ୍ୱର: ଓଡ଼ିଶା କ୍ରାଇମ ବ୍ରାଞ୍ଚର ଇକୋନମିକ ଅଫେନ୍ସ ୱିଙ୍ଗ ବା ଇଓଡବ୍ଲ୍ୟୁ ଆଉ ଏକ କ୍ରିପ୍ଟୋକରେନ୍ସି ଦୁର୍ନୀତିର ପର୍ଦ୍ଦାଫାଶ କରିଛି । ଏହି ଘଟଣାର ମୁଖ୍ୟ କୁହାଯାଉଥିବା ୟେଶ ୱାର୍ଲଡ କ୍ରିପ୍ଟୋ ଟୋକେନର ସନ୍ଦୀପ ଚୌଧୁରୀଙ୍କୁ ଜୟପୁର(ରାଜସ୍ଥାନ )ରୁ ଗିରଫ କରାଯାଇଛି ।

ଇଓଡବ୍ଲ୍ୟୁ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି, ଚୌଧୁରୀଙ୍କ ବିରୋଧରେ ଏକ ଲୁକଆଉଟ ସର୍କୁଲାର ଜାରି କରାଯାଇଥିଲା । ତାଙ୍କୁ ଭାରତ ଛାଡି ନ ଯିବା ପାଇଁ କୁହାଯାଇଥିଲା । ହେଲେ ସେ ଜୟପୁର ଇଣ୍ଟରନାଶନାଲ ଏୟାରପୋର୍ଟରୁ ଦୁବାଇ ଯାଉଥିବାବେଳେ ଇଓଡବ୍ଲ୍ୟୁ ଟିମ ତାଙ୍କୁ ଧରିଛନ୍ତି ।

ତାଙ୍କୁ ନଭେମ୍ବର ୧୬ରେ ଜୟପୁରର କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କର ୫ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡକୁ ଅନୁମୋଦନ କରିଛନ୍ତି । ତାଙ୍କୁ ଓଡ଼ିଶା ଅଣାଯିବ ଏବଂ କଟକ ଓପିଆଇଡି କୋର୍ଟରେ ହାଜର କରାଯିବ ।

ସୂଚନାଥାଉ କି, ଏହି ମାମଲାରେ ଇଓଡବ୍ଲ୍ୟୁ ନଭେମ୍ବର ୧୬ ତାରିଖରେ ଭୁବନେଶ୍ୱରରୁ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଗିରଫ କରିଛି  । ସେମାନେ ହେଲେ ବସନ୍ତ କୁମାର ପ୍ରଧାନ ଏବଂ ମନୋଜ କୁମାର ପଟ୍ଟନାୟକ । ଏମାନେ ମଧ୍ୟ ୟେସ ୱାର୍ଲଡର ସଭ୍ୟ ଥିଲେ ।

ବିଜ୍ଞପ୍ତିରେ ଆହୁରି କୁହାଯାଇଛି, ପୁରୀ ଦଇତାପତି ସାହୁ ମାର୍କେଟ ଛକର ସ୍ୱାଗତ କୁମାର ନାୟକଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା । ସେ ଅଭିଯୋଗ କରିଥିଲେ ଯେ, ସନ୍ଦୀପ ଚୌଧୁରୀଙ୍କ ସହ ବସନ୍ତ କୁମାର ଏବଂ ମନୋଜ ପଟ୍ଟନାୟକଙ୍କ ସହ ୟେସ ୱାର୍ଲଡର ଅନ୍ୟକିଛି ଲୋକ ମିଶି ପ୍ରାୟ ୮୫ ହଜାର ଟଙ୍କା ତାଙ୍କୁ ଧୋକା ଦେଇ ଲୁଟି ନେଇଛନ୍ତି । ଅଭିଯୋଗର ତଦନ୍ତ ପରେ ଜଣାପଡିଥିଲା ୟେସ ବ୍ୟାଙ୍କ ଏକ ବଡ ଧରଣର କ୍ରିପ୍ଟୋ କଏନ/ଟୋକନ ନାଁରେ ବଡ ଧରଣର ପଞ୍ଜି/ମନି ସର୍କୁଲେସନ କାରବାର କରୁଛି । ହେଲେ ଏହାର ଯଥେଷ୍ଟ ପ୍ରମାଣପତ୍ର ଏବଂ ଆଇନଗତ କାଗଜପତ୍ର କମ୍ପାନୀ ପାଖରେ ନ ଥିଲା    । ଏହି କମ୍ପାନୀ ଅଳ୍ପ ବିନିଯୋଗରେ କମ ସମୟରେ ପ୍ରଚୁର ଅର୍ଥ ମିଳିବାର ପ୍ରଲୋଭନ ଦେଖାଇ ଡାଉନଲାଇନରେ ଶହଶହ ଲୋକଙ୍କୁ ଯୋଡିଥିଲା ।

ଏହି ଯୋଜନାରେ ପଞ୍ଜାବ, ରାଜସ୍ଥାନ, ଓଡ଼ିଶା, ପଶ୍ଚିମବଙ୍ଗ, ହରିଆାନ, ଗୁଜୁରାଟ, ବିହାର, ଝାଡଖଣ୍ଡ ଆଦି ରାଜ୍ୟର ପ୍ରାୟ ୨.୫ ଲକ୍ଷ ସଭ୍ୟ ଥିବାବେଳେ ଓଡ଼ିଶାର ଭୁବେନଶ୍ୱର, ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର ଏବଂ ନୟାଗଡର କେବଳ ୮ ହଜାର ସଭ୍ୟ ଅଛନ୍ତି । ତଦନ୍ତରୁ ଜଣାପଡିଛି, ୟେସ ୱାର୍ଲଡକୁ ଆରବିଆଇ ସ୍ୱୀକୃତି ମିଳିନାହିଁ ।

ଗିରଫ ସନ୍ଦୀପ ଚୌଧୁରୀ ଜୟପୁର ନିଟ୍ରୁ ବିଟେକ କରିଛନ୍ତି । ସେ ଏକାଧିକ ବେନାମୀ କମ୍ପାନୀର ଡାଇରେକ୍ଟର ପଦବୀରେ ବି ଅଛନ୍ତି । ସେ ଏବଂ ତାଙ୍କର କିଛି ଅପ-ଲାଇନ ମେମ୍ବରମାନେ ନିୟମିତ ଜୁମ ମିଟିଂରେ ଏକାଠି ହୋଇ ଏହି କାରବାର ଚଳାଉଥିଲେ ।

ଓଡ଼ିଶାରୁ ଗିରଫ ହୋଇଥିବା ବସନ୍ତ କୁମାର ପ୍ରଧାନ ଏବଂ ମନୋଜ ପଟ୍ଟନାୟକ ଭୁବନେଶ୍ୱର ଏବଂ ପୁରୀରେ ଏକାଧିକ ଅଫଲାଇନ ମିଟିଂ କରି ଲୋକଙ୍କୁ ଲୋଭନୀୟ ପ୍ରଲୋଭନ ଦେଖାଇ ଏଥିରେ ସାମିଲ କରାଇଥିଲେ । ଏହି ଯୋଜନା ପ୍ରତି ଲୋକଙ୍କୁ ଅଧିକ ଆକର୍ଷିତ କରିବ ପାଇଁ ସନ୍ଦୀପ ଚୌଧୁରୀ ମଧ୍ୟ ଓଡ଼ିଶା ଆସିଥିଲେ ।

ନିଜ କାରବାର ପାଇଁ ୟେସ ୱାର୍ଲଡ ଫ୍ୟାନ୍ସ ହୋଟେଲ, ମୋଟିଭେସନାଲ ସ୍ପିକରଙ୍କୁ ବ୍ୟବହାର କରୁଥିଲା । ଏହାର ସଭ୍ୟମାନଙ୍କୁ ଅନେକ ଡିନର ପାର୍ଟିରେ ଆପ୍ୟାୟିତ ବି କରିଛି । ଏହାବ୍ୟତୀତ ପବ୍ଲିସିଟି ପାଇଁ ଅନେକ ୟୁଟ୍ୟୁବ ଚାନେଲ ମଧ୍ୟ ଖୋଲିଛି । ଏହି ଯୋଜନାରେ ଲୋକଙ୍କୁ ପ୍ରାଥମିକ ଭାବେ ଲୋଭନୀୟ ଲାଭ ଦେଇ ଟ୍ରାପ କରୁଛି । ତା ପରେ ତାଙ୍କୁ ଅଧିକରୁ ଅଧିକ ମେମ୍ବର କରିବାକ ପାଇଁ ପରାମର୍ଶ ଦେଉଛି ।

ଏହି ୟେସ ୱାର୍ଲଡ କମ୍ପାନୀରେ ମୋଟ ୨୦୦ କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବା ଇଓଡବ୍ଲ୍ୟୁ କହିଛି ।ଏହା ପୂର୍ବରୁ ଇଓଡବ୍ଲ୍ୟୁ ଗତ ଅଗଷ୍ଟରେ ଆଉ ଏକ କ୍ରିପ୍ଟୋକରେନ୍ସି ପଞ୍ଜି ସ୍କାମର ପର୍ଦ୍ଦାଫାଶ କରିଥିଲା ଯେଉଁଥିରେ ଦୁଇ ଲକ୍ଷ ନିବେଶକ ପ୍ରାୟ ୧ ହଜାର କୋଟି ଟଙ୍କା ନିବେଶ କରିଥିଲେ ।

nis-ad
Leave A Reply

Your email address will not be published.