ଥାନା ଭଙ୍ଗା ରୁଜା ଘଟଣା : ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସମ୍ପୃକ୍ତ, ମାମଲା ରୁଜୁ କଲା ପୁଲିସ…

gdjdgjgjdgjgjgjd-750x430-1

ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା ନେଇ ମାମଲା ରୁଜୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ବରଗଡ଼ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ମିନା। ସେ କହିଛନ୍ତି, ଗୋଟିଏ ଗାଡ଼ିରେ ଗଞ୍ଜେଇ ଚାଲାଣ ସୂଚନା ପାଇ ଅମ୍ବାଭୋନା ଥାନାଧିକାରୀ ବୁଲୁ ମୁଣ୍ଡା ଯାଞ୍ଚ କରିଥିଲେ। ଗାଡ଼ି ଯାଞ୍ଚ ହେବା ପରେ ଭଙ୍ଗାରୁଜା ଘଟଣା ଘଟିଛି। ଏହି ଘଟଣାରେ ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସମ୍ପୃକ୍ତ ଥବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି। ପୁଲିସ ଏନେଇ ମାମଲା ରୁଜୁ କରିଛି। ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଗତକାଲି ରବିବାର ଅପରାହ୍ନ ପ୍ରାୟ ୫ଟା ବେଳେ ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଥିଲା। ଶତାଧିକ ଲୋକ ଥାନା ଘେରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଭଙ୍ଗାରୁଜା। ଯିଏ ଯାହା ପାରିଲା ସବୁ ଉଠାଇ କଚାଡ଼ି ଚାଲିଥିଲା। ଥାନା ଭିତରେ ଥିବା କମ୍ପ୍ୟୁଟର ସମେତ ଅନ୍ୟ ଆସବାବପତ୍ର ଚୂରମାର୍ ହୋଇଯାଇଥିଲା। କେବଳ ସେତିକୁ ନୁହେଁ, ଉତ୍ତ୍ୟକ୍ତ ଲୋକେ ଝରକାର କାଚ ମଧ୍ୟ ଭାଙ୍ଗି ଦେଇଥିଲେ। ପ୍ରାୟ ୧୫ ମିନିଟ୍ ଧରି ଖୁଲମଖୁଲା ଏହି ଆତଙ୍କରାଜ ଚାଲିଥିଲା। କିନ୍ତୁ ପୁଲିସ୍ ଅବାକ ହୋଇ ଚାହିଁ ରହିଥିଲା। ହାତଗଣତି ପୁଲିସ୍ ଏହି ସଂଘବଦ୍ଧ ଆକ୍ରମଣକୁ ଅଟକାଇବା ପାଇଁ ସାହସ କରିନଥିଲେ। ମନଇଚ୍ଛା ଭଙ୍ଗାରୁଜା ସାରିବା ପରେ ଉତ୍ତ୍ୟକ୍ତ ଲୋକେ ପାଖାପାଖି ୧୨ଟି ଗାଡ଼ିରେ ପଳାଇଥିଲେ। ତେବେ ଏସବୁ ଘଟଣା ବରଗଡ଼ ପୁଲିସ୍ର ପାରିବାପଣିଆକୁ ପଦାରେ ପକାଇଛି। ପ୍ରଥମତଃ ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ୍ ନିଜ ଆଡ଼ୁ କୌଣସି ମାମଲା ରୁଜୁ କରିନଥିଲା। ଦ୍ବିତୀୟରେ କୌଣସିାଲ ଲୋକଙ୍କୁ ପୁଲିସ୍ ଧରିନଥିଲା। ଏସ୍ଡିପିଓ ପଦାରବିନ୍ଦ ତ୍ରିପାଠୀ ଘଟଣାସ୍ଥଳକୁ ଯାଇ ସମୀକ୍ଷା କରିଥିଲେ। କିନ୍ତୁ କେଉଁ କାରଣରୁ ଥାନା ଉପରେ ଏହି ସଂଘବଦ୍ଧ ଆକ୍ରମଣ ହେଲା ସେ ନେଇ ଶ୍ରୀ ତ୍ରିପାଠୀ କିମ୍ବା ଅମ୍ବାଭୋନା ଥାନାଧିକାରୀ ବୁଲୁ ମୁଣ୍ଡା କହିବାକୁ ନାରାଜ। ଏପରିକି ଘଟଣା ସଂପର୍କରେ ମତାମତ ଲୋଡ଼ିବାକୁ ଉଦ୍ୟମ କରାଯାଇଥିଲେ ହେଁ ଦୁହେଁ ଫୋନ୍ ବି ଉଠାଇ ନଥିଲେ। ତେବେ କାହା ଚାପରେ ପୁଲିସ୍ ଏଭଳି ନିଷ୍କ୍ରିୟ ହାବଭାବ ଦେଖାଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି।
କିଛି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅମ୍ବାଭୋନା ବ୍ଲକସ୍ଥିତ ତାମଦେଇ ପର୍ଯ୍ୟଟନସ୍ଥଳୀକୁ ବ୍ଲକ୍ ବାହାରର କିଛି ଯୁବକ ଭୋଜି କରିବାକୁ ଆସିଥିଲେ। ସେମାନେ ବ୍ରାଉନ୍ସୁଗାର, ଗଞ୍ଜେଇ ସମେତ ଅନ୍ୟ ନିଶା ସାମଗ୍ରୀ ବ୍ୟବହାର କରୁଥିବା ଅମ୍ବାଭୋନା ପୁଲିସ୍ ଖବର ପାଇ ଚଢ଼ଉ କରିଥିଲା। ସେଠାରେ ପୁଲିସ୍ ସହ ଉପସ୍ଥିତ ଥିବା ଯୁବକମାନଙ୍କ ପାଟିତୁଣ୍ଡ ସହ ଠେଲାପେଲା ହୋଇଥିଲା। ପରେ ସଂପୃକ୍ତ ଯୁବକମାନଙ୍କ ସହଯୋଗୀମାନେ ଥାନା ଉପରେ ସଂଘବଦ୍ଧ ଆକ୍ରମଣ କରିଥିବା ଚର୍ଚ୍ଚା ହେଉଛି। ଘଟଣା ପଛର କାରଣ ଯାହା ବି ହେଉ ବରଗଡ଼ ପୁଲିସ୍ ସଂପୂର୍ଣ୍ଣ ହାତଟେକି ଦେବା, ସଂଘବଦ୍ଧ ଆକ୍ରମଣ ବେଳେ ଚୁପ୍ ରହିବା ଏବଂ ସଂପୂର୍ଣ୍ଣ ମାମଲାରୁ ପଛଘୁଞ୍ଚା ଦେବା ପଛରେ କୌଣସି ବାହ୍ୟଚାପ ରହିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି। ଜିଲ୍ଲାର ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଛତ୍ରଛାୟାରେ ଏହି ଉଦ୍ଭ୍ରାନ୍ତ ଯୁବକମାନେ ଏପରି କାଣ୍ଡ କରିଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ କରିବାକୁ ପଛଘୁଞ୍ଚା ଦେଉଥିବା ସ୍ପଷ୍ଟ ହୋଇଛି।

nis-ad
Leave A Reply

Your email address will not be published.