ବେଟିଂ ଆପ୍‌ ବିବାଦ: ମହାଦେବଙ୍କୁ ବି ଛାଡି ନଥିଲା କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦୀ

Modi

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍‌ ଦୁର୍ନୀତିକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତଙ୍କ ସହ ତାଙ୍କର କ’ଣ ସମ୍ପର୍କ ରହିଛି ତାହା କଂଗ୍ରେସ ନେତା ସ୍ପଷ୍ଟ କରନ୍ତୁ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦାବି କରିବାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡ଼ର ଦୁର୍ଗ ସହରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ଫରେନସିକ୍‌ ବିଶ୍ଳେଷଣ ଏବଂ ଏକ ‘କ୍ୟାସ୍‌ କୋରିଅର୍‌’ ଦ୍ୱାରା ଦିଆଯାଇଥିବା ବୟାନ ଯୋଗୁଁ ମହାଦେବ ବେଟିଂ ଆପ୍‌ ପ୍ରମୋଟରମାନେ ବର୍ତ୍ତମାନ ସୁଦ୍ଧା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲଙ୍କୁ ପାଖାପାଖି ୫୦୮ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ଆଶ୍ଚର୍ଯ୍ୟଜନକ ଅଭିଯୋଗ ଆସିଛି।
୮୦ କୋଟି ଗରିବଙ୍କ ପାଇଁ ତାଙ୍କ ଏନ୍‌ଡିଏ ସରକାରଙ୍କ ମାଗଣା ରାସନ ଯୋଜନା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆସନ୍ତା ୫ ବର୍ଷ ପାଇଁ ବୃଦ୍ଧି କରାଯିବ ବୋଲି ମଧ୍ୟ ମୋଦୀ ଏହି ଅବସରରେ ଘୋଷଣା କରିଛନ୍ତି।
କଂଗ୍ରେସ ତାଙ୍କୁ ଏବଂ ସମଗ୍ର ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟକୁ ଗାଳି ଗୁଲଜ କରୁଛି ବୋଲି ଅଭିଯୋଗ କରି ମୋଦୀ କହିଛନ୍ତି ଯେ ସେ ଗାଳିଗୁଲଜକୁ ଭୟ କରନ୍ତି ନାହିଁ। ଛତିଶଗଡ଼ର କଂଗ୍ରେସ ସରକାର ‘ଆପଣଙ୍କୁ ଲୁଟ୍‌ କରିବାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ସେମାନେ ‘ମହାଦେବ’ଙ୍କ ନାମକୁ ମଧ୍ୟ ଛାଡି ନାହାନ୍ତି। ମାତ୍ର ଦୁଇ ଦିନ ତଳେ ରାୟପୁରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି। ଲୋକମାନେ କହୁଛନ୍ତି ଯେ ଏହା ସଟ୍ଟାବଜାର (ବେଟିଂରେ ସମ୍ପୃକ୍ତ) ଟଙ୍କା ଏବଂ ଛତିଶଗଡ଼ର ଗରିବ ଓ ଯୁବକଙ୍କୁ ଲୁଟ୍‌ କରି ଏହାକୁ ସଂଗ୍ରହ କରାଯାଇଛି। କଂଗ୍ରେସ ନେତାମାନେ ସେହି ଟଙ୍କାରେ ନିଜ ଘର ଭର୍ତ୍ତି କରୁଛନ୍ତି ବୋଲି ମୋଦୀ କହିଛନ୍ତି।
ସିଏମ୍‌ ବାଘେଲଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗଣମାଧ୍ୟମରେ ଏହି ଟଙ୍କା ତାଙ୍କ ସହ ଜଡ଼ିତ ବୋଲି ପ୍ରକାଶ ପାଉଛି। କଂଗ୍ରେସ ସରକାର ଓ ମୁଖ୍ୟମନ୍ତ୍ରୀଙ୍କର ଦୁବାଇରେ ବସିଥିବା ଏହି ଦୁର୍ନୀତିର ଅଭିଯୁକ୍ତଙ୍କ ସହ ଛତିଶଗଡ଼ର କ’ଣ ସମ୍ପର୍କ ରହିଛି ତାହା ଛତିଶଗଡ଼ବାସୀଙ୍କୁ ଜଣାଇବା ଦରକାର।
କଂଗ୍ରେସର ପ୍ରାଥମିକତା ହେଉଛି ଦୁର୍ନୀତି କରି ନିଜ ରାଜକୋଷ ପୂରଣ କରିବା। ଛତିଶଗଡ଼ କହୁଛି ‘୩୦ ଟକା କକ୍କା, ଆପ୍‌କା କାମ ପକ୍କା’, କଂଗ୍ରେସ ସରକାରର ପ୍ରତ୍ୟେକ କାର୍ଯ୍ୟରେ ୩୦ ପ୍ରତିଶତ କମିସନ ନେଉଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ଦେଶର ସବୁଠାରୁ ବଡ଼ ଜାତି ହେଉଛି ‘ଗରିବ’, ଏବଂ ସେ ସେମାନଙ୍କର ‘ସେବକ’। ତେବେ, ଗରିବଙ୍କୁ ବିଭାଜିତ କରିବା ଏବଂ ଜାତିବାଦର ବିଷ ବିସ୍ତାର କରିବା ପାଇଁ ରାଜନୈତିକ ଦଳମାନେ ନୂଆ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଗରିବଙ୍କ କଲ୍ୟାଣ ଚାହୁନାହିଁ ଏବଂ ସେମାନଙ୍କ ଅବସ୍ଥାରେ ଉନ୍ନତି ହେଉ ବୋଲି ଚହୁନାହିଁ।

nis-ad
Leave A Reply

Your email address will not be published.